ଆତ୍ମଘାତୀ ବିସ୍ଫୋରଣରେ ୪୪ ଯବାନ ସହିଦ, ଆଗକୁ ଘଟିପାରେ ଆହୁରି ଆକ୍ରମଣ

ଶ୍ରୀନଗର/ନୂଆଦିଲ୍ଲୀ,୧୪ ।୨(ଏଜେନ୍ସି): ପୁଣି ଥରେ ପାକିସ୍ତାନ କରିଛି ଭୟାନକ ଆକ୍ରମଣ । ଆତଙ୍କୀଙ୍କ ଆଢ଼ୁଆଳରେ ଭାରତ ଉପରେ କରିଛି କାପୁରୁଷତାର ପ୍ରହାର । ଆତଙ୍କୀଙ୍କ ଆତ୍ମଘାତୀ ବିସ୍ଫୋରଣରେ କାଶ୍ମୀରରେ ଆଜି ସହିଦ୍ ହୋଇଛନ୍ତି ୪୪ ଜଣ ସିଆରପିଏଫ୍ ଯବାନ୍ । ୪୦ ଜଣ ଯବାନ୍ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସ୍ୱାଧୀନ ଭାରତର ଇତିହାସରେ ସିଆରପିଏଫ୍ ଯବାନଙ୍କ ଉପରେ ଏହା ସବୁଠୁ ବଡ଼ ଆତଙ୍କୀ ହମ୍ଲା । ଏହି ବିସ୍ଫୋରଣ ପାଇଁ ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଛି । ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ୧୦ କିଲୋମିଟର ପରିମିତ ଅଞ୍ଚଳରେ ଭୂକମ୍ପ ହୋଇଥିଲା । ଘରଦ୍ୱାର କେଇ ସେକେଣ୍ଡ ପାଇଁ ଥରି ଉଠିଥିଲା । ବିସ୍ଫୋରଣରେ ଯବାନଙ୍କ ଏକ ଭ୍ୟାନ ଖଣ୍ଡ ଖଣ୍ଡ ହୋଇ ଧ୍ୱଂସ ହୋଇ ଯାଇଥିଲା । ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ ପ୍ରାୟ ୫୦ ମିଟର ଦୂରରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା । ସେମାନଙ୍କ ଅସ୍ତ୍ରଶସ୍ତ୍ର ଗଛ ଉପରେ ଯାଇ ଲାଖିଥିବା ଦେଖିବାକୁ ମିଳିଥିଲା ।
ଏହି ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲାର ନୂଆଗାଁ ବ୍ଲକ ଶିଖର ଗ୍ରାମରେ ।
ସିଆରପିଏଫ ଡିଜି ଆର୍ଆର ଭଟ୍ଟନାଗରଙ୍କ ସୂଚନା ଅନୁସାରେ ତୁଷାରପାତ ଯୋଗୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଗତ ୭ ଦିନ ହେଲା ବନ୍ଦ ରହିଥିଲା । ଗତକାଲି ଏହି ରାଜପଥ ଯାତାୟାତ ନିମନ୍ତେ ଖୋଲିଥିଲା । ଆଜି ୭୮ଟି ଭ୍ୟାନରେ ୨୫୪୭ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ । ମୋଟ ଦୂରତ୍ୱ ଥିଲା ୨୯୫ କିଲୋମିଟର । ଯବାନମାନେ ଭୋର୍ ସାଢ଼େ ୩ଟାରେ ଯାତ୍ରା ଆରମ୍ଭ କରିଥିଲେ । ଏସଓପି (ଷ୍ଟାଣ୍ଡାର୍ଡ ଅପରେସନ ପ୍ରସିଡ୍ୟୁର) ଅନୁଯାୟୀ ଧାଡ଼ିରେ ସବୁ ଗାଡ଼ି ଚାଲିଥିଲେ । ପୁଲୱାମା ଜିଲ୍ଲାର ଅୱନ୍ତୀପୋରା ଅନ୍ତର୍ଗତ ଗୋରିପୋରା ଅଞ୍ଚଳରେ ଅପରାହ୍ନ ୩ଟା ୨୦ରେ ଗାଡ଼ି ଗୁଡ଼ିକ ପହଞ୍ଚିଥିଲା । ଶ୍ରୀନଗର ଥିଲା ଆଉ ମାତ୍ର ୩୨ କିଲୋମିଟର ।
