ନୂଆଦିଲ୍ଲୀ : ସିଭିଲ୍ ନ୍ୟୁକ୍ଲିୟର ଡିଲକୁ ନେଇ ସାଉଦି ଆରବ ସହ ଏକ ବଡ଼ ସର୍ତ୍ତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି କେବଳ ଅଣ-ସାମରିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଏହି ଚୁକ୍ତିରେ ୟୁରେନିୟମ୍ ସମୃଦ୍ଧକରଣର ଅନୁମତି ମିଳିବ ନାହିଁ। ହେଲେ ଟ୍ରମ୍ପ ଏହି ମଞ୍ଜୁରୀ ସହିତ ଏକ ବଡ଼ ସର୍ତ୍ତ ଯୋଡ଼ିଛନ୍ତି। ସେ କହିଛନ୍ତି ଯେ, ଏହି ଡିଲ୍ ସମ୍ପୂର୍ଣ୍ଣ ଭାବେ ସାଉଦି ଆରବ 'ଅବ୍ରାହମ୍ ଆକର୍ଡ୍ସ'ରେ ସାମିଲ ହେବା ଉପରେ ନିର୍ଭର କରିବ। ଟ୍ରମ୍ପ କହିଛନ୍ତି- ଆମେରିକା ଅଣ-ସମୃଦ୍ଧ ସିଭିଲ୍ ନ୍ୟୁକ୍ଲିୟର ଫ୍ୟାସିଲିଟିର ବିରୋଧୀ ନୁହେଁ, କିନ୍ତୁ ଏଥିପାଇଁ ସାଉଦି ଆରବକୁ ଏହି ଶାନ୍ତି ଚୁକ୍ତିର ଅଂଶବିଶେଷ ହେବାକୁ ପଡ଼ିବ।

ଟ୍ରମ୍ପ ରଖିଲେ ସର୍ତ୍ତ-

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ଲେଖିଛନ୍ତି, ଆମେରିକାର ଶକ୍ତି ବିଭାଗ ଏବଂ ସାଉଦି ଆରବ ମଧ୍ୟରେ ଯେଉଁ ସିଭିଲ୍ ନ୍ୟୁକ୍ଲିୟର ଡିଲ୍ ହେବାକୁ ଯାଉଛି (ଯେଉଁଥିରେ କୌଣସି ବି ସାମଗ୍ରୀର ସମୃଦ୍ଧକରଣ ଅର୍ଥାତ୍ ଏନରିଚମେଣ୍ଟ ହେବ ନାହିଁ! ), ତାହା କେବଳ ଅଣ-ସାମରିକ ବ୍ୟବହାର ପାଇଁ। ଏହା ଠିକ୍ ସେହିପରି, ଯେପରି ଇରାନ ଏବଂ ୟୁଏଇ ପାଖରେ ପୂର୍ବରୁ ରହିଛି। ଏହାକୁ ମଞ୍ଜୁରୀ ଦିଆଯିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ସାଉଦି ଆରବର ଅତ୍ୟନ୍ତ ସମ୍ମାନଜନକ ଏବଂ ସଫଳ 'ଅବ୍ରାହମ୍ ଆକର୍ଡ୍ସ'ରେ ସାମିଲ ହେବାର ସର୍ତ୍ତ ଉପରେ ନିର୍ଭର କରିବ।

ଟ୍ରମ୍ପଙ୍କ ଏହି ପୋଷ୍ଟରୁ ସ୍ପଷ୍ଟ ହୋଇଛି ଯେ , ଆମେରିକା ସାଉଦି ଆରବକୁ ପରମାଣୁ ଶକ୍ତି ପ୍ରଯୁକ୍ତିବିଦ୍ୟା ଯୋଗାଇ ଦେବାକୁ ପ୍ରସ୍ତୁତ, କିନ୍ତୁ ଏହାର ବଦଳରେ ସେ ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ଇସ୍ରାଏଲ୍ ସହିତ ସମ୍ପର୍କ ସୁଧାରିବା ନେଇ ଗାରେଣ୍ଟି ଚାହୁଁଛନ୍ତି।

ହୁତି ବିଦ୍ରୋହୀଙ୍କୁ ବି ଚେତାବନୀ-

ଅନ୍ୟ ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ ଲୋହିତ ସାଗରରେ ସାଉଦି ତେଲ ଟ୍ୟାଙ୍କର ଗୁଡ଼ିକ ଉପରେ ହୋଇ ଥିବା ସଦ୍ୟ ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ମନେ ପକାଇ ଦେଇଛନ୍ତି ଯେ, ବର୍ଷକ ପୂର୍ବେ ଆମେରିକା ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ଜବାବରେ ହୁତିମାନଙ୍କ ବିରୋଧରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେ କହିଛନ୍ତି ଯେ, ଆମେରିକା-ଇରାନ ବିବାଦ ସମୟରେ ହୁତିମାନଙ୍କ ବ୍ୟବହାର ଦାୟିତ୍ୱପୂର୍ଣ୍ଣ ଥିଲା, କିନ୍ତୁ ଗତକାଲି ରାତିରେ ଦୁଇଟି ସାଉଦି ଜାହାଜ ଉପରେ ଆକ୍ରମଣ କରି ସେମାନେ ପୁଣି ଥରେ ଅଶାନ୍ତି ସୃଷ୍ଟି କରିଛନ୍ତି।

ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ହୁତି ବିଦ୍ରୋହୀମାନେ ପ୍ରକୃତରେ ଇରାନର ପ୍ରତିନିଧି। ଯଦି ହୁତିମାନେ ଆଗକୁ ବି ଏପରି କାର୍ଯ୍ୟକଳାପ ଜାରି ରଖନ୍ତି, ତେବେ ଆମେରିକା ଏଥିପାଇଁ ସିଧାସଳଖ ଇରାନକୁ ଦାୟୀ କରିବ।

ଆହୁରି ମଧ୍ୟ ପଢନ୍ତୁ -   U.S.-India trade agreement ; ୪ ମାସରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ; ବଢ଼ିବ ଦ୍ୱିପାକ୍ଷିକ ବ୍ୟବସାୟ