ବ୍ରହ୍ମପୁର,୨୦।୧୧: ବଡବଜାର ଥାନା ପକ୍ଷରୁ ଶନିବାର ମଧ୍ୟ ରାତ୍ରରେ ସୁକୁଣ୍ଡା ଅଂଚଳର ଗୋଲାଗାଁ ଯିବା ରାସ୍ତାରେ ଏକ ନିର୍ଜନ ସ୍ଥାନରୁ ନକଲି ବିଦେଶୀ ଓ ଦେଶୀ ମଦ ପୁଲିସ ଜବତ କରିଛି । ଏହି ଘଟଣାରେ ପୁଲିସ ଚିଣ୍ଟୁ ରାଉଳ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ଅନ୍ୟ କିଛି ଯୁବକଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ମନ୍ଦିର ନିକଟ ଗୋଲାଗାଁକୁ ଯିବା ରାସ୍ତା ପାଶ୍ୱରେ ଥିବା ଘଂଚ ଜଙ୍ଗଲ ମଧ୍ୟରେ ଏକ ଦେଶୀ ମଦ ଭାଟି ରହିଥିଲା । ଉକ୍ତ ଭାଟି ନିକଟରେ କିଛି ବ୍ୟକ୍ତି ବିଦେଶୀ ମଦ ପ୍ରସ୍ତୁତ କରିବା ସହ ଏକ ଦୋକାନ ଭଳି କରି ସେଠାରେ ବିକ୍ରି କରୁଥିଲେ । ଏ ନେଇ ବଡବଜାର ଥାନା କୌଣସି ସୂତ୍ରରୁ ଖବର ପାଇ ପୁରା ଟିମ୍ ସହ ସେଠାରେ ଚଢଉ କରିଥିଲେ । ଏଥିରେ ପୁଲିସ କିଛି ଯୁବକ ସେଠାରେ ମଦ ପିଉଥିବା ବେଳେ ତାଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି । ସେହିପରି ଘଟଣାରେ ସମ୍ପୃକ୍ତ ଚିଣ୍ଟୁ ରାଉଳ ନାମକ ଯୁବକଙ୍କୁ ସେଠାରୁ ପୁଲିସ ଊଠାଇ ଆଣିଛି । ଚିଣ୍ଟୁଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରୁ ପୁଲିସ ୫୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ୨୦ ଲିଟର ଦେଶୀ ମଦ ଜବତ କରିଛି । ତେବେ ଅଟକ ଥିବା ଯୁବକମାନେ ସେଠାରେ କଣ କରୁଥିଲେ ସେ ନେଇ ପଚରାଉଚରା ଜାରି ରଖିଛି ।