ଭୁବନେଶ୍ୱର,୧୩/୦୭: ରାଜ୍ୟରେ ଚହଳ ପକାଇଛି ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା । ଏମ୍ସରେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଛାତ୍ରୀ ଜଣଙ୍କ । ଘଟଣାରେ ଦୁଃଖ ପ୍ରକାଶ କରି ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଘଟଣାରେ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ । ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଏକ୍ସରେ ଲେଖିଛନ୍ତି ବିରୋଧୀ ଦଳ ନେତା ।
ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି,''ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଆତ୍ମହତ୍ୟା କରିବାର ଘଟଣା ଆଶ୍ଚର୍ଯ୍ୟଜନକ ଏବଂ ଅତ୍ୟନ୍ତ ଦୁଃଖଦାୟକ । ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଜଣେ ଶିକ୍ଷକ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିରେ ସେ ପ୍ରକାଶ କରିଛନ୍ତି ଯେ, ସେ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।''
ସେ ଆହୁରି କହିଛନ୍ତି,'' ମାସ ମାସ ଧରି ଛାତ୍ରୀ ଜଣକ ଭୟ ଏବଂ ଯନ୍ତ୍ରଣାରେ ରହୁଥିଲେ । ପ୍ରିନ୍ସପାଲଙ୍କଠାରୁ ଉଚ୍ଚଶିକ୍ଷାମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ନ୍ୟାୟ ପାଇବାରୁ ବଞ୍ଚିତ କରାଗଲା । ନ୍ୟାୟ ପାଇଁ ନିବେଦନ କରି ଅନେକ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ କରିଥିଲେ । ଶେଷ ପ୍ରୟାସରେ ବିଫଳ ହେବାରୁ ହତାଶ ହୋଇ ପ୍ରିନ୍ସପାଲଙ୍କ ଚାମ୍ବର ବାହାରେ ଆତ୍ମାହୁତି କରିବାକୁ ଚରମ ନିଷ୍ପତ୍ତି ନେଲେ । ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି । ବିଶ୍ୱବିଦ୍ୟାଳୟର କୁଳପତି ହିସାବରେ ସେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ।''
A young student resorting to self-immolation in one of #Odisha’s premier Universities is both shocking and deeply distressing. I fervently pray to Lord Jagannatha for her swift recovery from the grievous burn injuries.
— Naveen Patnaik (@Naveen_Odisha) July 13, 2025
She was allegedly subjected to relentless sexual harassment…
କହି ରଖୁଛି କି, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ପ୍ରାଧ୍ୟାପକଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଁ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏବେ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଛି । ଆଗାମୀ ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏମ୍ସ ପକ୍ଷରୁ ୮ ଜଣିଆ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ହୋଇଛି । ଘଟଣାରେ ଏଫ୍ଏମ୍ କଲେଜ ଅଧ୍ୟକ୍ଷ ନିଲମ୍ବତ ଓ ଏଚଓଡି ଗିରଫ ହୋଇଛନ୍ତି ।