ବାସୁଦେବପୁର,୨୬।୮ : ବାସୁଦେବପୁର ଥାନା ଜଗନ୍ନାଥପୁର ଓ ପଢୁଆଁ ଗ୍ରାମରେ ଗତ ମାସ ୧୮ ତାରିଖରେ ଘରେ ପଶି କିଛି ଦୁର୍ବୃତ୍ତ ସଶସ୍ତ୍ର ଡକାୟତ କରିଥିଲେ। ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ସୁନା ଅଳଙ୍କାର ଜବତ କରିଛି। ଏହି ଲୁଟେରାମାନେ ହେଲେ ତିହିଡି ଅଞ୍ଚଳର ପ୍ରଶାନ୍ତ ଜେନା, ଜୟପ୍ରକାଶ ପତି, ଭଣ୍ଡାରିପୋଖରୀ ଅଞ୍ଚଳର ଅନନ୍ତ ଚରଣ ନାୟକ, ବଂଶଡା ଅଞ୍ଚଳର ପିଣ୍ଟୁ ପୁଥାଳ ଓ ବାସୁଦେବପୁର ତେନ୍ତୁଳିଆ ଗ୍ରାମର ସିପୁ ମଲ୍ଲିକ।
ଡକାୟତମାନେ ବାସୁଦେବପୁର ମ୍ୟୁନିସିପାଲିଟି ତେନ୍ତୁଳିଆ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ୫ ଜଣ ମେଳିବାନ୍ଧି ବସିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା। ପଚରା ଉଚରା ବେଳେ ସେମାନେ ସମସ୍ତ ଡକାୟତି ଘଟଣାକୁ ସ୍ୱୀକାର କରିଥିଲେ। ପରେ ପୋଲିସ ସେମାନଙ୍କ ଠାରୁ ଦୁଇ କିଲୋ ରୁପା, ଅଢେଇ ଭରି ସୁନା, ଦୁଇଟି ଧାରୁଆ ଅସ୍ତ୍ର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଦେଶୀ ବନ୍ଧୁକ ସହିତ ନଗଦ ଏକ ଲକ୍ଷ ୧୦ ହଜାର ଟଙ୍କା ଓ ଏକ ବାଇକ ଜବତ କରିଥିଲେ। ଏହି ଡକାୟତଙ୍କୁ ପୋଲିସ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି। ସଦର ଏସଡିପିଓ ବିଚିତ୍ରା ନନ୍ଦ ସେଠୀ, ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।