ଆଜ୍ତକ୍-କାର୍ବି ସର୍ଭେ, ମୋଦିଙ୍କ କାମରେ ୫୪% ଲୋକ ଖୁସ୍

ନୂଆଦିଲ୍ଲୀ,୨୩ ।୧(ଏଜେନ୍ସି): ଦେଶରେ ସାଧାରଣ ନିର୍ବାଚନ ଆଉ କିଛି ମାସ ଥିଲାବେଳେ ଆଜତକ ଚ୍ୟାନେଲ ଏବଂ କାର୍ବି ଇନସାଇଟସ ମିଳିତ ଭାବେ ଲୋକଙ୍କ ମୁଡ୍ ଜାଣିବା ପାଇଁ ଏକ ସର୍ଭେ କରିଛନ୍ତି । ଦେଶର ୨୦ଟି ଲୋକସଭା ଆସନରେ ୨୪୭୮ ଜଣ ଲୋକଙ୍କୁ ନେଇ ଏଇ ସର୍ଭେ କରାଯାଇଛି । ଏଥିରେ କୁହାଯାଇଛି କି ଦେଶର ପ୍ରାୟ ୫୪% ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି । କିନ୍ତୁ ୟୁପିରେ ଏହି ହାର ଆହୁରି ଅଧିକ । ସେଠାରେ ୬୮% ଲୋକ ମୋଦିଙ୍କ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସମଗ୍ର ଦେଶରେ ୨୪% ଲୋକ ମୋଦିଙ୍କ କାମକୁ ମୋଟାମୋଟି ଭଲ ବୋଲି କହିଛନ୍ତି । ୨୦% ଲୋକ ମୋଦିଙ୍କୁ ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ମତ ଦେଇଥିଲାବେଳେ ୟୁପିରେ ଏହି ହାର ୧୫% ରହିଛି ।
ମୋଦି ସରକାରଙ୍କ ଦ୍ୱାରା ଦେଶର କେତେକ ସହର, ରେଳ ଷ୍ଟେସନ ଏବଂ ଦ୍ୱୀପର ନାମ ପରିବର୍ତ୍ତନ କରାଯିବା ନିଷ୍ପତ୍ତିକୁ ଦେଶର ୪୯% ଲୋକ ସମର୍ଥନ କରୁଥିଲାବେଳେ ୟୁପିରେ ୫୯% ଲୋକ ସମର୍ଥନ କରୁଛନ୍ତି । ପ୍ରାୟ ସବୁ ଜାତିର ଲୋକେ ଏହାକୁ ସମର୍ଥନ କରିଛନ୍ତି । କିନ୍ତୁ ଦେଶରେ ୪୦% ଏବଂ ୟୁପିରେ ୨୭% ଲୋକ ବି ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଗତ ୫ ବର୍ଷ ଭିତରେ ଦେଶରେ ଅସହିଷ୍ଣୁତା ବଢ଼ିଛି ବୋଲି ୪୧% ଲୋକ କହିଥିଲାବେଳେ ସମାନ ସଂଖ୍ୟକ ଲୋକ ଏପରି ହୋଇନାହିଁ ବୋଲି କହିଛନ୍ତି । ଏହି ସର୍ଭେରେ ଆହୁରି କୁହାଯାଇଛି କି ରାଜନୈତିକ ଦୃଷ୍ଟିରୁ ସବୁଠାରୁ ଅଧିକ ମହତ୍ତ୍ୱ ରଖୁଥିବା ୟୁପିରେ ଯଦି ୨୦୧୪ ସ୍ଥିତି ଭଳି ସମାନ ସ୍ଥିତିରେ ନିର୍ବାଚନ ହୁଏ, ତାହାହେଲେ ବିଜେପିର ଲୋକସଭା ଆସନ ସଂଖ୍ୟା ୭୧ରୁ ୫୭କୁ ହ୍ରାସ ପାଇବ । ଯଦି ସପା ଓ ବସପା ମେଣ୍ଟ ସହ କଂଗ୍ରେସ ହାତ ମିଳାଏ, ତାହାହେଲେ ବିଜେପି ଏଠାରେ ମାତ୍ର ୫ଟି ଆସନ ପାଇବ । ଯଦି ସପା, ବସପା ଓ ଆରଏଲଡି ଏକାଠି ଲଢ଼ନ୍ତି, ତାହାହେଲେ ବିଜେପିର ଆସନ ସଂଖ୍ୟା ୧୮ରେ ସୀମିତ ରହିବ ।