ନୂଆଦିଲ୍ଲୀ ୧୯/୦୫: ଛତିଶଗଡ଼ର ଅମ୍ବିକାପୁରରୁ ଏଭଳି ଏକ ଚୋରି ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଚୋର କଂଗ୍ରେସ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଛନ୍ତି । କାର୍ଯ୍ୟାଳୟରେ ଲାଗିଥିବା ୭୩ ନଳ ଚୋରି କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି ଯିବା ସମୟରେ କାର୍ଯ୍ୟାଳୟ ୱାଶ୍‌ରୁମ୍‌ର ଧୂଳିପୂର୍ଣ୍ଣ ଚଟାଣରେ ହାତରେ ‘ଆଇ ଲଭ୍ ଅମ୍ବିକାପୁର’ ଲେଖିଛନ୍ତି । ସରଗୁଜା ଜିଲ୍ଲାର ମୁଖ୍ୟାଳୟ ଅମ୍ବିକାପୁରରେ ଘଡ଼ି ଛକ ନିକଟରେ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନରେ ଏହି ଘଟଣା ଘଟିଛି । ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ବାଳକୃଷ୍ଣ ପାଠକଙ୍କ ଅନୁସାରେ, ଗତ ୧୪-୧୫ ତାରିଖ ରାତିରେ ଚୋର ଛାତ ଦେଇ କାର୍ଯ୍ୟାଳୟରେ ପଶିଥିଲେ । ସେଠାରେ ଅଲଗା ଅଲଗା ୱାଶ୍‌ରୁମ୍‌ରେ ଲାଗିଥିବା ୭୩ ନଳ ଖୋଲିନେଲେ ।

ଚୋର କେବଳ ନଳ ଚୋରି କଲେ ତାହା ନୁହେଁ, ବରଂ କାର୍ଯ୍ୟାଳୟରେ ଖୁବ୍ ଭଙ୍ଗାରୁଜା ବି କଲେ । ୱାଶ୍‌ରୁମ୍‌ରେ ଲାଗିଥିବା ଅନେକ ୱାଶ୍ ବେସିନ୍, କମୋଡ ଫ୍ଲଶ୍ ସିଷ୍ଟମ୍ ଓ ପାଣି ପାଇପ୍‌ଲାଇନ୍‌କୁ ମଧ୍ୟ ନଷ୍ଟ କରିଦେଲେ । ସିଡ଼ିରେ ଲାଗିଥିବା ଷ୍ଟିଲ୍ ଗ୍ରିଲ୍‌କୁ ଉପାଡ଼ିବାକୁ ଖୁବ୍ ଚେଷ୍ଟା କଲେ, କିନ୍ତୁ ମଜଭୁତ ହୋଇଥିବାରୁ ତାକୁ ନେଇପାରିଲେ ନାହିଁ । ଗ୍ରିଲ୍‌କୁ ଅଟ୍ଟାଳିକାର ଉପର ମହଲାରେ ଛାଡ଼ି ଫେରାର ହୋଇଗଲେ । ୧୫ ତାରିଖ ସକାଳେ କାର୍ଯ୍ୟାଳୟର ଜଗୁଆଳି ରାଜୀବ ଭବନର ତାଲା ଖୋଲିବା ପରେ ଏହି ଘଟଣା ସାମ୍ନାକୁ ଆସିଲା । ଭିତର ଦୃଶ୍ୟ ଦେଖି ସେ ପାର୍ଟିର ନେତାଙ୍କୁ ଫୋନ୍ କଲେ । ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା । ଏହା ନିଶାଗ୍ରସ୍ତ ଓ ଅସାମାଜିକ ବ୍ୟକ୍ତିଙ୍କ ଆତଙ୍କରାଜ ବୋଲି କଂଗ୍ରେସ ଅଧ୍ୟକ୍ଷ ବାଳକୃଷ୍ଣ ପାଠକ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ...Petrol-Diesel Price Hike: ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫ ଦିନରେ ୨ଥର ବଢିଲା ପେଟ୍ରୋଲ-ଡିଜେଲ୍ ଦର