ଚେନ୍ନାଇ ପାଇଁ ରାମବାଣ ସାବ୍ୟସ୍ତ ହୋଇଛନ୍ତି ଏହି ୫ ବୋଲର, କ୍ୟାପଟେନ୍ ଧୋନିଙ୍କୁ କରିନାହାନ୍ତି ନିରାଶ

ନୂଆଦିଲ୍ଲୀ ୨୫/ ୦୫: ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୧୦ମ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛି ଧୋନି ବ୍ରିଗେଡ୍ । ଦଳ ଯେଉଁଭଳି ଭାବେ ଫର୍ମରେ ଅଛି, ଲାଗୁଛି ୫ମ ଥର ଚାମ୍ପିୟନ୍ ହେବ ।
ଚେନ୍ନାଇର ୫ ବୋଲର ଯେଉଁମାନେ କି ଧୋନିଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇଛନ୍ତି । ସଠିକ୍ ସମୟରେ ଓ୍ବିକେଟ୍ ନେଇ ଦଳକୁ ଦମଦାର ବିଜୟ ଭେଟି ଦେଇଛନ୍ତି ବୋଲିଂ ବାହିନୀ । ଚେନ୍ନାଇ ସୁପର କିଙ୍ଗସ୍ର ୫ ପ୍ରମୁଖ ବୋଲର (ତୁଷାର ଦେଶପାଣ୍ଡେ, ମଥିଶା ପଥିରାଣା, ରବିନ୍ଦ୍ର ଜାଡେଜା, ମହେଶ ଥିକସାନା ଓ ଦୀପକ ଚହର) ମିଳିତ ଭାବେ ୮୦ଟି ଓ୍ବିକେଟ୍ ନେଇଛନ୍ତି ।
ଘରୋଇ କ୍ରିକେଟରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ତୁଷାର ଦେଶପାଣ୍ଡେ ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳୁଛନ୍ତି । ୨୦୨୨ ନିଲାମୀରେ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ସିଏସ୍କେ । ବର୍ତ୍ତମାନ ସୁଦ୍ଧା ସେ ୧୫ଟି ମ୍ୟାଚ୍ ଖେଳି ୨୦ଟି ଓ୍ବିକେଟ ନେଇସାରିଛନ୍ତି । ଯାହାକି ଦଳଗତ ପ୍ରଦର୍ଶନ ଭାବେ ସର୍ବାଧିକ ଓ୍ବିକେଟ୍ ।

‘ବେବି ମାଲିଙ୍ଗା’ ଭାବେ ପରିଚିତ ମଥିଶା ପଥିରାଣା ଚେନ୍ନାଇର ସବୁଠାରୁ ବଡ ଅସ୍ତ୍ର ସାବ୍ୟସ୍ତ ହୋଇଛନ୍ତି । ୨୦୨୩ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ସେ ମୋଟ ୧୧ଟି ମ୍ୟାଚ୍ ଖେଳି ୧୭ଟି ଓ୍ବିକେଟ ନେଇ ସାରିଲେଣି । ଡେଥ୍ ଓଭରରେ ଦମଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ କରିଛନ୍ତି ପଥିରାଣା । ଲାସିଥ୍ ମାଲିଙ୍ଗାଙ୍କ ଆକ୍ସନରେ ବୋଲିଂ କରୁଥିବାରୁ ତାଙ୍କୁ ବେବି ମାଲିଙ୍ଗା କୁହାଯାଉଛି ।

୨୦୨୨ ନିଲାମୀରେ ଦୀପକ ଚହରଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲ ଆରମ୍ଭରୁ ସେ ଖରାପ ପ୍ରଦର୍ଶନ କରିଥିଲେ । ପରେ ଆହତ ହୋଇ କିଛି ମ୍ୟାଚ୍ରୁ ବାଦ୍ ପଡିଥିଲେ । ପରେ ପୁଣି ପ୍ରତ୍ୟାବର୍ତ୍ତନ କରି ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଚହର । ବର୍ତ୍ତମାନ ସୁଦ୍ଧା ସେ ୯ଟି ମ୍ୟାଚ୍ ଖେଳି ୧୨ଟି ଓ୍ବିକେଟ ନେଇଛନ୍ତି ।

ବ୍ୟାଟିଂ, ବୋଲିଂ ଓ ଫିଲଡିଂରେ ବାଦଶାହ କୁହାଯାଉଥିବା ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ବି ଆଖିଦୃଶିଆ ରହିଛି । ଚଳିତ ବର୍ଷ ସେ ୧୫ଟି ମ୍ୟାଚ୍ ଖେଳି ୭.୪୧ ଇକୋନୋମୀରେ ୧୯ଟି ଓ୍ବିକେଟ ନେଇଥିବା ବେଳେ ୧୭୫ ରନ ସଂଗ୍ରହ କରିଛନ୍ତି । ଅଲରାଉଣ୍ଡର ଭାବେ ସିଏସ୍କେ ପକ୍ଷରୁ ଜାଡେଜା ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ।

ମିଷ୍ଟ୍ରି ସ୍ପିନର ମହେଶ ଥିକସାନା ଚଳିତ ଥର ସିଏସକେ ପକ୍ଷରୁ ୧୨ଟି ମ୍ୟାଚ୍ ଖେଳି ୧୧ଟି ଓ୍ବିକେଟ ନେଇଛନ୍ତି । ଯେତେବେଳେ ବି ଧୋନୀ ଥିକସାନାଙ୍କ ଉପରେ ଭରଷା କରିଛନ୍ତି, ସେ କେବେ ନିରାଶ କରିନାହାନ୍ତି । ସେହିଭଳି ମୋଇନ ଅଲୀ ୧୪ ମ୍ୟାଚ୍ ଖେଳି ୯ ଓ୍ବିକେଟ, ଆକାଶ ସିଂହ ୬ ମ୍ୟାଚରୁ ୪ ଓ୍ବିକେଟ, ରାଜବର୍ଦ୍ଧନ ହଙ୍ଗରଗେକର ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।