ପଞ୍ଚମ ଟ୍ରଫି ସହ ଟିମ୍ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ

ଟିମ୍ ଇଣ୍ଡିଆର ଗସ୍ତ କାର୍ଯ୍ୟକ୍ରମ ଶେଷ ହେବାକୁ ଯାଉଛି । ଆସନ୍ତା କାଲି ସେଡନ ପାର୍କରେ ଅନ୍ତିମ ମୁକାବିଲା ଖେଳି ଭାରତୀୟ ଦଳ ସ୍ୱଦେଶ ଫେରିବ । ଅନ୍ତିମ ମ୍ୟାଚ୍ ସହ ଅନ୍ତିମ ଟାଇଟଲକୁ ମଧ୍ୟ ହାତେଇବାକୁ ଦଳ ଯୋଜନା ପ୍ରସ୍ତୁତ କରିସାରିଛି । ୩ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ଫଳରେ ଆସନ୍ତାକାଲିର ମ୍ୟାଚ୍ ସିରିଜ୍ ଫଳାଫଳ ନିର୍ଣ୍ଣୟ କରିବ । ନ୍ୟୁଜିଲାଣ୍ଡ ମଧ୍ୟ କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି ।
୩ମାସରେ ପଞ୍ଚମ ଟାଇଟଲ: ଗତ ନଭେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରୁ ଭାରତର ଗସ୍ତ ଅଭିଯାନ ଆରମ୍ଭ ହୋଇଥିଲା । ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ୧-୧ରେ ଡ୍ର’ ରହିଥିଲା । ଉଭୟ ଦଳ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । ଏହାପରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍କୁ ୨-୧ରେ ଓ ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ଅଷ୍ଟ୍ରେଲିଆ ଗସ୍ତ ଅଭିଯାନ ଶେଷ କରିଥିଲା ।
ଅଷ୍ଟ୍ରେଲିଆରୁ ନ୍ୟୁଜିଲାଣ୍ଡରେ ପହଞ୍ଚି ଭାରତ ପ୍ରଥମେ ୫ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିଥିଲା । ଏହି ସିରିଜ୍ରେ ଭାରତ ୪-୧ରେ ବିଜୟ ହାସଲ କରିଥିଲା । ବର୍ତ୍ତମାନ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ୧-୧ରେ ବରାବର ରହିଛି ।
ରେକର୍ଡ କରିବେ ରୋହିତ: ଆସନ୍ତାକାଲି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ସେ ଟି-ଟ୍ୱେଣ୍ଟିରେ ଛକା ରେକର୍ଡ ଭଙ୍ଗ କରିପାରନ୍ତି । ଇତି ମଧ୍ୟରେ ରୋହିତ ୧୦୨ଟି ଛକା ମାରି ସାରିଛନ୍ତି । ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପତିଲ ସର୍ବାଧିକ ୧୦୩ଟି ଲେଖାଏଁ ଛକା ମାରିଛନ୍ତି ।
ଆସନ୍ତାକାଲି ଭାରତ ଜିତିଲେ ରୋହିତଙ୍କ ନାମରେ ଆଉ ଏକ ରେକର୍ଡ ନାମିତ ହେବ । ସେ ଅଧିନାୟକ ଭାବେ ୧୨ଟି ମ୍ୟାଚ୍ ଜିତି ସାରିଛନ୍ତି । ସ୍ଥାୟୀ ଅଧିନାୟକ ବିରାଟ କୋହଲି ମଧ୍ୟ ୧୨ଟି ମ୍ୟାଚ୍ ଜିତିଛନ୍ତି । ଆସନ୍ତାକାଲି ସେ କୋହଲିଙ୍କ ଅତିକ୍ରମ କରିବା ସମ୍ଭାବନା ରହିଛି ।
ନ୍ୟୁଜିଲାଣ୍ଡ ଦଳରେ ହେବ ପରିବର୍ତ୍ତନ: ଆସନ୍ତାକାଲି ନ୍ୟୁଜିଲାଣ୍ଡ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ପ୍ରତିଭାବାବନ୍ ପେସ୍ ବୋଲର ସ୍କଟ୍ କୁଗେଲିନ୍ ୨ଟି ମ୍ୟାଚ୍ ଖେଲିସାରିଥିଲେ ହେଁ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଆସନ୍ତାକାଲି ତାଙ୍କୁ ଏକାଦଶରୁ ବାଦ ଦେଇ ଜିମ୍ମି ନିସମଙ୍କୁ ସୁଯୋଗ ମିଳିପାରେ। ସେହିପରି ଫାଷ୍ଟ ବୋଲର ଲୋକି ଫର୍ଗୁସନଙ୍କୁ ବିଶ୍ରାମ ଦେବାକୁ ଦଳ ଚିନ୍ତା କରୁଛି । ଫଳରେ ତାଙ୍କ ସ୍ଥାନରେ ବ୍ଲେୟାର ଟିକ୍ନର ପଦାର୍ପଣ କରିପାରନ୍ତି । ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବ । ଗତବର୍ଷ ଏଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ମୁକାବିଲାରେ ମୋଟ୍ ୩୮୬ ରନ୍ ସଂଗୃହୀତ ହୋଇଥିଲା । ମନ୍ରୋ ଏହି ମ୍ୟାଚ୍ରେ ୧୮ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଫଳରେ ଆସନ୍ତାକାଲି ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ରିଶବ ପନ୍ତ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ୟୁଝବେନ୍ଦ୍ର ଚହଲ ।
ନ୍ୟୁଜିଲାଣ୍ଡ: କେନ ୱିଲାମସନ(ଅଧିନାୟକ), କଲିନ୍ ମନ୍ରୋ, ଟିମ୍ ସାଇଫର୍ଟ, ରସ ଟେଲର, ଡାରିଲ୍ ମିଚେଲ, ଜିମ୍ମି ନିସମ୍,କଲିନ୍ ଡି ଗ୍ରାଣ୍ଡହୋମ୍, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଆଇସ ସୋଦ୍ଧି, ବ୍ଲେୟାର ଟିକ୍ନର