PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସୁନା ବିସ୍କୁଟ୍‌ ଦେବା ନାଁରେ ୭ ଲକ୍ଷ ଲୁଟ୍‌ ମାମଲା: ଫେରାର ଅଭିଯୁକ୍ତ ଧରାପଡ଼ିଲା

ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ସୁନା ବିସ୍କୁଟ୍‌ ଦେବା ନାଁରେ ୭ ଲକ୍ଷ ଟଙ୍କା ଲୁଟିବା ମାମଲାରେ ଫେରାର୍‌ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ ସୁରେଶ ଓରଫ ରମେଶ ମହାନ୍ତି । ଘର ବେଗୁନିଆ କଡ଼ବ । ସେ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, କଟକ କାନପୁର ଥାନା ଅନ୍ତର୍ଗତ ହରିପୁରର ତୋଫାନ ମହାପାତ୍ର ଝାରପଡ଼ାରେ ରହୁଥିଲେ । ତାଙ୍କର ଜଣେ ସଂପର୍କୀୟ ଭାଇ ନଗେନ୍‌ ପଣ୍ଡା ହରିପୁରରେ ଏକ ଜୁଏଲାରୀ ଦୋକାନ କରିଥିଲେ । ଶାସ୍ତ୍ରୀନଗରରେ ରହୁଥିବାରୁ ତୋଫାନଙ୍କର ରାଜେନ୍ଦ୍ର ମହାନ୍ତିଙ୍କ ସହ ଜଣାଶୁଣା ଥିଲା । ତୋଫାନଙ୍କ ସଂପର୍କୀୟ ଭାଇ ଜୁଏଲାରୀ ଦୋକାନ କରିଥିବା ଜାଣିବା ପରେ ରାଜେନ୍ଦ୍ର ତାଙ୍କୁ ଲୁଟିବା ପାଇଁ ଯୋଜନା କରିଥିଲେ । ସେ ତୋଫାନଙ୍କୁ କହିଥିଲେ କି, ମୋର ଜଣେ ବନ୍ଧୁ ସୁନା ବିସ୍କୁଟ୍‌ କାରବାର କରୁଛନ୍ତି । ସେ କମ୍‌ ଟଙ୍କାରେ ସୁନା ଯୋଗାଇ ଦେଉଛନ୍ତି । ତେଣୁ ସୁନା ଦୋକାନ ଦେଇଥିବା ନଗେନ୍‌ଙ୍କୁ କୁହ ତାଙ୍କ ଠାରୁ ସୁନା କିଣିବା ପାଇଁ । ୭ ଲକ୍ଷ ଟଙ୍କା ଦେଲେ ୧୦ ଲକ୍ଷ ଟଙ୍କାର ସୁନା ପାଇବାର ଲୋଭ ଦେଖାଇଥିଲେ ରାଜେନ୍ଦ୍ର । ଗତ ଡିସେମ୍ବର ୨୩ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା ରାମମନ୍ଦିର ନିକଟରେ ସୁନା କିଣାବିକା ପାଇଁ । ତୋଫାନ ଓ ତାଙ୍କ ଭାଇ ନଗେନ୍‌ ଟଙ୍କା ଧରି ରାମମନ୍ଦିର ନିକଟରେ ପହଞ୍ଚିଥିଲେ । ସେମାନେ ରାଜେନ୍ଦ୍ରଙ୍କୁ ଫୋନ୍‌ କରିବାରୁ ରାଜେନ୍ଦ୍ର ତାଙ୍କୁ କହିଥିଲେ କି ସୁନା ଦେବା ପାର୍ଟି ଟାଉନ୍‌ ଭିତରକୁ ସୁନା ଆଣି ଆସିବାକୁ ମନା କରୁଛନ୍ତି । ତେଣୁ ତୁମେ ସନ୍ଧ୍ୟାରେ ଶ୍ୟାମପୁର ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ଆସ । ସନ୍ଧ୍ୟାରେ ତୋଫାନ ଓ ନଗେନ୍‌ ଟଙ୍କା ଧରି ଶ୍ୟାମପୁର ନିକଟ ରାସ୍ତାରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ରାଜେନ୍ଦ୍ର ଛିଡ଼ା ହୋଇଥିଲେ । ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଏହି ସମୟରେ ଏକ ବାଇକ୍‌ରେ ଦୁଇଜଣ ଯୁବକ ସେଠାରେ ପହଞ୍ଚିଥିଲେ । ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରାଇବା ସହ ନଗେନଙ୍କ ହାତରୁ ୭ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପିନେଇ ପଳାଇଥିଲେ । ରାଜେନ୍ଦ୍ରଙ୍କ କହିବା ମୁତାବକ ଉଭୟ ତୋଫାନ, ରାଜେନ୍ଦ୍ର ଓ ଅନ୍ୟମାନେ ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଆସୁଥିଲେ । ତେବେ ଅଧା ବାଟରୁ ରଜେନ୍ଦ୍ର ଖସି ପଳାଇଥିଲେ । ତେଣୁ ତାଙ୍କ ଉପରେ ତୋଫାନଙ୍କର ସନ୍ଦେହ ହୋଇଥିଲା । ଏନେଇ ସେମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଜାନୁଆରୀ ପ୍ରଥମ ସପ୍ତାହରେ ପୁଲିସ କାଳନ୍ଦୀ ସାହୁ ନାମକ ଜଣେ ଲୁଟେରା ଓ ରାଜେନ୍ଦ୍ରଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ଫେରାର୍‌ ଥିବା ରମେଶଙ୍କୁ ପୁଲିସ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।