ରାଜନୈତିକ ଦଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁମନ୍ତ୍ର, ୫ ବର୍ଷର ଆୟ ବିବରଣୀ ବାଧ୍ୟ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ନିର୍ବାଚନ ନିୟମାବଳିରେ ବହୁ ପରିବର୍ତ୍ତନ ଆସିଛି । ଏଣିକି ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନପତ୍ରରେ ୫ ବର୍ଷର ଆୟ ବିବରଣୀ ଦାଖଲ ବାଧ୍ୟତାମୂଳକ କରାଯାଇଛି । ପାନ୍ ନମ୍ବରକୁ ନାମାଙ୍କନପତ୍ର ସତ୍ୟପାଠରେ ଉଲ୍ଲେଖ କରିବାକୁ ହେବ । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ସମସ୍ତ ରାଜନୈତିକ ଦଳକୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି ।
ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଆୟୋଗ ଜାରି କରିଥିବା ନୂଆ ନିର୍ଦ୍ଦେଶାବଳି ସମ୍ପର୍କରେ ଅବଗତ କରାଇବାକୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେ କହିଛନ୍ତି, ନିର୍ବାଚନ ଆୟୋଗ ସତ୍ୟପାଠ ପାଇଁ ଥିବା ଫର୍ମ-୨୬ରେ ପରିବର୍ତ୍ତନ ଆଣିଛନ୍ତି । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କୁ ଏହି ସତ୍ୟପାଠରେ ୫ ବର୍ଷର ଆୟକର ରିଟର୍ଣ୍ଣର ବିବରଣୀ ଦେବାକୁ ହେବ । ଯେଉଁ ପ୍ରାର୍ଥୀମାନଙ୍କର ପାନ୍ ନାହିଁ, ସେମାନଙ୍କୁ ତୁରନ୍ତ ଏଥିପାଇଁ ଆବେଦନ କରିବାକୁ ପଡ଼ିବ ଓ ଆବେଦନ ରସିଦର ନକଲ ଦାଖଲ କରିବାକୁ ପଡ଼ିବ । ଏପରିକି ଫର୍ମ-୨୬ର ସବୁ ସ୍ତମ୍ଭକୁ ପ୍ରାର୍ଥୀ ଦାଖଲ କରିବାକୁ ବାଧ୍ୟ । ନଚେତ ସେମାନଙ୍କର ପ୍ରାର୍ଥିପତ୍ର ନାକଚ ହେବାର ଆଶଙ୍କା ରହିଛି ।
ଶ୍ରୀ କୁମାର ଜଣାଇଛନ୍ତି ଯେ ଯେଉଁ ପ୍ରାର୍ଥୀମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ସେମାନଙ୍କୁ ନାମାଙ୍କନ ଦାଖଲ ପରଠାରୁ ନିର୍ବାଚନ ପ୍ରସାର ଶେଷହେବା ମଧ୍ୟରେ ୩ ଥର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ସୂଚନା ଦେବାକୁ ହେବ । ଫଳରେ ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ବିସ୍ତୃତ ଭାବେ ଜାଣିପାରିବେ ।
ଏ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଇଭିଏମ୍ ମେସିନ୍ର ର୍ୟାଣ୍ଡମାଇଜେସନ୍, ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍, ବାଲାଟ୍ ୟୁନିଟ୍, ଭିଭିପ୍ୟାଟ୍ ପେୟାରିଂ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିକଶିତ ହୋଇଥିବା ସି-ଭିଜିଲ୍ ଆପ୍ ଜରିଆରେ ସାଧାରଣ ନାଗରିକମାନେ କିଭଳି ନିର୍ବାଚନ ସମ୍ପର୍କିତ ଗଣ୍ଡଗୋଳ, ଟଙ୍କା ବଣ୍ଟା ଦୃଶ୍ୟକୁ ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆଣିପାରିବେ, ଶ୍ରୀ କୁମାର ରାଜନୈତିକ ଦଳ ପ୍ରତିନିଧିଙ୍କୁ ଜଣାଇଥିଲେ । ଭୋଟରଙ୍କ ଅବଗତି ପାଇଁ ଚଳିତ ଥର ଇଭିଏମ୍ରେ ରାଜନୈତିକ ଦଳର ଚିହ୍ନ ସହ ପ୍ରାର୍ଥୀଙ୍କ ଫଟୋ ରହିବ । ଏହି ଅବସରରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ସେ ସବୁ ଦଳର ସହଯୋଗ କାମନା କରିଥିଲେ ।
ବୈଠକରେ ବିଜେଡିର ଅମର ପଟ୍ଟନାୟକ ଯୋଗଦେଇ ରାଜ୍ୟରେ ୪ ପର୍ଯ୍ୟାୟ ବିଶିଷ୍ଟ ମତଦାନକୁ ନେଇ ଦଳର ଅସନ୍ତୋଷ ସମ୍ପର୍କରେ ସିଇଓଙ୍କୁ ଅବଗତ କରାଇଥିଲେ । ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ୫୦% କମିଥିବା ସତ୍ତେ୍ୱ ୪ ପର୍ଯ୍ୟାୟ ମତଦାନର କୌଣସି ଆବଶ୍ୟକତା ନ ଥିଲା ବୋଲି କହିଥିଲେ । ସୂଚନା ଥାଉକି, ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ତାଗିଦ ସତ୍ତେ୍ୱ ହୋର୍ଡିଂ, ପୋଷ୍ଟର, ବ୍ୟାନର ହଟି ନ ଥିବା କାରଣରୁ କଂଗ୍ରେସର ପ୍ରତିନିଧି ଶିବାନନ୍ଦ ରାୟ ଫେରାଦ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପିର ସମୀର ମହାନ୍ତି, ଜୟନ୍ତ କୁମାର ରାୟ, ବିଜେଡିର ସସ୍ମିତ ପାତ୍ର, ଏନ୍ସିପିର ଏସ୍ ମକ୍ସଦ୍ ଅଲ୍ଲୀ, ବହୁଜନ ସମାଜବାଦୀ ପାର୍ଟିର ଟଙ୍କଧର ବାଗ୍, ସିପିଆଇର ଡ. ସୌରୀବନ୍ଧୁ କର, ଡ. ପ୍ରଶାନ୍ତ ମିଶ୍ର ଓ ସିପିଆଇଏମ୍ର ଦୁଷ୍ମନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।