ଅଚାନକ ଏକ ଛକ ସ୍ଥାନରେ ଡାହାଣ ପାଶ୍ୱର୍ରୁ ଜଣେ ଯୁବକ ଏକ ସ୍କର୍ପିଓକୁ ଦ୍ରୁତ ଗତିରେ ଆଣି ଯବାନଙ୍କ ଏକ ଭ୍ୟାନ ସହ ଧକ୍କା ଦେଇଥିଲା । ଅନୁମାନ କରାଯାଉଛି ସ୍କର୍ପିଓରେ ବୋଝେଇ ହୋଇଥିଲା ୩୫୦ କିଲୋରୁ ଅଧିକ ଆଇଇଡି (ବିସ୍ଫୋରକ) । ବାସ୍ ଏତିକିରେ ଅଞ୍ଚଳର ଚିତ୍ର ବଦଳିଗଲା । ୫୫ ଆସନ ବିଶିଷ୍ଟ ଯବାନଙ୍କ ଗୋଟିଏ ଭ୍ୟାନ୍ ଧ୍ୱଂସ ହୋଇ ଯାଇଥିଲା । ପଛରେ ଥିବା ଅନ୍ୟ ଏକ ଭ୍ୟାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଯେଉଁ ଗାଡ଼ିଟିକୁ ଆତଙ୍କୀ ଟାର୍ଗେଟ କରିଥିଲା ତାହା ଥିଲା ସିଆରପିଏଫ ୭୬ ବାଟାଲିୟନ୍ର । ସେଥିରେ ୯୨, ୧୭ ଓ ୫୪ ବାଟାଲିୟନର ମୋଟ ୪୨ଜଣ ଯବାନ ଥିଲେ । ବିସ୍ଫୋରଣରେ ୪୦ ଜଣ ଯବାନ ଓ ସେନାର ୨ ଜଣ ଆର୍ଓପି (ରୋଡ୍ ଓପନିଂ ପାର୍ଟି)ର ଯବାନ ସହିଦ୍ ହୋଇଛନ୍ତି । ବିସ୍ଫୋରଣ ପରେ ଉକ୍ତ ରାଜପଥକୁ ବନ୍ଦ କରି ଦିଆଯାଇଛି । ଆହତ ଯବାନଙ୍କୁ ବାଦାମୀବାଗସ୍ଥିତ ସେନାର ୯୨ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଜିର ଏହି ବିସ୍ଫୋରଣ ପାଇଁ ଆତଙ୍କୀ ସଙ୍ଗଠନ ଜୈସ୍-ଇ-ମହମ୍ମଦ ନିଜକୁ ଦାୟୀ କରିଛି । ସଙ୍ଗଠନ ପ୍ରବକ୍ତା ମହମ୍ମଦ ହସନ ଏକ ବୟାନରେ କହିଛି ଯେ ଆକ୍ରମଣରେ ଯବାନଙ୍କର ୧୨ଟି ଗାଡ଼ି ନଷ୍ଟ କରିଦିଆଯାଇଛି । ଏହା ଆତ୍ମଘାତୀ ଆକ୍ରମଣ ଥିଲା । ଏହାକୁ ଅନ୍ତିମ ରୂପ ଦେଇଥିବା କାର୍ ଡ୍ରାଇଭର ପୁଲୱାମା ଜିଲ୍ଲାର ଗୁଣ୍ଡଇ ଗ୍ରାମ ନିବାସୀ ଆଦିଲ ମହମ୍ମଦ ଓରଫ ୱକାସି କମାଣ୍ଡୋ ବୋଲି କୁହାଯାଇଛି । ୨୦୧୮ରେ ସେ ସଙ୍ଗଠନରେ ସାମିଲ ହୋଇଥିଲା । ସଙ୍ଗଠନ ଆଦିଲର ଫଟୋ ସହ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରାଯାଇଛି ।
ଜମ୍ମୁ-କାଶ୍ମୀରରେ ଆତ୍ମଘାତୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଗତ ୮ ତାରିଖରେ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା । ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଥିଲା । ଆତଙ୍କୀ ଆକ୍ରମଣ ପରେ ସବୁ ସରକାରୀ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ରାଜଭବନ ପକ୍ଷରୁ ସୂଚନା ଜାରି କରାଯାଇଛି । ଏଥିସହିତ ସେନା ଓ ଅର୍ଦ୍ଧସାମରିକ ବାହିନୀକୁ ଅଧିକ ସତର୍କ ରଖିବାକୁ ସୈନ୍ୟବାହିନୀର କମାଣ୍ଡରମାନଙ୍କୁ ପରାମର୍ଶ ଦିଆଯାଇଛି । ଇତିମଧ୍ୟରେ ଜମ୍ମୁ-କାଶ୍ମୀର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏଭଳି ଆକ୍ରମଣ ଘଟିଲା ତାହାର କାରଣ ଖୋଜି ବାହାର କରାଯିବ । ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ୧୨ ଜଣିଆ ଟିମ୍ ଗଠନ କରିଛି । ଆଇଜି ର୍ୟାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ଆସନ୍ତାକାଲି ଶ୍ରୀନଗର ଯିବ । ସେଠାକାର ପୁଲିସକୁ ଏହି ଘଟଣାର ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବ ।
ଜମ୍ମୁ-କାଶ୍ମୀରରେ ଘଟିଥିବା ଏହି ଆତଙ୍କୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି । କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ସେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏଭଳି ସମୟରେ ସହିଦ ଯବାନଙ୍କ ପରିବାର ପଛରେ ସମଗ୍ର ଦେଶ ଠିଆହୋଇଛି । ଏଥିସହିତ ସେ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଓ ସିଆରପିଏଫ ଡିଜିଙ୍କ ସହ ରାଜନାଥ ଟେଲିଫୋନ୍ରେ କଥା ହୋଇ ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି । ଆସନ୍ତାକାଲି ପାଟନାରେ ହେବାକୁ ଥିବା ତାଙ୍କ ରାଲିକୁ ସେ ବାତିଲ କରିଛନ୍ତି । ଆସନ୍ତାକାଲି ରାଜନାଥ ଶ୍ରୀନଗର ଗସ୍ତରେ ଯିବେ । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ ସିଆରପିଏଫ ଅଧିକାରୀଙ୍କ ସହ ନିୟମିତ ଭାବେ ଯୋଗାଯୋଗରେ ରହିଛନ୍ତି ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ପୁଲୱାମା ଆକ୍ରମଣ ପରିପ୍ରେକ୍ଷୀରେ ଆସନ୍ତାକାଲି ନିରାପତ୍ତା ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକ ଡକାଯାଇଛି । ବୈଠକରେ ଆକ୍ରମଣ ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରାଯିବ ।
