ତେଲ୍ ଆଭିଭ୍, ୦୬/୦୩:  ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ଶନିବାର ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରି ହତ୍ୟା କରିଥିଲା । ଏହି ହମ୍‌ଲା  ତେହରାନର ପାଶ୍ଚର ଷ୍ଟ୍ରିଟ ନିକଟସ୍ଥ ଖାମେନେଇଙ୍କ ଅଫିସ ଉପରେ ହୋଇଥିଲା । ସେଠାରେ ସେ କିଛି ବରିଷ୍ଠ ନେତାଙ୍କ ସହ ବୈଠକ କରୁଥିଲେ । ଏହି ଆକ୍ରମଣରେ ଇସ୍ରାଏଲ ମୋଟ ୩୦ଟି ମିସାଇଲ ପକାଇଥିଲା । ଏଥିରେ ଖାମେନେଇଙ୍କ ସମେତ ୪୦ ଜଣ ଅଧିକାରୀ ପ୍ରାଣ ହରାଇଥିଲେ ।

ଇରାନ ଉପରେ ଏହିଭଳି ଆକ୍ରମଣ ଲାଗି ଇସ୍ରାଏଲ ଅନେକ ବର୍ଷ ଧରି ପ୍ରସ୍ତୁତି ଚଳାଇଥିଲା । ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ‘ମୋସାଦ’ ଓ ‘ୟୁନିଟ ୮୨୦୦’ ତେହରାନର ପ୍ରାୟ ସମସ୍ତ ଟ୍ରାଫିକ୍ କ୍ୟାମେରାକୁ ହ୍ୟାକ୍ କରିଥିଲା । ଏହି କ୍ୟାମେରାର ଫଟୋ ଗୁଡ଼ିକୁ ଏନ୍‌କ୍ରିପ୍ଟ କରି ତେଲ୍ ଆଭିଭ୍ ଓ ଦକ୍ଷିଣ ଇସ୍ରାଏଲରେ ଥିବା ସର୍ଭରକୁ ପଠାଯାଉଥିଲା । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ମଧ୍ୟ ଏହି ଅପରେସନରେ ସହଯୋଗ କରିଥିଲା । ବରିଷ୍ଠ ଅଧିକାରୀଙ୍କ ଅଙ୍ଗରକ୍ଷୀ ଓ ଚାଳକ ନିଜ ଗାଡ଼ିକୁ କେଉଁଠାରେ ପାର୍କ କରୁଥିଲେ, ତାହା ଟ୍ରାଫିକ୍ କ୍ୟାମେରାରୁ ଜଣାପଡ଼ୁଥିଲା ।

ଏହି କ୍ୟାମେରାଗୁଡ଼ିକ ଦ୍ୱାରା ଇସ୍ରାଏଲ୍‌ ଅଧିକାରୀଙ୍କ ସଂକ୍ରାନ୍ତରେ ଅନେକ ତଥ୍ୟ ମିଳୁଥିଲା । ସେମାନଙ୍କ ଘର କେଉଁଠାରେ, ସେମାନେ କେତେବେଳେ ଓ କେଉଁ ରାସ୍ତା ଦେଇ କାର୍ଯ୍ୟାଳୟ ଯାଉଛନ୍ତି, କେଉଁ ନେତାଙ୍କ ସୁରକ୍ଷା ଦାୟିତ୍ୱ ବୁଝୁଛନ୍ତି ବା କାହାକୁ ନେଇ ଯାଉଛନ୍ତି ଆଦି ତମାମ ଖବର ସେମାନେ ରଖୁଥିଲେ । ଏହାକୁ ଗୁଇନ୍ଦା ପେସାରେ ‘ପ୍ୟାଟର୍ନ ଅଫ୍ ଲାଇଫ୍’ କୁହାଯାଏ । ଏହିସବୁ ତଥ୍ୟ ଖାମେନେଇଙ୍କୁ ମାରିବା ଲାଗି ଅନେକ କାମରେ ଆସିଥିଲା । ତେବେ ଏହା ଏକମାତ୍ର ଉପାୟ ନ ଥିଲା । ଇସ୍ରାଏଲ ଏବଂ ସିଆଇଏ ଅନେକ ପ୍ରକାର ଗୁଇନ୍ଦା ତଥ୍ୟ ସଂଗ୍ରହ କରିଥିଲେ । ଇସ୍ରାଏଲ ପାଶ୍ଚର ଷ୍ଟ୍ରିଟ ନିକଟସ୍ଥ ମୋବାଇଲ ଟାୱାରଗୁଡ଼ିକୁ ବି ହ୍ୟାକ୍ କରିଥିଲା । ଯାହାଦ୍ୱାରା ଆକ୍ରମଣ ବେଳେ ଫୋନ ବ୍ୟସ୍ତ ଦେଖାଇବ ଏବଂ ସୁରକ୍ଷା ଟିମ୍କୁ ଚେତାବନୀ ନ ମିଳିବ ।

ଇସ୍ରାଏଲର ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ସେମାନେ ଜେରୁଜେଲମକୁ ଯେମିତି ଭଲ ଭାବେ ଜାଣିଥିଲେ, ଠିକ୍ ସେମିତି ତେହରାନକୁ ବି ଜାଣିଥିଲେ । ଏହାର ପ୍ରତ୍ୟେକ ଗଳିକନ୍ଦି ଓ ଛକ ସ୍ଥାନକୁ ନେଇ ସେମାନେ ଅବଗତ ଥିଲେ । ଏହାସବୁ ଇସ୍ରାଏଲର ୟୁନିଟ ୮୨୦୦ (ସିଗ୍ନାଲ ଗୁଇନ୍ଦା), ମୋସାଦର ହ୍ୟୁମାୟୁନ ସୋର୍ସ ଏବଂ ସେନା ଗୁଇନ୍ଦା ତଥ୍ୟରୁ ସମ୍ଭବ ହୋଇଥିଲା । ସେମାନେ ସୋସିଆଲ ନେଟୱର୍କ ବିଶ୍ଳେଷଣ ନାମରେ ଗାଣିତିକ ନିୟମରୁ କୋଟି କୋଟି ସଂଖ୍ୟାର ଡାଟା ପଏଣ୍ଟ ହାସଲ କରି ନୂଆ ଟାର୍ଗେଟ୍ ଖୋଜିଥିଲେ । ଇସ୍ରାଏଲରେ ଟାର୍ଗେଟିଂ ଗୁଇନ୍ଦା ବେଶ୍ ଜରୁରି । କାହାକୁ ମାରିବା ପାଇଁ ଥରେ ନିଷ୍ପତ୍ତି ନିଆଯିବା ମାତ୍ରେ, ଗୁଇନ୍ଦା ତାହାକୁ ପୂରା କରିବା ଲାଗି ପ୍ରସ୍ତୁତ ହୋଇଯାଏ।

ଅଧିକ ପଢ଼ନ୍ତୁ :- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଆଇର ବଡ଼ ଭୂମିକା, ମୃତ୍ୟୁ ନିଷ୍ପତ୍ତି ନେବ ମେସିନ୍ !