ଯୌତୁକ ସାମଗ୍ରୀ ଜବତ କରିବାକୁ ଯାଇଥିବା ବେଳେ ଏସ୍ଆଇଙ୍କୁ ହତ୍ୟା ଉଦ୍ୟମ, ୬ ଜଣଙ୍କୁ କାବୁ କଲା ପୋଲିସ

ବ୍ରହ୍ମପୁର, ୨୩।୫: ପୁଲିସ ଏବେ ଅସୁରକ୍ଷିତ। ପୁଲିସ ଉପରେ ଆକ୍ରମଣ ହେଉଛି। ଯୌତୁକ ସାମଗ୍ରୀ ଜବତ କରିବାକୁ ଯାଇଥିବା ମହିଳା ଥାନାର ଜଣେ ମହିଳା ଏସ୍ଆଇ ଝୁନୁବାଳା ଶାସମଲଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଝୁନୁବାଳା ଘଟଣାକୁ ନେଇ ଗୋସାଇନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ଥାନା କେସ୍ ନମ୍ବର ୧୪୨/୨୩ରେ ମାମଲା ରୁଜୁ କରି ଜଣେ ନାବାଳକ ସହ ୬ ଜଣଙ୍କୁ କାବୁ କରିଛି। ନାବାଳକଙ୍କୁ ମଙ୍ଗଳବାର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଅନ୍ୟପଟେ ୫ଜଣ ଅଭିଯୁକ୍ତ ବିଶ୍ଵନାଥନଗର ଚାଞ୍ଚଡ଼ାପଡ଼ିଆ ଅଞ୍ଚଳର ଡି.ଗୋବିନ୍ଦ ପାତ୍ର(୪୦), ତାଙ୍କ ଭାଇ ଡି. ଘନ ପାତ୍ର (୩୯), ଘନଙ୍କ ପୁଅ ଡି.ଶିବ ପାତ୍ର (୨୨), ଡି.ଲକ୍ଷ୍ମୀ ପାତ୍ର (୬୫), ଘନଙ୍କ ସ୍ତ୍ରୀ ଡି.ମମି ପାତ୍ର (୩୫)ଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସ ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଜବତ କରିଛି।
ଘଟଣାରୁ ପ୍ରକାଶ ଯେ, ଡି.ମମତା ପାତ୍ର ନାମକ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ସେ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଥାନା ପୁଲିସ କେସ୍ ନମ୍ବର ୭୮/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ଝୁନୁବାଳା ସାସମଲ ଏହାର ତଦନ୍ତ ଭାର ନେଇଥିଲେ। ସେ ପୁଲିସ ଟିମ୍ ସହ ମମତାଙ୍କୁ ସାଙ୍ଗରେ ନେଇ ଗୋସାଇନୂଆଗାଁ ଥାନା ଅନ୍ତର୍ଗତ ବିଶ୍ବନାଥନଗର ଚାଞ୍ଚଡାପଡିଆ ସାହିରେ ଥିବା ମମତାଙ୍କ ଶ୍ୱଶୁର ଘରକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ ଯୌତୁକ ସାମଗ୍ରୀ ଜବତ କରିଥିଲେ । ଅଭିଯୁକ୍ତ ମାନେ ମମତାଙ୍କୁ ମାଡ଼ ମାରି ଡ୍ରେନ୍ରେ ପକାଇ ଦେଇଥିଲେ । ତାଙ୍କୁ ରକ୍ଷା କରିବାକୁ ଯିବାରୁ ଏସ୍ଆଇ ଝୁନୁବାଳା ଓ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ପୁଲିସ ଟିମ୍ ମମତାଙ୍କୁ ସାଙ୍ଗରେ ନେଇସେଠାରୁ ଚାଲି ଆସିଥିଲା। ଏସଆଇ ଝୁନୁବାଳା ଘଟଣା ସମ୍ପର୍କରେ ଗୋସାଇନୂଆଗାଁ ଥାନାରେ ଏତଲା ଦେଇଛନ୍ତି।