ନୀଳଗିରି,୧୯/୦୫(ବ୍ରଜକିଶୋର ପାଣି): ଆକାରରେ ବିଶାଳ । ଆକାଶକୁ ଛୁଇଁଛି ଶାଖାପ୍ରଶାଖା । ମାଡ଼ିବସିଛି ବିଶାଳ ଇଲାକା । ସାଜିଛି ଅନେକ ଘଟଣା-ଦୁର୍ଘଟଣାର ମୂକସାକ୍ଷୀ । ହେଲେ ଏହା ପାଖକୁ ଯିବା ପାଇଁ ସ୍ଥାନୀୟ ଲୋକେ ସାହସ ଜୁଟାଇ ପାରୁନାହାନ୍ତି । କାରଣ ସେମାନଙ୍କ ମନରେ ବସା ବାନ୍ଧିଛି ଭୂତ ଭୟ । ରାତି ହେଲେ ମହାଦ୍ରୁମରୁ ବିକଟାଳ ଶବ୍ଦ ଶୁଭୁଛି । ଏହା ଚାରିପଟେ କୁଆଡ଼େ ଆତ୍ମା ଘୂରି ବୁଲୁଛନ୍ତି । କୁଲଡିହା ଅଭୟାରଣ୍ୟର ୪୦୦ ବର୍ଷ ପୁରୁଣା ଏହି ଛତିଆନ ଗଛ ଏବେ ‘ଭୂତ ଗଛ’ ବା ‘ଘୋଷ୍ଟ୍ ଟ୍ରି’ ଭାବେ କୁଖ୍ୟାତି ଅର୍ଜନ କରିଛି ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ରାଜରାଜୁଡ଼ା ଅମଳରୁ ଗଛଟି ରହିଛି । ଅତିକମ୍ରେ ଏହା ୪୦୦ ବର୍ଷ ପୁରୁଣା । ଆଗରୁ ଜଙ୍ଗଲ ଆହୁରି ଘଞ୍ଚ ଥିଲା । ହିଂସ୍ର ଜନ୍ତୁ ବାସ କରୁଥିଲେ । ଜଙ୍ଗଲକୁ କାଠ ଆଣିବାକୁ ଯାଉଥିବା ଲୋକମାନେ ସେମାନଙ୍କ ଆକ୍ରମଣର ଶିକାର ହେଉଥିଲେ । ଅନେକ ମୃତ୍ୟୁ ମୁଖରେ ବି ପଡୁଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତଦେହ ବି ମିଳୁ ନ ଥିଲା । ଏହାକୁ ନେଇ ଅଞ୍ଚଳରେ ଭିନ୍ନ ଭିନ୍ନ କଥା ପ୍ରଚାର ହୋଇଛି । ‘ଭୂତ ଗଛ’ରେ ଅତୃପ୍ତ ଆତ୍ମା ରହୁଥିବା ଆଜି ବି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ଏହା ହିଁ ଭୟର ମୂଳ କାରଣ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟ । ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ ଏହି ଅଭୟାରଣ୍ୟ ଔଷଧୀୟ ଗୁଳ୍ମ, ଶାଳ, ପିଆଶାଳ, ଶାଗୁଆନ, ଅସନ, ମହୁଲ, ପଣସ, ଗମ୍ଭାରୀ ଭଳି ମୂଲ୍ୟବାନ ବୃକ୍ଷରାଜିରେ ସମୃଦ୍ଧ । ହାତୀ, ବାଘ, ଭାଲୁ, ଗୟଳ, ସମ୍ଭର, କୁଟୁରା, ବାର୍ହା, ରଙ୍ଗ ବେରଙ୍ଗରପକ୍ଷୀ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛନ୍ତି । ହେଲେ ଏଠାରେ ଥିବା ୪୦୦ ବର୍ଷ ପୁରାତନ ବିଶାଳକାୟ ଉକ୍ତ ଛତିଆନ ଗଛ ଚର୍ଚ୍ଚାରେ ରହିଛି । କୁଲଡିହା ଡାକବଙ୍ଗଳାଠାରୁ ଜଡ଼ାଚୁଆ ରାସ୍ତାରେ ମାତ୍ର ଦେଢ଼ କିମି ଗଲେ ଦକ୍ଷିଣ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏହି ‘ଘୋଷ୍ଟ୍ ଟ୍ରି’ । ୨୦ ଫୁଟ୍ ମୋଟେଇ ଓ ୭୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ଗଛ ଗଣ୍ଡିରେ ପୋକ ଲାଗିଯାଇଛି ।

