ମାଲକାନଗିରି,୨୬/୧୧ : ତିନି ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଯୋଗାସନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଲକାନଗିରିସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି - ୭ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରର ଉଦଯାପନୀ ଦିବସରେ ୩୦ଟି ଜିଲ୍ଲାରୁ ଆସିଥିବା ପ୍ରତିଭାଗୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଗ ପ୍ରତିଯୋଗିତା ପ୍ରଦର୍ଶନ ହୋଇଥିଲା। କ୍ରୀଡ଼ା ପତାକା ଅବତରଣ ଓ ଉଦଯାପନୀ ସମାରୋହ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ଜ୍ୟୋତି ପ୍ରକାଶ ପରିଡ଼ା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, କୋରୁକୋଣ୍ଡା ଅସିତ୍ ମିସ୍ତ୍ରୀ ବ୍ଲକ ଶିକ୍ଷାଧିକାରୀ ସୁମିତ ବିଶ୍ୱାସ, ମାଥିଲି ବ୍ଲକ ଶିକ୍ଷାଧିକାରୀ ମମତା ସୟ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତ୍ତିକଚନ୍ଦ୍ର ବେହେରା ମାଲକାନଗିରି ଉପସ୍ଥିତ ଥିଲେ । ଏହି ଯୋଗାସନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଭାଗୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ କିପରି ରାଜ୍ୟ ନୁହେଁ ଦେଶର ନାମ ଉଚ୍ଚା କରିହେବ ସେଥିପ୍ରତି ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ । ଅହରହ ପ୍ରୟାସ ଜାରି ରଖିଲେ ଶ୍ରମ ନିଶ୍ଚିତ ସାକାର ହୋଇପାରିବ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ଉପାଧ୍ୟାୟ ପ୍ରକାଶ କରିଥିଲେ।
ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଭାଗୀରଥି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ପରିଚୟ ପରେ ଅତିଥିମାନଙ୍କ ଦ୍ୱାରା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରା ଯାଇଥିଲା । ପରେ ରାଜ୍ୟରୁ ଆସିଥିବା ପ୍ରତିଭାଗୀଙ୍କ ଦ୍ୱାରା ଜିଲ୍ଲାୱାରୀ ମାର୍ଚ୍ଚପାଷ୍ଟ ହୋଇଥିଲା । ମୁଖ୍ୟ ଅତିଥି ଜିଲ୍ଲାପାଳ ମହୋଦୟଙ୍କ ଦ୍ୱାରା କ୍ରୀଡ଼ା ମଶାଲ ନିର୍ବାପିତ ପରେ ବିଭିନ୍ନ ବର୍ଗର ବିଜେତାମାନଙ୍କୁ ଟ୍ରଫି ବିତରଣ କରାଯାଇଥିଲା । ପରେ ଜିଲ୍ଲାର ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ରାଜ୍ୟରୁ ଆସିଥିବା ସମସ୍ତ ଜିଲ୍ଲା ପ୍ରତିଭାଗୀ, ଗାଇଡ଼ ଶିକ୍ଷକ, ରାଜ୍ୟ ଅଫିସିଆଲ୍ ଟିମ୍, ଜିଲ୍ଲା ଅଫିସିଆଲ୍ ଟିମକୁ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ, ସହଯୋଗ ପାଇଁ ଜିଲ୍ଲାର ନିୟୋଜିତ ସମସ୍ତ ଶିକ୍ଷକ ତଥା ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ଇଶ୍ଵର ରାଓ ଓ ଶିକ୍ଷା କର୍ମଚାରୀଙ୍କୁ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ ଧନ୍ୟବାଦ ଜଣାଇଥିଲ ।