୫୯ ପ୍ରତିଶତ କର୍ମଜୀବୀ ମହିଳା ଆର୍ଥିକ ନିଷ୍ପତ୍ତି ନେବାରେ ନିର୍ଭରଶୀଳ: ସର୍ଭେରୁ ମିଳିଲା ତଥ୍ୟ

ଏବେ ପ୍ରାୟ ମହିଳା ଆର୍ଥିକ ସ୍ୱାବଲମ୍ବୀ, କିନ୍ତୁ ଆର୍ଥିକ ନିଷ୍ପତ୍ତି ନେବାରେ ବହୁ ପଛରେ । ଏପରିକି ପୁରୁଷଙ୍କ ଉପରେ ନିର୍ଭରଶୀଳ ମଧ୍ୟ । ବିବାହ ପୂର୍ବରୁ ବାପା ଝିଅର ଆର୍ଥିକ ନିଷ୍ପତ୍ତି ନେଉଥିବା ବେଳେ ବିବାହ ପରେ ସ୍ୱାମୀ ସେହି ନିଷ୍ପତ୍ତି ନେଇଥାନ୍ତି । ସେ କ’ଣ ନେଇପାରିବନି ଆର୍ଥିକ ନିଷ୍ପତ୍ତି ?
୧୦ ହଜାର ମହିଳାଙ୍କ ଉପରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ୫୯ ପ୍ରତିଶତ କର୍ମଜୀବୀ ମହିଳା ଘର ଖର୍ଚ୍ଚରେ ସକ୍ରିୟ ଭୂମିକା ତୁଲାଉଥିବା ବେଳେ କୌଣସି ଆର୍ଥିକ ଯୋଜନା ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଇଥାନ୍ତି । ୪୪ ପ୍ରତିଶତ ମହିଳା ନିଜର ଆର୍ଥିକ ନିଷ୍ପତ୍ତି ନେବାକୁ ଇଛୁକ ହୋଇ ମଧ୍ୟ କାର୍ଯ୍ୟକାରୀ କରି ନଥାନ୍ତି । ୪୧ ପ୍ରତିଶତ କର୍ମଜୀବୀ ମହିଳା ଘର ଖର୍ଚ୍ଚର ଅଧା ବହନ କରିଥାନ୍ତି । ବୃତ୍ତିଗତ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । କିନ୍ତୁ ନିଷ୍ପତ୍ତି ନେବାରେ ସେମାନେ ବେଶ୍ ପଛରେ ପଡିଛନ୍ତି ।
ବିବାହ ଓ ଆର୍ଥିକ ଯୋଜନା ସବେର୍କ୍ଷଣରୁ ଜଣାପଡିଛି ୮୯ ପ୍ରତିଶତ ବିବାହିତ ମହିଳା ଆର୍ଥିକ ଯୋଜନା ପାଇଁ ସ୍ୱାମୀଙ୍କ ଉପରେ ନିର୍ଭରଶୀଳ । ବିବାହ ପୂର୍ବରୁ ବାପା ଝିଅର ଆର୍ଥିକ ନିଷ୍ପତ୍ତି ନେଉଥିବା ବେଳେ ବିବାହ ପରେ ସ୍ୱାମୀ ସେହି ନିଷ୍ପତ୍ତି ନେଇଥାନ୍ତି । ଏଥିରେ କୁହାଯାଇଛି ଯେ ବିବାହ ପୂର୍ବରୁ ସେମାନେ ୨୦/୨୨ ବର୍ଷର ହୋଇଥିବାରୁ ଆର୍ଥିକ ନିଷ୍ପତ୍ତି ବାପାଙ୍କ ଉପରେ ଛାଡିଥାନ୍ତି । କିନ୍ତୁ ବିବାହ ପରେ ଆର୍ଥିକ ନିଷ୍ପତ୍ତି ନେବାର ସ୍ୱାଧିନତାରେ ବିବାହ ପ୍ରତିବନ୍ଧକ ହୁଏ କି?
ଆର୍ଥିକ ଯୋଜନା ଓ ସ୍ୱାଧୀନତା ସର୍ବେକ୍ଷଣରୁ ଜଣାପଡିଛି ଯେ ୩୯ ପ୍ରତିଶତ ମହିଳାଙ୍କ ପାଇଁ ଆର୍ଥିକ ଯୋଜନା କେବଳ ଘରର ମାସିକ ବଜେଟ୍ ଭିତରେ ସୀମାବଦ୍ଧ । ୪୨ ପ୍ରତିଶତ ମହିଳା ଆର୍ଥିକ ଯୋଜନାକୁ ଭଲ ଭାବେ ବୁଝୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥାନ୍ତି ମାତ୍ର ୧୨ ପ୍ରତିଶତ ଗୃହିଣୀ । କେତେକ ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇଥିଲେ ମଧ୍ୟ କୌଣସି ଆର୍ଥିକ ନିଷ୍ପତ୍ତି ନେବାର ସ୍ୱାଧୀନତା ନଥାଏ । ସେହିପରି ୬୫ ପ୍ରତିଶତ ମହିଳା ଆର୍ଥିକ ନିଷ୍ପତ୍ତି ନିଅନ୍ତି ନାହିଁ । ସର୍ଭେ ଅନୁସାରେ, ମହିଳାମାନେ ନିଜ ପରିବାରର ଆର୍ଥିକ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତି । କିନ୍ତୁ ନିବେଶ କଥା ଉଠିଲେ ସେମାନେ ଏଫ୍ଡିକୁ ଗୁରୁତ୍ୱ ଦେଇଥାନ୍ତି । ଅନ୍ୟାନ୍ୟ ଦିଗରେ ସେମାନେ ସେତେଟା ସକ୍ରିୟ ହୋଇନଥାନ୍ତି । ଅଧିକ କିଛି ନିବେଶ କଥା ଉଠିଲେ ସେମାନେ ନିଜ ଜୀବନସାଥୀ ଉପରେ ଖୁବ୍ ନିର୍ଭରଶୀଳ ରହିଥାନ୍ତି ।
ମାନସିକତାରେ ପରିବର୍ତ୍ତନ ଆବଶ୍ୟକ (ନମ୍ରତା ଚଢା, ସମାଜସେବ)
ଆମ ଭାରତୀୟ ସମାଜରେ ମହିଳାମାନଙ୍କ ରୋଜଗାରକୁ ଦ୍ୱିତୀୟ ରୋଜଗାର ଭାବେ ଗ୍ରହଣ କରାଯାଇଥାଏ । ପୁରୁଷଙ୍କ ରୋଜଗାରକୁ ପ୍ରାଥମିକତା ଦିଆଯାଏ । ମହିଳାଟିଏ ରୋଜଗାର କଲେ, ତାହା ପାରିବାରିକ ଜୀବନଶୈଳୀକୁ ଉନ୍ନତମାନର କରିଥାଏ ବୋଲି ପରିବାର ଲୋକ ତଥା ମହିଳାଟିଏ ନିଜେ ମଧ୍ୟ ଭାବିଥାଏ । ତେଣୁ ସେ ନିଜ ତଥା ପରିବାରର ଭବିଷ୍ୟତ ଚିନ୍ତା କରି ପାରିନଥାଏ । ତେଣୁ ସେ ରୋଜଗାର ଅର୍ଥକୁ ନେଇ କୌଣସି ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ସମ୍ଭବ ହୋଇପାରେନା । ବରଂ ଏଥିପାଇଁ ସ୍ୱାମୀ ବା ପିତା କିମ୍ବା ସନ୍ତାନ ଉପରେ ନିର୍ଭରଶୀଳ ରହିଥାଏ । ସହରାଞ୍ଚଳର କିଛି ମହିଳାଙ୍କୁ ଛାଡି ଦେଲେ ବାକି ସମସ୍ତ କର୍ମଜୀବୀ ମହିଳା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ପୁରୁଷଙ୍କ ଉପରେ ନିର୍ଭର କରିଥାନ୍ତି । କେବଳ ମାନସିକତାରେ ପରିବର୍ତ୍ତନ ଆସିଲେ ହିଁ ସେମାନେ ଆର୍ଥିକ ଯୋଜନା କରିପାରିବେ ।
ପୁରୁଷଙ୍କଠାରୁ ଭଲ ଆର୍ଥିକ ଯୋଜନା କରିପାରିବେ ମହିଳା (ରାଜା ନାରାୟଣ ତ୍ରିପାଠୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ)
ମହିଳାମାନେ ପୁରୁଷମାନଙ୍କଠାରୁ ଉନ୍ନତମାନର ଆର୍ଥିକ ଯୋଜନା କରିପାରିବେ । କିନ୍ତୁ କର୍ମଜୀବୀ ମହିଳା ପାଖରେ ସମୟର ଅଭାବ ରହିଥାଏ । ଅଫିସ୍ କାମ ସାରି ଘରକୁ ଆସିବା ବେଳକୁ ଘରେ ତା’ ପାଇଁ ବିଭିନ୍ନ ପ୍ରକାରର କାମ ଯେପରିକି ପିଲା ଓ ଶାଶୂଶ୍ୱଶୁରଙ୍କ ଦାୟିତ୍ୱ, ଘରକାମ ଓ ରୋଷେଇ ଆଦି ଅପେକ୍ଷା କରିବସିଥାଏ । ଫଳରେ ଆର୍ଥିକ ଯୋଜନା ପାଇଁ ସମୟ ବାହାର କରିବା ଜଣେ ମହିଳା ପାଇଁ ଖୁବ୍ କଷ୍ଟ ହୋଇପଡେ । ଅନ୍ୟପଟେ ଆର୍ଥିକ ଯୋଜନା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ, ସମୟ ଅଭାବରୁ କର୍ମଜୀବୀ ମହିଳାଙ୍କ ପାଇଁ ପ୍ରାୟତଃ ସମ୍ଭବ ହୋଇପାରେନା । ତେଣୁ ସେ ବିଭିନ୍ନ ଆର୍ଥିକ ଯୋଜନାର ଦାୟିତ୍ୱ ସ୍ୱାମୀ ବା ବାପାଙ୍କ ଉପରେ ଛାଡି ଦେଇଥାଏ । ଆର୍ଥିକ ଯୋଜନାରେ ନିର୍ଭରଶୀଳ ହେବା ଭୁଲ୍ ନୁହେଁ, କିନ୍ତୁ ସେସବୁ ବିଷୟରେ ଭଲ ଭାବେ ଅବଗତ ହେବା ଜରୁରି । ନଚେତ୍ ଅନେକ ସମୟରେ ଯୋଜନା ବାସ୍ତବ ଜୀବନରେ କାର୍ଯ୍ୟକାରୀ ହୋଇପାରି ନଥାଏ ।