ଦିନକରେ ଜବତ ହେଲା ୫୦ଲକ୍ଷ

source:www.sentinelassam.com
ବିଶୋଇ/ପାଟଣାଗଡ଼/କେନ୍ଦୁଝର/ କୋଇଡ଼ା, ୩୦ା୩(ଆପ୍ର):ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମଟର ପୁଲସି ଯାଞ୍ଚ କରିବାରେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ପ୍ରକାରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଜାର ମୁଖ୍ୟ ଛକରୁ ଶନିବାର ବିଶୋଇ ପୁଲିସ ଏକ କାର(ଡବ୍ଲ୍ୟୁବି୦୨ଏଜେ-୭୯୪୫) ସମେତ ୩୪ ଲକ୍ଷ ୨୪ ହଜାର ୮୩ ଟଙ୍କା ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ଅଟକ ୩ ଜଣ ହେଲେ ଉକ୍ତ କାରର ଡ୍ରାଇଭର ଏମ୍ଡି ଫିରୋଜ, କେନ୍ଦୁଝର ଇନ୍ଫାଷ୍ଟ୍ରକଚର ଡେଭଲପ୍ମେଣ୍ଟ କମ୍ପାନି ଲିମିଟେଡର ସିଏଫ୍ଓ ଦିଲ୍ଲୀପ କୁମାର ସିଂ ଓ ଉକ୍ତ କମ୍ପାନିର କିରାଣୀ ବିପ୍ଳବ ଦାସ ।
ଏମାନେ କେନ୍ଦୁଝରରୁ ଟଙ୍କା ନେଇ କୋଲକାତା ଡିପୋଜିଟ୍ କରିବାକୁ ଯାଉଥିବା କହିଥିବାବେଳେ ନିର୍ବାଚନ ସମୟରେ ଏତେ ପରିମାଣରେ ନଗଦ ଟଙ୍କା ମିଳିବା ନେଇ ପୁଲିସ ଘଟଣାର ତଦନ୍ତ କରୁଛି । ଅନ୍ୟ ଏକ ଘଟଣାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ବ୍ଲକ ବଥର୍ଲା ଛକଠାରେ ପୁଲିସ ପକ୍ଷରୁ ଯାଞ୍ଚ ବେଳେ ଏକ କାର୍ରୁ ୮ଲକ୍ଷ ଟଙ୍କା ଜବତ କରାଯାିଛି । ତେବେ ଏନେଇ ଅଧିକ ତଦନ୍ତ ପରେ ପୁଲିସ ଜବତ ଟଙ୍କା ରଖି କାର୍ ଏବଂ ସଂପୃକ୍ତ ବ୍ୟକ୍ତିକୁ ଛାଡ଼ି ଦେଇଛି । ଟଙ୍କା ନେଇ ଯାଉଥିବା ଖପ୍ରଖୋଲ ବ୍ଲକ ଓଡ଼ିଆପାଲିସ୍ଥିତ ମା’ ସମଲେଶ୍ୱରୀ କପା ମିଲର ମାଲିକ ଚୂଡାମଣି କଟାଙ୍କୁ ପାଟଣାଗଡ଼ ପୁଲିସ ଥାନାକୁ ଧରି ଆଣି ପଚରାଉଚୁରା କରିଥିଲା । ମିଲ୍ ମାଲିକ ଶ୍ରୀ କଟା ଉକ୍ତ ଟଙ୍କା ସବୁ ବ୍ୟାଙ୍କରୁ ଉଠାଇ ଚାଷୀଙ୍କୁ ପ୍ରଦାନ କରିବା ପାଇଁ ନେଉଥିବା କହିଥିଲେ । ଅଧିକ ତଦନ୍ତ କରିବା ନିମନ୍ତେ ଟଙ୍କା ସବୁକୁ ଜବତ କରିବା ସହ ମିଲ୍ ମାଲିକ ଶ୍ରୀ କଟା ଏବଂ ଗାଡିକୁ ଛାଡ଼ି ଦିଆଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲା ଶଙ୍କରପୁର ଛକରୁ ୧ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଛି । ଚମ୍ପୁଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ ଏହି ଟଙ୍କା ନେଇ ଯାଉଥିଲେ ବୋଲି ପୁଲିସ ସୁରାକ ପାଇବା ସହ ଶ୍ରୀ ବାରିକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସ୍ଷ୍ଟାଣ୍ଡ ନିକଟରେ ଗତକାଲି ରାତି ୧୧ଟା ସମୟରେ ପୁଲିସ୍ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଏକ ବୋଲେରୋରୁ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇଙ୍କ ନେତୃତ୍ୱରେ ବଡବିଲରୁ କୋଇଡା ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଓଆର୧୪କ୍ୟୁ ୭୭୦୮ ନମ୍ବର ବିଶିଷ୍ଟ ଆସୁଥିବା ବୋଲେରୋକୁ ପୁଲିସ୍ ଅଟକାଇ ଥିଲା । ଯାଞ୍ଚ ସମୟରେ ଗାଡ଼ିରୁ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି ବୋଲି ତହସିଲଦାର ଶ୍ରୀଭୋଇ ସୂଚନା ଦେଇଛନ୍ତି । ଗାଡ଼ିରେ ବସିଥିବା ରଶ୍ମି ଟ୍ରାନ୍ସପୋର୍ଟ ପିଭିଟି ଲିମିଟେଡର ମ୍ୟାନେଜର ପ୍ରଦୀପ କୁମାର ଅଗ୍ରୱାଲ ବ୍ୟବସାୟିକ କାର୍ଯ୍ୟ ପାଇଁ ଟଙ୍କା ଆଣିଥିବା କହିଥିବା ବେଳେ ଏହାର କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ ।