ନୂଆଦିଲ୍ଲୀ ୧୧/୧୧: ଆମେରିକା ୱିସକନ୍ସିନ୍ରେ ଚଳିତ ସପ୍ତାହରେ ୫୦ ବର୍ଷ ପୁରୁଣା ଏକ ମର୍ଡର ମିଷ୍ଟ୍ରିର ସମାଧାନ ହୋଇଛି । ୧୯୭୪ ମସିହାରେ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ମିନସୋଟାର ୮୪ ବର୍ଷୀୟ ଜନ୍ ମିଲର ଗୁରୁବାର ଗିରଫ ହୋଇଛନ୍ତି । ସେ ନିଜର ଦୋଷ ସ୍ୱୀକାର କରିଥିବାବେଳେ ଏବେ ମିନସୋଟାର ଷ୍ଟିଲ କାଉଣ୍ଟି ଜେଲ୍ରେ ଅଛନ୍ତି । ତାଙ୍କୁ ଶୀଘ୍ର ୱିସକନ୍ସିନ୍ ଅଣାଯିବ । ଡୁନ୍ କାଉଣ୍ଟି ଶେରିଫ କେଭିନ୍ ବାୟଗଡ୍ଙ୍କ କାର୍ଯ୍ୟାଳୟ ଅନୁସାରେ, ୧୯୭୪ ମସିହା ଫେବ୍ରୃଆରୀ ୧୫ ତାରିଖରେ ୱିସକନ୍ସିନର ସ୍ପ୍ରିଙ୍ଗ ବ୍ରୁକ୍ ଟାଉନ୍ଶିପ୍ରେ ଏକ ଛକରୁ ମେରୀ କେ ସ୍ଲାଇସ୍(୨୫)ଙ୍କ ମୃତଦେହ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସେତେବେଳେ କୁହାଯାଇଥିଲା ।
ପ୍ରାଥମିକ ତଦନ୍ତରୁ ଶିକାଗୋରେ ଏକ କଳା ଶୋ’ରେ ଯୋଗଦେବା ଲାଗି ଲିଫ୍ଟ ମାଗୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ପରେ ଦଶନ୍ଧି ଧରି ମାମଲାର ସମାଧାନ ଲାଗି ଉଦ୍ୟମ କରିଥିଲେ ଏକାଧିକ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ଗୁପ୍ତଚରମାନେ । ମିଳିଥିବା ପ୍ରମାଣକୁ ବାରମ୍ବାର ପରୀକ୍ଷା କରାଯାଇଥିଲା । କିନ୍ତୁ କୌଣସି ସଫଳତା ମିଳିନଥିଲା । ଗତ କିଛି ବର୍ଷ ହେଲା ଡୁନ୍ କାଉଣ୍ଟି ଶେରିଫ୍ଙ୍କ ଅଫିସ୍ ଏଥିଲାଗି ନ୍ୟୁଜର୍ସି ରାମାପୋ କଲେଜର ଜେନେଟିକ୍ ଜେନେଲୋଜିଷ୍ଟଙ୍କ ସହିତ କାମ କରିବା ପରେ ଜେନେଟିକ୍ ପ୍ରମାଣ ବ୍ୟବହାର କରି ମିଲରଙ୍କୁ ସନ୍ଦିଗ୍ଧ ଭାବେ ଚିହ୍ନଟ କରିବାରେ ସକ୍ଷମ ହୋଇଛି ।

କେଭିନ୍ ବାୟଗଡ୍ କହିଛନ୍ତି, ଜେନେଟିକ୍ ଜେନେଲୋଜି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଲାଗି ତାଙ୍କର ପାରିବାରିକ ଇତିହାସ ସହିତ ଡିଏନ୍ଏ ବିଶ୍ଳେଷଣକୁ ସାମିଲ କରିଥାଏ । ଏହି ପ୍ରକ୍ରିୟା ଜଟିଳ ଓ ବ୍ୟୟବହୁଳ ହୋଇପାରେ । କିନ୍ତୁ ଏଥିଲାଗି ସେମାନଙ୍କୁ ରାମାପୋ କଲେଜ ମୂଲ୍ୟବାନ ସହାୟତା ପ୍ରଦାନ କରିଛି । ଏହି ମାମଲାରେ ମିଲର ପୋଷ୍ୟପୁତ୍ର ହୋଇଥିବାରୁ ତାଙ୍କର ପରିବାର ସଂପର୍କିତ ଗବେଷଣା ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ତଦନ୍ତକାରୀମାନେ ଏହି ଚାଲେଞ୍ଜକୁ ସଫଳତାପୂର୍ବକ ଅତିକ୍ରମ କରିଛନ୍ତି । ତେବେ ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଲାଗି କେଉଁ ଡିଏନ୍ଏ ପ୍ରମାଣ ବ୍ୟବହାର କରାଯାଇଛି ତାହା କୁହାଯାଇନାହିଁ । ସେହିପରି ଏହାର ତଦନ୍ତ କରୁଥିବା ଅଧିକାଂଶ ତଦନ୍ତକାରୀଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଯେଉଁ କେତେଜଣ ବଞ୍ଚିଛନ୍ତି ସେମାନଙ୍କୁ ଦୋଷୀ ଧରାପଡି଼ଥିବା ଖବର ଜଣାଇବାକୁ ଉତ୍ସାହିତ ଥିବା ବାୟଗଡ୍ ପ୍ରକାଶ କରିଛନ୍ତି । ଅନ୍ୟପଟେ ମୃତା ସ୍ଲାଇସଙ୍କ ପରିବାର ଏଥିଲାଗି ତଦନ୍ତକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।