ଗୌହାଟୀର ମୁଖ୍ୟ ପାଇପଲାଇନ ବିସ୍ଫୋରଣରେ ୬୦୦ ଲୋକ ପ୍ରଭାବିତ; ଜଣେ ମୃତ, ୩୦ ଆହତ

Image Courtesy: PTI
ନୂଆଦିଲ୍ଲୀ,୨୫/୦୫: ଆସାମର ଗୌହାଟୀ ସହରର ଖାର୍ଗୁଲି ଅଞ୍ଚଳରେ ଗୁରୁବାର ଦିନ ମୁଖ୍ୟ ଜଳ ଯୋଗାଣ ପାଇପଲାଇନରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିସହ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ କୁହାଯାଇଛି। ତେବେ ପାଇପଲାଇନ ଫାଟିବା ପରେ ଜଳର ପ୍ରବାହ ଏତେ ଥିଲା ଯେ, ଏହାଦ୍ବାରା ପ୍ରାୟ ୪୦ ଘରକୁ ପ୍ରଭାବିତ କରିଥିଲା। ଜଳର ପ୍ରବାହରେ ଅନେକ ଅନେକ ଗାଡ଼ି ମଧ୍ୟ ଭାସି ଯାଇଥିଲା।
ଏହି ଘଟଣା ଅପରାହ୍ନ ତିନିଟାରେ ଘଟିଥିଲା। ପାଇପଲାଇନ ଫାଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏଥିରେ ୬୦୦ରୁ ଅଧିକ ଲୋକ ସିଧାସଳଖ ଜଳ ପ୍ରବାହ ଦ୍ୱାରା ପ୍ରଭାବିତ ହୋଇଥିଲେ। ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଥିବା ବେଳେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାଥାଉକି, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଗୌହାଟୀ ମହାନଗର ନିଗମ କର୍ତ୍ତୃପକ୍ଷ (ଜିଏମଡିଏ) ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପ୍ରଭାବିତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ବିସ୍ଫୋରଣର କାରଣ ଜାଣିବା ପାଇଁ ଏକ ଯାଞ୍ଚ ଆରମ୍ଭ କରାଯାଇଛି। ଜିଏମ୍ଡିଏ ପ୍ରଭାବିତ ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଛି ଯେ ଶୀଘ୍ର ଏହି ଅଞ୍ଚଳରେ ଜଳ ଯୋଗାଣ ପୁନରୁଦ୍ଧାର ହେବ।