ଆଳି,୨୩|୫(ଆପ୍ର): ଅଜଣା ରୋଗ ଖାଲି କରି ଦେଇଛି ଗୋଠ l ଦୁଇ ମାସ ମଧ୍ୟରେ ୬୦ ରୁ ଅଧିକ ଗାଈ ମରିଥିବା ବେଳେ ହତାଶ ହୋଇ ପଡିଛନ୍ତି ଗୋପାଳକ l ଏଭଳି ଘଟଣା ଆଳି ବ୍ଲକ ଅନ୍ତର୍ଗତ ସହିରା ପଞ୍ଚାୟତ ଅଙ୍ଗାରଖ ଗ୍ରାମରେ ଦେଖିବାକୁ ମିଳିଛି l
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କାହାର ଗୋଟେ ଗାଈ ତ କାହାର ସମ୍ପୂର୍ଣ ଗୋଠ ଖାଲି ହୋଇଯାଇଛି l ଏକାଧିକ ଗାଈ ମୃତ ପରେ ଗାଈ ପାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି l ଗତ ଦୁଇ ଦିନରେ ଦୁଇଟି ଗାଈ ମୃତ୍ୟୁ ଘଟିଛି । ବିଗତ ଦୁଇ ମାସ ମଧ୍ୟରେ ସୁଶାନ୍ତ ପରିଡାଙ୍କର ୧୧ ଟି, ସନାତନ ବେହେରା ଓ ଶରତ ପରିଡାଙ୍କର ୬ ଟି ଲେଖାଏଁ ,ମହେଶ୍ୱର ମହାନ୍ତି, ପ୍ରେମାନନ୍ଦ ପରିଡ଼ା ଓ ବିଶ୍ଵନାଥ ବେହେରାଙ୍କ ୩ଟି ଲେଖାଏଁ, ପ୍ରହଲ୍ଲାଦ ପରିଡ଼ା, କାର୍ତ୍ତିକ ପରିଡ଼ା ଓ କୈଳାଶ ମହାନ୍ତିଙ୍କର ୨ଟି ଲେଖାଏଁ ସେଇଭଳି ବିକ୍ରମ ଖିଲାର, ବିଭୁତି ଦାସ, ବିଷ୍ଣୁ ଚରଣ ଦାସ, ପ୍ରଦୀପ ମହାନ୍ତି, ପ୍ରମୋଦ ମହାନ୍ତି, ରାଜକିଶୋର ମହାନ୍ତି ଙ୍କର ଗୋଟିଏକ ଲେଖାଏଁ ଏଭଳି ୬୦ରୁ ଅଧିକ ଗାଈ ମାରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଗୋପାଳକଙ୍କ କହିବା ଅନୁସାରେ ଗାଈ କ୍ଷୀରରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ l ଗୋଟେ ପରେ ଗୋଟେ ଗାଇ ମୃତ୍ୟୁ ଘଟିବା ପରେ ସେମାନେ ଆଳି ପ୍ରାଣୀ ଚିକିତ୍ସାଳୟ କୁ ଅବଗତ କରିଥିଲେ ସୁଦ୍ଧା ସେମାନଙ୍କୁ ବିଭାଗ ତରଫରୁ କୌଣସି ସୁବିଧା ମିଳିନି l ଏନେଇ ଆଳି ପ୍ରାଣୀ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରାଣୀ ଚିକିତ୍ସକ ବଦ୍ରି ନାରାୟଣ ଚାନ୍ଦଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗ୍ରାମବାସୀଙ୍କ ଅଭିଯୋଗ ଭିତ୍ତିହୀନ । ଏନେଇ ସେ ଅବଗତ ଅଛନ୍ତି ଘଟଣା ସ୍ଥଳକୁ ମୋବାଇଲ ଭ୍ୟାନ୍ ପଠାଇ ଗାଈ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି l ଗାଈ ଗୁଡିକ ମଧ୍ୟରେ କୃମି ଅଧିକ ଥିବା ଜଣା ପଡିଛି l ଖୁବ ଶୀଘ୍ର ଜିଲ୍ଲାସ୍ତରୀୟ ମୋବାଇଲ ଟିମ ଘଟଣା ସ୍ଥଳକୁ ପଠାଯିବ l
ଏପଟେ ଗାଈ ମୃତ୍ୟୁ ସେପଟେ ଗାଈ କିଣିବା ପାଇଁ କରିଥିବା କରଜ ଗୋପାଳକ ସୁଝିନାହିଁ l ସେମାନେ ଏବେ କରିବେ କଣ ପରିବାର କେମିତି ଚଳିବେ କେମିତି ସୁଝିବେ କରଜ ଯାହାକୁ ନେଇ ସେମାନେ ଚିନ୍ତାରେ ଭାଙ୍ଗି ପଡିଛନ୍ତି l