ବ୍ରହ୍ମବରଦା,୧୬/୨(ଆପ୍ର) : ରସୁଲପୁର ବ୍ଲକ ତଥା କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଛକ ନିକଟରୁ ଏକ ସିମେଣ୍ଟ କାରଖାନାରୁ ୭ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶିଶୁ ଅଧିକାର କର୍ମୀ ମଣ୍ଟୁଦାସ କୁଆଖିଆ ଥାନା ଅଞ୍ଚଳରେ ବିଭିନ୍ନ ବ୍ଯବସାୟୀ ଅନୁଷ୍ଠାନ ଓ ହୋଟେଲରେ ଶିଶୁଶ୍ରମିକ ଥିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଜିଲ୍ଲାପାଳ ଅମ୍ବର କୁମାର କର ଶିଶୁଶ୍ରମିକ ଉଦ୍ଧାର ଓ ଥଇଥାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଚାଇଲ୍ଡ ଲାଇନ ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାସ ଓ ଶିଶୁ ଅଧିକାର କର୍ମୀ ମିଳିତ ଭାବରେ ଏହି ବ୍ଯବସାୟୀକ ପ୍ରତିଷ୍ଠାନରେ ଚଢାଉ କରି ୭ ଜଣ ଶିଶୁଶ୍ରମିକ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ଯରୁ କିଛି ଶିଶୁମାନଙ୍କ ବୟସ ୧୪ରୁ କମ ଥିବା ବେଳେ ଦୁଇଜଣ ଶିଶୁ ୧୮ ବର୍ଷରୁ କମ ଥିବାର ଜଣାପଡିଛି। ଶିଶୁମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି। ଏହି ଶିଶୁମାନଙ୍କ ଘର ପଡୋଶୀ ଜିଲ୍ଲାରେ ବୋଲି ଜଣାପଡିଛି।