ଟିକସ ଲୁଚାଇବାକୁ ମଶାଣିରେ ପୋତିଥିଲେ ୪୩୩ କୋଟି: ୨୫ କୋଟି ଟଙ୍କା, ୧୨ କିଲୋ ସୁନା, ୬୨୬ କ୍ୟାରେଟ୍ ହୀରା ଜବତ

ଚେନ୍ନାଇ,୮ା୨(ଏଜେନ୍ସି): ଟିକସ ଲୁଚାଇବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି କମ୍ପାନି । ବଲିଉଡ୍ ଚଳଚ୍ଚିତ୍ର ‘ରେଡ୍’ରେ ଟିକସ ଅଧିକାରୀ ଅଜୟ ଦେବଗନ୍ କାନ୍ଥରୁ କୋଟି କୋଟି ଟଙ୍କାର ନୋଟ୍, ସୁନା ଗହଣା ସନ୍ଧାନ କରିଥିବା ଦୃଶ୍ୟ ସମସ୍ତେ ଦେଖିଥିବେ । ଚଳଚ୍ଚିତ୍ରରେ ଦେଖାଯାଇଥିବା ସମାନ ଧରଣ ଘଟଣା ଚେନ୍ନାଇରେ ଦେଖିବାକୁ ମିଳିଛି । କାନ୍ଥ ବଦଳରେ ମଶାଣିରୁ କୋଟି କୋଟି ଟଙ୍କାର ନୋଟ୍ ମିଳିଛି । ଏଠାକାର ୩ଟି କମ୍ପାନି ନିଜର ପାଖାପାଖି ୪୩୩ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତିକୁ ମଶାଣିରେ ପୋତିଥିଲେ । ୯ ଦିନ କାଳ ତନାଘନା ପରେ ଟିକସ ଅଧିକାରୀମାନେ ଏହାକୁ ଜବତ କରିଛନ୍ତି ।
କମ୍ପାନି ତିନୋଟି ହେଲେ ସାର୍ବନା ଷ୍ଟୋର ‘ବ୍ରହ୍ମଣ୍ଡମାଇ’, ଏବଂ ନିର୍ମାଣ ସଂସ୍ଥା ଲୋଟସ୍ ଗ୍ରୁପ୍ ଓ ଜିସ୍କୋୟାର । ଆୟ କର ଅଧିକାରୀମାନେ ୯ ଦିନ କାଳ ଚେନ୍ନାଇ ଏବଂ କୋଏମ୍ବାଟୁର୍ର କେତେକ ମଶାଣିରେ ତଲାସୀ ଚଳାଇ ତିନୋଟି କମ୍ପାନିର ପାଖାପାଖି ନଗଦ ୨୫ କୋଟି ଟଙ୍କା, ୧୨ କିଲୋ ସୁନା ଏବଂ ୬୨୬ କ୍ୟାରେଟ୍ ହୀରା ଜବତ କରିଛନ୍ତି ।
ଜଣେ ବରିଷ୍ଠ ଆୟକର ଅଧିକାରୀଙ୍କ କହିବାନୁସାରେ, ଆମ ଅଧିକାରୀମାନେ ଚେନ୍ନାଇରେ ଏକ ଗାଡ଼ିକୁ ବୃହତ୍ ମାତ୍ରାରେ ସାମଗ୍ରୀ ଏବଂ ଦସ୍ତାବିଜ୍ ନେଇ ଯାଉଥିବା ଦେଖିବା ପରେ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ଏକସଙ୍ଗେ ସାର୍ବନା ଷ୍ଟୋର ମାଲିକ ୟୋଗାରଥିନମ୍ ପୋଣ୍ଡୁରାଇ, ତାଙ୍କ ସହଯୋଗୀ ତଥା ଲୋଟସ୍ ଗ୍ରୁପ୍ ଓ ଜିସ୍କୋୟାର୍ ମାଲିକ ରାମଜୟମ୍ ଓରଫ୍ ବାଲାଙ୍କ ସହ ସଂଯୋଗ ଥିବା ୭୨ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ପୋଣ୍ଡୁରାଇ ଏବଂ ବାଲା ଏକ ଏସ୍ୟୁଭିରେ ଦସ୍ତାବିଜ୍, ପ୍ରଚୁର ପରିମାଣର ନୋଟ୍, ସୁନା ଏବଂ ହୀରା ବୋଝେଇ କରିଥିଲେ । ଗାଡ଼ିକୁ ଦିନ ତମାମ ସହରରେ ଚଲାଇବାକୁ ଏମାନେ ଡ୍ରାଇଭରକୁ ନିର୍ଦ୍ଦେଶ ଦେଇଥିଲେ ।
ଅଧିକାରୀଜଣକ କହିଛନ୍ତି ଯେ, ଆମ ଟିମ୍ ଜାଗାରେ ପହଞ୍ଚିବା ପୂର୍ବରୁ ଏ ନେଇ ସେମାନେ ଆଗୁଆ ଖବର ପାଇ ଯାଇଥିଲେ । କେତେକ ପୁଲିସ ଅଧିକାରୀ ସେମାନଙ୍କୁ ଏ ବିଷୟରେ ସୂଚନା ଦେଇ ଦେଇଥିଲେ । ସମ୍ଭାବ୍ୟ ଚଢ଼ଉ ନେଇ ଖବର ପାଇଯିବା ପରେ ସେମାନଙ୍କ କର୍ମଚାରୀମାନେ କମ୍ପ୍ୟୁଟର ଏବଂ ସିସିଟିଭି ଫୁଟେଜ୍ରୁ ସବୁ ରେକର୍ଡ ଡିଲିଟ୍ କରିଦେଇଥିଲେ ।
ଜେରା କରାଯିବା ପରେ ଜଣାଯାଇଥିଲା ଯେ, ଉକ୍ତ ଏସ୍ୟୁଭିରେ ନଗଦ ଟଙ୍କା, ସୁନା ଓ ହୀରା ଥିଲା । ତେବେ ଗାଡ଼ିରୁ ବେଶି କିଛି ଜବତ କରାଯାଇପାରି ନ ଥିଲା । ପରେ ପୋଲିସ୍ ସୂତ୍ରରୁ ସୂଚନା ମିଳିଥିଲା ଯେ, କେତେକ ବ୍ୟାଗ୍କୁ ମଶାଣିରେ ପୋତାଯାଇଛି । ଏହା ପରେ ୯ ଦିନ ଯାକ ଖୋଳାଖୋଳି କରାଯାଇ ୪୩୩ କୋଟି ଟଙ୍କାର ନୋଟ୍, ସୁନା ଓ ହୀରା ଗହଣା ମଶାଣିରୁ ଜବତ କରାଯାଇଛି ।