ଭୁବନେଶ୍ୱର/ମାଲକାନଗିରି ୨୫/୦୭: ୧୫ ବର୍ଷ ଧରି ଛତିଶଗଡ଼ରେ ମାଓ ହିଂସାର ଅନ୍ୟତମ କାର୍ପଟଦାର ସାଜିଥିଲା । ୫  ବର୍ଷ ତଳେ ଓଡିଶାକୁ ଆସି ରାଜ୍ୟ ସମିତି ସଦସ୍ୟ  ଭାବେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼  ଜିଲ୍ଲାରେ ମାଓ ସଂଗଠନର ମଙ୍ଗ ସମ୍ଭାଳିଥିଲା । କେକେବିଏନ୍‌ର ଅଷ୍ଟମ କମ୍ପାନୀ କମାଣ୍ଡର ତଥା ରମଣ ଇର୍ପା ଓରଫ୍‌ ବିକେଶ ମାଓ ସଂଗଠନ ଛାଡ଼ି  ଆତ୍ମସମର୍ପଣ କରିଛି ।   

ବିକେଶ ସହ ଆଞ୍ଚଳିକ ସମିତି ସଦସ୍ୟ (ଏସିଏମ୍‌) ର‌୍ୟାଙ୍କର ଅନ୍ୟ ୬ଜଣ ମାଓ ନେତା  ମଧ୍ୟ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେଥମଧ୍ୟରେ ୩ ଜଣ ଦମ୍ପତି ଅଛନ୍ତି । ସେମାନଙ୍କ ମଧ୍ୟରେ ବିକେଶର ସ୍ତ୍ରୀ ପ୍ରମିଳା ଓରଫ୍‌ ରାମେ କମଲୁ ଅଛି । ଏହାସହ ବିଜିଏନ୍‌ ଡିଭିଜନର  ଏସିଏମ୍‌ ଥିବା ମୈନୁ ଓରଫ୍‌ ହୁଙ୍ଗା ମଦକମ୍‌  ଓ ତା’ ସ୍ତ୍ରୀ ପାରୋ ସିକ୍କା ଓରଫ୍‌ ଶାନ୍ତି, ଲକ୍‌ସେ  ପଦ୍ମିନୀ ଓରଫ ଆଶା ଓ ଡୁକାରୁ ଲେକାମ୍‌ ଓରଫ୍‌  ଦୋରା, ଯୋଗୀ ପଦିଆମ୍‌ ଓରଫ୍‌ ରୈମତୀ ମଧ୍ୟ  ଆତ୍ମସମର୍ପଣ କରିଛନ୍ତି । ଏହି ୭ ଜଣ ମାଓନେତାଙ୍କ  ମୁଣ୍ଡରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।   

ସୂଚନା ମୁତାବକ, ଏହି ୭ ମାଓ ନେତା  କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିରେ ୫ ବର୍ଷ ଧରି  ଅନେକ ମାଓ ହିଂସା ଘଟାଉଥିଲେ । ବିକେଶର ମୁଣ୍ଡ  ପାଇଁ ମୋଟ ୩୫ ଲକ୍ଷ ଟଙ୍କା (ଓଡି଼ଶା ସରକାର ୧୦  ଲକ୍ଷ, ଛତିଶଗଡ଼ ସରକାର ୨୫ ଲକ୍ଷ)ର ପୁରସ୍କାର  ରାଶି ଘୋଷଣା କରିଥିଲେ। ସେହିପରି ପ୍ରମିଳା ପାଇଁ  ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ମୈନୁ,  ଶାନ୍ତି, ଦୋରା ଓ ରୈମତୀ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା ।   

ଆତ୍ମସମର୍ପଣ ପରେ ବିକେଶ ସ୍ୱୀକାର କରିଛି  ଯେ, ବିଗତ ଦିନରେ ଓଡ଼ିଶା ପୁଲିସ ଦ୍ୱାରା ଲଗାତାର  କମ୍ବିଂ ଅପରେସନ ହେବା ଯୋଗୁଁ ମାଓ ସଂଗଠନ  ଦୁର୍ବଳ ହୋଇପଡି଼ଥିଲା । ଆମେ ସମସ୍ତେ ମାନସିକ ଓ  ଶାରୀରିକ ସ୍ତରରେ ଗଭୀର ଭାବେ ଭାଙ୍ଗି ପଡ଼ିଥିଲୁ । ଗୋଟିଏ ଇଲାକାରେ ଦିନଟେ ରହିବା ଆମ ପାଇଁ  କଷ୍ଟସାଧ୍ୟ ହୋଇଉଠିଥିଲା । ସେଥିପାଇଁ ଆମେ  ବାଧ୍ୟ ହୋଇ ଆତ୍ମସପର୍ମଣ କଲୁ । 

ମାଓ ବିରୋଧୀ ଅଭିଯାନର ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍‌ ସଞ୍ଜୀବ  ପଣ୍ଡା କହିଛନ୍ତି, ଏମାନଙ୍କ ଆତ୍ମସମର୍ପଣ ଓଡ଼ିଶା  ପୁଲିସ ପାଇଁ ବଡ଼ ସଫଳତା । ଓଡ଼ିଶାରୁ ମାଓ ଦୁର୍ଗ  ପ୍ରାୟତଃ ଭାଙ୍ଗିଗଲାଣି । ଅନ୍ୟ ମାଓ ନେତା ଯଥାଶୀଘ୍ର  ଆତ୍ମସମର୍ପଣ କରନ୍ତୁ । ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ।   

ସୂଚନାଯୋଗ୍ୟ, ଆସନ୍ତା ୨୮ ତାରିଖରୁ  ମାଓବାଦୀଙ୍କ ସହିଦ୍‌ ସପ୍ତାହ ଆରମ୍ଭ ହେଉଛି ।  ସୁକ୍‌ମା ଜିଲ୍ଲା ପୁଲିସ ପାଖରେ ୫ ଜଣ,  ନାରାୟଣପୁର ଜିଲ୍ଲାରେ ୮, ବିଜାପୁରରେ ୨୫ ଓ  ଦାନ୍ତେୱାଡା ଜିଲ୍ଲାରେ ୧୫ଜଣ ହାର୍ଡକୋର ମାଓବାଦୀ  ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କ  ମୁଣ୍ଡ ଉପରେ ଛତିଶଗଡ଼ ସରକାର ୧୭ ଲକ୍ଷ ଟଙ୍କାର  ପୁରସ୍କାର ରାଶି ଘୋଷଣା କରିଥିଲେ ।