କେତେକ ସ୍ଥାନରେ ଛୋଟ ଛୋଟ କୋଠରି ଭଳି ଫାଙ୍କା ସ୍ଥାନ ରହିଛି । ନିର୍ମୂଳି ଉତ୍ପନ୍ନ ହୋଇ କଣ୍ଟା ସୃଷ୍ଟି ହୋଇଛି । ଦିନତମାମ ଖାଦ୍ୟ ଅନ୍ୱେଷଣ ପରେ ଶହଶହ ପକ୍ଷୀ ରାତିରେ ଗଛରେ ଆଶ୍ରୟ ନେଇଥାନ୍ତି । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଭୂତ ଗଛ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରୁଛି । ପର୍ଯ୍ୟଟକମାନେ ଅଭୟାରଣ୍ୟର ଜଡ଼ାଚୁଆ ଓ ଗଡ଼ ସିମୁଳିଆ ପରିଭ୍ରମଣରେ ଗଲେ ଗଛ ମୂଳେ କିଛି ସମୟ ବିତାଇଥାଆନ୍ତି । ବିଶାଳ ଗଛକୁ କ୍ୟାମେରା ଲେନ୍ସରେ ତୋଳି ଧରନ୍ତି । ସେଲ୍ଫି ମଧ୍ୟ ନିଅନ୍ତି । କେତେକ ସଚେତନ ଲୋକଙ୍କ କହିବା କଥା, ପବନରେ ଗଛର ଶାଖାପ୍ରଶାଖ ପରସ୍ପର ମଧ୍ୟରେ ଘଷି ହେଲେ ବିଚିତ୍ର ଶବ୍ଦ ବାହାରେ³ ଯାହା ମନରେ ଭୟ ସଞ୍ଚାର କରେ । ରାତିରେ ଏଠାରୁ ଅଜବ ଶବ୍ଦ ଶୁଣିବାକୁ ମିଳେ । ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ମୋକ୍ଷ ପାଉ ନ ଥିବା ଆତ୍ମା ଏହି ଗଛରେ ରହୁଥିବା ବିଶ୍ୱାସ ରହିଛି । ତେଣୁ ସ୍ଥାନୀୟ ଲୋକେ ଗଛ ପାଖକୁ ଯାଆନ୍ତି ନାହିଁ । ହେଲେ ଦେଶବିଦେଶରୁ ପର୍ଯ୍ୟଟକମାନେ ଗଛକୁ ଦେଖିବାକୁ ଆସୁଛନ୍ତି। ଗଛ ମୂଳ ଏବଂ ଆଖପାଖ ଅଞ୍ଚଳ ଏବେ ସେଲ୍ଫି ପଏଣ୍ଟ୍ ପାଲଟିଛି।

ଅଧିକ ପଢ଼ନ୍ତୁ :-  Utkal University Protest: ବାଣୀବିହାର କ୍ୟାମ୍ପସ୍ରେ ମଦ ପିଇ ଛାତ୍ରଙ୍କୁ ପିଟିଲେ ଅଣଛାତ୍ର, ଗିରଫ ଦାବିରେ ଫାଟକ ସମ୍ମୁଖରେ ଛାତ୍ରଙ୍କ ଧାରଣା

କୁଲଡିହା ଅଭୟାରଣ୍ୟ ସୀମାବର୍ତ୍ତୀ କେସିପୁର ଅଞ୍ଚଳର ବାସିନ୍ଦା ସୁରେଶ ନାୟକ, ଜାମିନୀକାନ୍ତ ହାଁସଦା, ଚାମୁ ବାସ୍କେ କହନ୍ତି, ବାପା-ଜେଜେ ଅମଳରୁ ଏହି ବିଶାଳକାୟ ଗଛ ଛିଡ଼ା ହୋଇଛି । ଏହାକୁ ନେଇ ଅଞ୍ଚଳରେ ଭିନ୍ନ ଭିନ୍ନ କଥା ପ୍ରଚାର ହୋଇଛି । ‘ଭୂତ ଗଛ’ରେ ଅତୃପ୍ତ ଆତ୍ମା ରହୁଥିବା ଆଜି ବି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ଅଭୟାରଣ୍ୟରେ ପୁରାତନ ଦ୍ରୁମ ମଧ୍ୟରୁ ଏହା ସବୁଠାରୁ ପୁରୁଣା ବୋଲି ମନେହେଉଛି । ସରକାର ଏଭଳି ପୁରାତନ ଗଛର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ସେମାନେ ଦାବି କରିଛନ୍ତି । ରେଞ୍ଜର୍ ଦାୟିତ୍ୱରେ ଥିବା ହୃଷୀକେଶ ପ୍ରଧାନ ‘ଭୂତ ଗଛ’ ସମ୍ପର୍କରେ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି, ଲୋକେ କ’ଣ ବିଶ୍ୱାସ କରନ୍ତି ତାହା ଭିନ୍ନ କଥା । କିନ୍ତୁ ଜଙ୍ଗଲରେ ପଇଁତରା ମାରିବା ବେଳେ ତାଙ୍କୁ ସେଭଳି କିଛି ଅନୁଭବ ହୋଇନାହିଁ । ଛତିଆନ ଗଛଟି କିନ୍ତୁ ଶତାଧିକ ବର୍ଷ ପୁରୁଣା । ଏହା କୁଲଡିହାର ଅନ୍ୟତମ ଆକର୍ଷଣ ବୋଲି ସେ କହନ୍ତି ।