ଭୁବନେଶ୍ବର, ୦୯/୧୨: ବିଦେଶ ମାଟିରେ ଯାଉଛି ଦାଦନ ଶ୍ରମିକଙ୍କ ଜୀବନ । ଗତ ୫ ବର୍ଷ ମଧ୍ୟରେ ୫୧୮ଜଣ ଦାଦନ ପ୍ରାଣ ହରାଇଛନ୍ତି । ଦେଶ ବାହାରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ବିଧାନସଭାର ଶୀତ ଅଧିବେଶନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀ ବିଧାନସଭାରେ ରଖିବା ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ମୋଟ୍ ୫୧୮ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲାରେ ୬୦ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି । ସେହିପରି ଦ୍ବିତୀୟରେ ଗଞ୍ଜାମ ଜିଲ୍ଲା ରହିଛି । ଗଞ୍ଜାମ ଜିଲ୍ଲାରୁ ବାହାର ଦେଶକୁ କାମ କରିବାକୁ ଯାଇ ୫୬ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୩୮ଜଣ, କନ୍ଧମାଳରେ ୩୪ଜଣ, ନବରଙ୍ଗପୁର ୩୫ଜଣ, ରାୟଗଡାରେ ୩୪ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୫ ମୃତ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗୃହରେ ଉତ୍ତର ରଖିଛନ୍ତି ।