ତେହେରାନ : ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଗତ ଦିନରେ ଇରାନର ସୁପ୍ରିମ ଲିଡର ଅଲୀ ଖାମେନିଙ୍କୁ ବୋମା ମାଡ଼ କରି ହତ୍ୟା କରିଛନ୍ତି। ଏହି ହମଲାରେ ଇରାନର ଅନେକ ବଡ଼ ବଡ଼ ନେତା ଓ କମାଣ୍ଡରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିରେ ପୂରା ମିଡ଼ିଲ ଇଷ୍ଟରେ ଆତଙ୍କ ଖେଳି ଯାଇଥିଲା ଏବଂ ଯୁଦ୍ଧ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ସମୟରେ ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁ ଅଧିକ ଭୟଙ୍କର ରୂପ ଧାରଣ କରିଛି। ଶୁକ୍ରବାର ସକାଳେ ଇସ୍ରାଏଲ୍ ବାୟୁସେନା (IAF) ଇରାନର ରାଜଧାନୀ ତେହେରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲର ପ୍ରାୟ ୫୦ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ୧୦୦ଟି ବୋମା ତେହେରାନ ସହର ମଧ୍ୟଭାଗରେ ଥିବା ପ୍ରମୁଖ ସରକାରୀ କମ୍ପାଉଣ୍ଡ ତଳେ ନିର୍ମିତ ବଙ୍କରଗୁଡ଼ିକ ଉପରେ 'ହେଲଫାୟାର୍' (Hellfire) ବର୍ଷଣ କରି ଏହାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ଦେଇଛନ୍ତି।

ଇରାନ ସୁପ୍ରିମ୍ ଲିଡର ଖାମେନେଇଙ୍କୁ ହତ୍ୟା: ଟ୍ରାଫିକ୍ କ୍ୟାମେରା ହ୍ୟାକ୍ କରି ହମ୍‌ଲା କରିଥିଲା ଇସ୍ରାଏଲ୍

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ର ସୂଚନା ଅନୁଯାୟୀ, ଏହି ଅପରେସନରେ ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ୍'ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋସାଦ୍ ଦ୍ୱାରା ପ୍ରଦତ୍ତ ସଠିକ୍ ତଥ୍ୟ ଆଧାରରେ ବାୟୁସେନା ଜାଣିବାକୁ ପାଇଥିଲା ଯେ, ଇରାନର ସୁପ୍ରିମ ଲିଡର ଖାମେନିଙ୍କ ପାଇଁ ନିର୍ମିତ ଏହି ସୁରକ୍ଷିତ ବଙ୍କରକୁ ବର୍ତ୍ତମାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ବ୍ୟବହାର କରୁଥିଲେ।

ଇସ୍ରାଏଲର ପ୍ରାୟ ୫୦ଟି ଫାଇଟର ଜେଟ୍ ଏହି ଆକ୍ରମଣରେ ସାମିଲ ହୋଇଥିଲେ। ବଙ୍କରକୁ ଭେଦ କରିପାରୁଥିବା ଶକ୍ତିଶାଳୀ ଗାଇଡେଡ୍ ମିସାଇଲ୍ ବ୍ୟବହାର କରି ମାତ୍ର କିଛି ସେକେଣ୍ଡ ମଧ୍ୟରେ ସମଗ୍ର ଭୂତଳ ନେଟୱର୍କକୁ ଧୂଳିସାତ କରାଯାଇଛି। ତେହେରାନର ହୃଦୟ ଭାଗରେ ଥିବା ଏହି ବଙ୍କରଗୁଡ଼ିକ ଅନେକ ରାସ୍ତା ପର୍ଯ୍ୟନ୍ତ ବ୍ୟାପିଥିଲା, ଯେଉଁଠାରୁ ଇରାନର କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍ ପରିଚାଳିତ ହେଉଥିଲା।

ଗତ ଫେବୃଆରୀ ୨୮ ତାରିଖରେ ଏକ ମିଳିତ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ୍ ଏବଂ ଆମେରିକୀୟ ଘାଟି ଉପରେ କ୍ରମାଗତ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରୁଥିଲା। ଏହାର ଜବାବରେ ଇସ୍ରାଏଲ୍ ଇରାନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାମରିକ ଢାଞ୍ଚାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି।