ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି : ଅଶ୍ୱିନୀ

ଭୁବନେଶ୍ୱର, ୨୯ ।୧୨: ଖୁବ୍ଶୀଘ୍ର ପ୍ରତ୍ୟେକ ଗାଁରେ ମିଳିବ ହାଇକ୍ଲାଲିଟି ମୋବାଇଲ୍ ସେବା । ସେହିପରି ୨୦୨୩ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ । ଓଡ଼ିଶା ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ କହିଛନ୍ତି, ବହୁତ ଦିନ ହେବ ଓଡ଼ିଶାରେ ଏକ ପ୍ରକାର ଭ୍ରାନ୍ତି ସୃଷ୍ଟି କରାଯାଉଛି । ବର୍ଷ ବର୍ଷ ଧରି ରେଳ ଓ ଟେଲିକମ୍ରେ ଓଡ଼ିଶାକୁ ଯାହା ଦେବା କଥା ଦିଆଯାଉନି ବୋଲି କୁହାଯାଉଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ଓଡ଼ିଶାକୁ ୫ ହଜାର ୬ ଶହ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶାରେ ଯେଉଁ ଯେଉଁ ଗାଁରେ ମାବାଇଲ ଟାୱାର ନଥିଲା, ତାର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଗାଁରେ ୪ଜି ନେଟୱାର୍କ ପହଞ୍ଚିବା ଦରକାର ବୋଲି କହିଥିଲେ । ତେଣୁ ଆଉ ଓଡ଼ିଶା ପ୍ରତି ଅବହେଳା କରାଯାଇଛି ବୋଲି କେହି କହିପାରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଯୁକ୍ତି ଦର୍ଶାଇଛନ୍ତି ।

ଅନୁରୁପ ଭାବେ ସେ ରେଳ ଅନୁଦାନ କ୍ଷେତ୍ରରେ କହିଛନ୍ତି, ପୂର୍ବରୁ ରେଳ ଉନ୍ନତି ବାବଦରେ ଓଡ଼ିଶାକୁ ବର୍ଷକୁ ମାତ୍ର ୮ଶହ କୋଟି ଦିଆଯାଉଥିଲା । ସେଥିରେ ବର୍ଷକୁ କେବଳ ୨୦ରୁ ୩୦ କିଲୋମିଟର ରେଳ ଲାଇନ୍ କାମ ହେଉଥିଲା । ହେଲେ ୨୦୧୪ରୁ ମୋଦି ଆସିବା ପରେ ତାହା ବଢ଼ି ଚାଲିଛି । ୨ ହଜାର କୋଟିରୁ ଆସି ଏବେ ୧୦ ହଜାର କୋଟିରେ ପହଞ୍ଚିଛି । ତେଣୁ ଓଡ଼ିଶାକୁ ଅବହେଳା କରିବା କଥା କେହି କହିପାରିବେ ନାହିଁ । ମୋଦିଜି କହିଛନ୍ତି ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ । ରେଳ ଲାଇନ୍ ପାଇଁ କେବଳ ଜମି ଦରକାର । ଏବେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମୟ ରହିଛି । ରାଜନୀତିରୁ ଉଦ୍ଧ୍ୱର୍ରେ ଉଠି ସମସ୍ତେ ଓଡ଼ିଶାର ଉନ୍ନତି ପାଇଁ କାମ କରିବା ବୋଲି ରେଳମନ୍ତ୍ରୀ କହିଛନ୍ତି । ଏବେ ପ୍ରତିବର୍ଷ ୩ଶହ କିଲୋମିଟର ନୂଆ ରେଳଲାଇନ୍ କାମ ହେଉଛି ବୋଲି ସେ କହିଛନ୍ତି ।