ଉଲ୍ଲେଖଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୯ରେ ଉରି ସେନା କ୍ୟାମ୍ପରେ ହୋଇଥିବା ଆତଙ୍କୀ ହମ୍ଲା ପରେ ସୁରକ୍ଷାକର୍ମୀଙ୍କ ଉପରେ ଏହା ଆଉ ଏକ ବଡ଼ ଆକ୍ରମଣ । ଉରି ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ । ୨୦୦୧ରେ ଶ୍ରୀନଗରସ୍ଥିତ ସଚିବାଳୟ ବାହାରେ ଘଟିଥିବା ଏଭଳି ଏକ ଆତ୍ମଘାତୀ ଆକ୍ରମଣରେ ୩୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଥିଲେ । ଜୈସ-ଇ-ମହମ୍ମଦ ଏହି ଆକ୍ରମଣ ଘଟାଇଥିଲା ।

ତରିକା ବଦଳାଇଛନ୍ତି ଆତଙ୍କୀ
ଆକ୍ରମଣ ଘଟଣାରୁ ଆତଙ୍କୀମାନେ ସେମାନଙ୍କ ଆକ୍ରମଣର ତରିକା ବଦଳାଇଥିବାର ସୂଚନା ମିଳୁଛି । ଗତ କିଛିବର୍ଷ ଭିତରେ ଆତଙ୍କୀମାନେ ସେନା ସହିତ ମୁହାଁମୁହିଁ ଲଢ଼େଇରେ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେଣୁ ସେମାନେ ସେନାର ସାମ୍ନା ସାମ୍ନି ମୁକାବିଲା କରିବାକୁ ଭୟ କରୁଛନ୍ତି । ସେଥିପାଇଁ ସେମାନେ ବିସ୍ଫୋରକ ବୋଝେଇ ଗାଡିକୁ ସୁରକ୍ଷାକର୍ମୀଙ୍କ ଗାଡିରେ ଧକ୍କା ଲଗାଇ ସେମାନଙ୍କ ଟାର୍ଗେଟକୁ ଅନ୍ତିମ ରୂପରେଖ ଦେଇଛନ୍ତି । ଯାହାକି ସୁରକ୍ଷାକର୍ମୀଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି ବୋଲି ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଦୀପେନ୍ଦ୍ର ସିଂହ ହୁଡା କହିଛନ୍ତି । ତାଙ୍କ କହିବାନୁଯାୟୀ ସରକାର ଏହାକୁ ଗମ୍ଭୀରତାର ସହ ନେତା ଉଚିତ ଏବଂ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ସରକାର ସର୍ଜିକାଲ ଷ୍ଟ୍ରାଇକକୁ ଏଭଳି ପ୍ରଚାର ପ୍ରସାର କରିବା ଯୋଗୁ ସୁରକ୍ଷା ବାହିନୀକୁ କ୍ଷତି ଘଟିଛି । ଯାହାଫଳରେ ଏବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସମସ୍ୟା ଉପୁଜିପାରେ । ସର୍ଜିକାଲ ଷ୍ଟ୍ରାଇକ ବେଳେ ନଦର୍ଣ୍ଣ ସେନା କମାଣ୍ଡର ଥିବା ହୁଡା କହିଛନ୍ତି ୨୦୦୧ରେ ଜମ୍ମୁ୍-କାଶ୍ମୀର ସଚିବାଳୟ ନିକଟରେ ଏବଂ ୨୦୦୫ରେ ୩-୪ଟି ଏଭଳି ଆକ୍ରମଣ ଘଟଣା ଘଟିଥିଲା । ସେବେଠାରୁ ଆଉ ଏଭଳି ଘଟଣା କେବେ ବି ଘଟିନଥିଲା । ସାଧାରଣତଃ ଜମ୍ମୁ-କାଶ୍ମୀରରେ ଆତ୍ମଘାତୀ ଆକ୍ରମଣ ବିଶେଷ ଭାବେ ଘଟିନଥାଏ । କିନ୍ତୁ ଆଜି ଯେଉଁ ଆକ୍ରମଣ ଘଟିଛି ତାହା ବହୁତ ଚିନ୍ତାଜନକ ।
ପାକିସ୍ତାନରୁ ଆସିଛନ୍ତି ୭ ଆତଙ୍କୀ ଟିମ୍
