ରାସ୍ତାରେ କାର ଡ୍ରାଇଭର ଲୁଟି ନେଲା ୭ ଲକ୍ଷ, ପୋଲିସ ହାତରେ ଧରାପଡିଲା

ଦେବଗଡ,୧୯।୫ ଜଣେ ସୁନା ଗହଣା ବ୍ୟବସାୟୀଙ୍କ ୭ ଲକ୍ଷ ଟଙ୍କା ଲୁଟ କରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ଗୁରୁବାର ଜଣେ ଲୁଟେରା ଡ୍ରାଇଭର୍କୁ ଗିରଫ କରିଛି। ତା’ ପାଖରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଜବତ କରିଛନ୍ତି । ଡ୍ରାଇଭର୍ ଜଣକ ହେଲେ ମୁକୁଳ ସନ୍ତୋଷ ଦାସ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ଗତ ପନ୍ଦର କୋଡିଏ ବର୍ଷ ହେଲା ମୁମ୍ବାଇରେ ରହି ସୁନା ଗହଣା ବେପାର କରୁଥିଲେ । ସେ ମୁମ୍ବାଇରୁ କୋଲକାତା ଅଭିମୁଖେ ନିଜ ଏକ୍ସୟୁଭି କାର ଯୋଗେ ବାହାରି ଥିବାବେଳେ ସାଙ୍ଗରେ ଡ୍ରାଇଭର୍ ଭାବେ ମୁମ୍ବାଇର ଜଣେ ଟ୍ୟାକ୍ସି ଡ୍ରାଇଭର୍ ମୁକୁଳ ସନ୍ତୋଷ ଦାସ କୁ ନେଇ ଯାଉଥିଲେ ।
ବୁଧବାର ରାତିରେ ଉଭୟ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କୈଳାଶ ଛକଠାରେ ଏକ ଢାବା ସମ୍ମୁଖରେ ଗାଡି ମଧ୍ୟରେ ଶୋଇଥିଲେ । ସକାଳ ସମୟରେ ଡ୍ରାଇଭର୍ ମୁକୁଳ ସନ୍ତୋଷ କାର ମଧ୍ୟରେ ବ୍ୟାଗରେ ଥିବା ସାତ ଲକ୍ଷ ଦଶ ହଜାର ଟଙ୍କା ଧରି ଫେରାର ମାରିଥିଲା । ଏନେଇ ନିର୍ମଳ ଚନ୍ଦ୍ର ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଲୁଟେରା ଡ୍ରାଇଭର୍ ମୋବାଇଲ ଟ୍ରାକ କରି ତାକୁ ବଡକୁଦର ଗ୍ରାମ ଥିବା ଟୋଲ ଗେଟ ନିକଟରୁ ଧରି ଥିଲା। ଏଥି ସହ ତା’ ନିକଟରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଜବତ କରିଛନ୍ତି ।