ବଡ଼ଦାଣ୍ଡରେ ପହଞ୍ଚିଲା ୫୭ ଖଣ୍ଡ ରଥ କାଠ

ପୁରୀ/ନୟାଗଡ଼/ଦଶପଲ୍ଲା,୪ା୨(ବ୍ୟୁରୋ/ଆପ୍ର): ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଚଳଚଞ୍ଚଳ ହେଲାଣି । ରଥ ନିର୍ମାଣ ପାଇଁ ପ୍ରଥମ ଦଫାରେ ୨ଟି ଟ୍ରକ୍ରେ ବଡ଼ଦାଣ୍ଡରେ ପହଞ୍ଚିଛି ୫୭ ଖଣ୍ଡ କାଠ । ନୟାଗଡ଼ ବନଖଣ୍ଡ ରେଞ୍ଜ ଏହି କାଠ ଯୋଗାଇଛି । ଏଥିରେ ଧଉରା ୧୨ଫୁଟିଆ ୨୨ଟି, ଅସନ ୧୨ଫୁଟିଆ ୨୦ଟି, ଅସନ ୨୦ଫୁଟିଆ ୧୧ଟି, ଧଉରା ୨୦ଫୁଟିଆ ୪ଟି ରହିଛି । ସେହିଭଳି ଖପୁରିଆସ୍ଥିତ କରତ କଳକୁ ୩୩ଖଣ୍ଡ କାଠ ଯାଇଛି ।
ପ୍ରତି ବର୍ଷ ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ହୋଇଥାଏ । ପୂର୍ବ ବର୍ଷଠାରୁ ୧୯୫ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ରହିଥିଲା । ଚଳିତବର୍ଷ ଆଉ ୬୭୦ ଖଣ୍ଡ କାଠର ଅବଶ୍ୟକତା ରହିଛି । ସେଥିରୁ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡ ରଥଖଳାକୁ ଆସିବ ୩୬୬ କାଠ । କଟକ ଖପୁରିଆସ୍ଥିତ କରତ କଳକୁ ଯିବ ୩୦୪ ଖଣ୍ଡ । ପର୍ଯ୍ୟାୟକ୍ରମେ ସମସ୍ତ କାଠ ପହଞ୍ଚିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି ।
ଶ୍ରୀମନ୍ଦିରର ପ୍ରଥା ଅନୁଯାୟୀ ସରସ୍ୱତୀ ପୂଜା ପୂର୍ବରୁ ରଥଖଳାରେ ପ୍ରଥମ ପର୍ଯ୍ୟାୟ ରଥ କାଠ ପହଞ୍ଚିବ । ଚଳିତ ବର୍ଷ ଦରକାର ଥିବା ୬୪୦ ଖଣ୍ଡ କାଠରୁ ନୟାଗଡ଼ ବନଖଣ୍ଡରୁ ୪୨୬ ଖଣ୍ଡ ଏବଂ ବୈାଦ୍ଧ ବନଖଣ୍ଡରୁ ୨୧୪ ଖଣ୍ଡ କାଠ ପଠାଯିବ । ପଠାଯାଇଥିବା କାଠଗୁଡ଼ିକର ଲମ୍ବ ୧୨ ଫୁଟ ଓ ୨୦ ଫୁଟ ହୋଇଥିବା ବେଳେ ଗୋଲେଇ ୩ରୁ୪ଫୁଟ ରହିଛି । ଅବଶିଷ୍ଟ ୩୩୬ ଖଣ୍ଡ କାଠ ନୟାଗଡ଼ ବନଖଣ୍ଡରୁ ଅକ୍ଷୟ ତୃତୀୟା ପୂର୍ବରୁ ପଠାଯିବ ବୋଲି ସୂଚନା ମିଳିଛି ।
ଆଜି ମଧ୍ୟାହ୍ନରେ ନୟାଗଡ଼ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ୯୦ଖଣ୍ଡ କାଠ ପଠାଯାଇଥିଲା । ସେଥି ମଧ୍ୟରେ ୫୯ ଖଣ୍ଡ ଧଉରା ଓ ୩୧ ଖଣ୍ଡ ଅସନ କାଠ ରହିଥିଲା । ଦୁଇଟି ଟ୍ରକ୍ରେ ଅସନ କାଠ ୩୧ ଓ ଧଉରା କାଠ ୨୬ ଖଣ୍ଡ ପୁରୀକୁ ଆସିଥିଲା । ଆଉ ଏକ ଟ୍ରକ୍ରେ ଅବଶିଷ୍ଟ ୩୩ ଖଣ୍ଡ ଧଉରା କାଠ ଖପୁରିଆ ସ’ମିଲ୍କୁ ପଠାଯାଇଛି । ଦଶପଲ୍ଲା ଜଙ୍ଗଲରୁ ଏହି କାଠ ସଂଗ୍ରହ କରାଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଟ୍ରକ୍ ୩ଟି ଦଶପଲ୍ଲା ଜଙ୍ଗଲରୁ ବାହାରି ନୟାଗଡ଼ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରେ ନୟାଗଡ଼ ଡିଏଫ୍ଓ ଗୋଦାବରୀଶ ପଣ୍ଡା,ଏସିଏଫ ଅରବିନ୍ଦ ମହାନ୍ତି ଓ ବନ ବିଭାଗର କର୍ମଚାରୀମାନେ ବିଧି ଅନୁସାରେ ରଥକାଠକୁ ପୂଜାର୍ଚ୍ଚନା କରିଥିଲେ । ପରେ ଟ୍ରକ୍ଗୁଡ଼ିକ ପୁରୀ ଓ ଖପୁରିଆ ସ’ମିଲ୍ ଅଭିମୁଖେ ଯାତ୍ରା କରଥିଲେ ।