ଆଜି କାଶ୍ମୀରରେ ହୋଇଥିବା ବଡ଼ ଧରଣର ଆକ୍ରମଣ ପଛରେ ପାକିସ୍ତାନର ଷଡଯନ୍ତ୍ର ଥିବାର ସ୍ପଷ୍ଟ ହୋଇଛି । ଚଳିତ ମାସ ୫ ତାରିଖରେ ଜୈସ-ଇ-ମହମ୍ମଦ ସଂଗଠନ ଦ୍ୱାରା କରାଚୀରେ ଏକ ର୍ୟାଲି କରାଯିବା ପରେ ପରେ ଭାରତରେ ଏଭଳି ଆକ୍ରମଣ ହୋଇଛି । ଉକ୍ତ ରାଲିରେ ଜୈସର ପ୍ରତିଷ୍ଠାତା ମାସୁଦ ଆଝାରର ଛୋଟ ଭାଇ ମୌଲାନା ରୌଫ ଅସଗର ଯୋଗ ଦେଇଥିଲା । ସେ ରାଲିକୁ ସମ୍ବୋଧନ କରି କହିଥିଲା କି ଆସନ୍ତା ବର୍ଷ ‘ କାଶ୍ମୀର ସଲିଡାରିଟି ଡେ’ ପାଳନ କରାଯିବା ପୂର୍ବରୁ ଦିଲ୍ଲୀ ଦୋହଲି ସାରିଥିବ । କାଶ୍ମୀରର ପାହାଡରୁ ଭାରତର ବିଭିନ୍ନ ଭାଗରେ ଏପରି ଆକ୍ରମଣ କରାଯିବ ଯେ ପୂରା ଦେଶ ଥରି ଉଠିବ । ଏହି ରାଲି ପରେ ଜୈସ ଭାରତର ବିଭିନ୍ନ ଭାଗରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ୭ଟି ଟିମ୍ ପଠାଇଥିଲା । ଭାରତୀୟ ସୁରକ୍ଷା ଏଜେନ୍ସି ବି ଏହା ପୂର୍ବରୁ ଆଲର୍ଟ ଜାରି କରିଥିଲେ । ଭାରତର ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲେ କି ଭାରତରେ ଏବେ ନିର୍ବାଚନ ହେବାର ଥିବାରୁ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ଏବଂ କିଛି ନେତାଙ୍କୁ ବି ଟାର୍ଗେଟ କରିପାରନ୍ତି । ଅସଗର କରାଚୀ ରାଲିରେ ଯାହା କହିଥିଲା ସେଥିରୁ ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଠିକ୍ ଥିଲା ବୋଲି ସ୍ପଷ୍ଟ ହୋଇଥିଲା ।

ଆତ୍ମଘାତୀ ଖଳନାୟକ ଆଦିଲ୍
ପୁଲୱାମାରେ ଆଜି ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ବଡ଼ଧରଣର ଆକ୍ରମଣ ଘଟଣାରେ ଜୈସ୍-ଇ-ମହମ୍ମଦର ଜଣେ ସ୍ଥାନୀୟ ଆତଙ୍କବାଦୀ ସଂପୃକ୍ତ ବୋଲି ଏହି ସଂଗଠନ ଦାବି କରିଛି । ଜୈସ କହିଛି କି ଏଥିରେ ଆଦିଲ ଅହମ୍ମଦ ଦାର ଓରଫ ୱାକାସ କମାଣ୍ଡୋ ସଂପୃକ୍ତ ଅଛି । ସେ କାକପୋରା ଅନ୍ତର୍ଗତ ଗୁଣ୍ଡିବାଗ ଅଞ୍ଚଳର ବାସିନ୍ଦା । ସେ ବିସ୍ଫୋରକ ଭର୍ତ୍ତି ଗାଡିକୁ ସିଆର୍ପିଏଫ୍ ଯବାନଙ୍କ ଭ୍ୟାନ୍ରେ ଧକ୍କା ଦେଇଥିଲା । ଜୈସ ପକ୍ଷରୁ ପ୍ରକାଶିତ ଏକ ଭିଡିରେ ଆଦିଲ ରାଇଫଲ ଓ ବିସ୍ଫୋରକ ସାମଗ୍ରୀ ଧରିଥିବା ବେଳେ ତା ପଛରେ ସଙ୍ଗଠର ଏକ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି । ବର୍ଷକ ତଳେ ସେ ଆତଙ୍କୀ ସଙ୍ଗଠନରେ ଯୋଗଦେଇଥିଲା । ସେହି ଭିଡିଓରେ ଆଦିଲ କହୁଛି ଯେ ଭିଡିଓ ରିଲିଜ ହେବା ପୂର୍ବରୁ ସେ ସ୍ୱର୍ଗପ୍ରାପ୍ତି କରିସାରିଥିବ । ବର୍ଷକ ତଳେ ସେ ଜୈସ୍ରେ ଯୋଗଦେଇଥିଲା । ଏହା କାଶ୍ମୀରବାସୀଙ୍କ ପାଇଁ ତାହାର ଶେଷ ଭିଡିଓ ବାର୍ତ୍ତା । ପୂର୍ବରୁ ଭାରତୀୟ ବିମାନ ଆଇସିଏ ୧୮ ଅପହରଣ, ୨୦୦୧ ସଂସଦ ଉପରେ ଆକ୍ରମଣ, ନାଗ୍ରୋଟା ଆକ୍ରମଣ, ଉରି ହମ୍ଲା ଓ ପଠାନକୋଟ୍ ବାୟୁସେନା ବିମାନ ଘାଟି ଆକ୍ରମଣ ଭଳି ଅନେକ ଘଟଣାରେ ଜୈସ୍ର ହାତ ରହିଛି । ତାଛଡା ନିକଟରେ କାଶ୍ମୀରରେ ସେନା ଯବାନଙ୍କ ଉପରେ ହୋଇଥିବା ସ୍ନାଇପର ଆକ୍ରମଣ ମଧ୍ୟ ଜୈସ୍ ଘଟାଇଥିବା ସେହି ଭିଡିଓରେ ସେ ଦାବି କରୁଥିବା ଦେଖିବାକୁ ମିଳିଛି ।
ଆଗକୁ ଘଟିପାରେ ଆହୁରି ଆକ୍ରମଣ
ପୁଲୱାମା ଆକ୍ରମଣ ପରେ ଆତଙ୍କୀମାନେ ଜମ୍ମୁ-କାଶ୍ମୀରର ଅନ୍ୟ କେତେକ ସ୍ଥାନରେ ଏଭଳି ବଡ଼ଧରଣର ଆକ୍ରମଣ ଘଟାଇପାରନ୍ତି । ଏଭଳି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ । ଏଥିପାଇଁ ସତର୍କ ରହିବାକୁ ସୁରକ୍ଷା ବାହିନୀକୁ ପରାମର୍ଶ ଦେଇଛି । ଗୁଇନ୍ଦା ବିଭାଗର ପରାମର୍ଶ ମିଳିବା ପରେ ସମଗ୍ର ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ଜମ୍ମୁସ୍ଥିତ ବିଭିନ୍ନ ସେନା, ବିଏସ୍ଏଫ, ସିଆରପିଏଫ ଶିବିର ଓ ପୁଲିସ ଥାନାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବାହିନୀକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ବିଭିନ୍ନ ଚେକପୋଷ୍ଟ ଓ ରାଜପଥ ଉପରେ ନାକାବନ୍ଦୀ କରାଯାଇ ଯାନବାହନକୁ ଅଟକାଇ ଯାଞ୍ଚ କରାଯାଉଛି । ଏଥିରେ ବିସ୍ଫୋରକ ଅନୁସନ୍ଧାନକାରୀ କୁକୁରଙ୍କୁ ନିୟୋଜିତ କରାଯାଇଛି । ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସୈନ୍ୟ ଶିବିର ଅଞ୍ଚଳରେ କୌଣସି ଅଜ୍ଞାତ ଗାଡି ଚଳାଚଳକୁ ଅନୁମତି ଦିଆଯାଉନାହିଁ । ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ବରିଷ୍ଠ ସୁରକ୍ଷା ଅଧିକାରୀମାନେ ରଣନୀତି ଉପରେ ବ୍ୟାପକ ବିଚାର ବିମର୍ଶ କରିଛନ୍ତି । ଆକ୍ରମଣ ପରେ ପୁଲୱାମା ସମେତ ଅନନ୍ତନାଗ, ସୋପିଆନ ଓ କୁଲଗାମ୍ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।