ନୂଆଦିଲ୍ଲୀ,୧୯/୦୫: ସଧାରଣ ଜନତାଙ୍କୁ ସକାଳୁ ସକାଳୁ ଏକ ଝଟକା ଲାଗିଛି । ପୁଣି ତେଲ ଦର ବଢିଛି । ଦେଶରେ ସପ୍ତାହରେ ୨ ଥର ପାଇଁ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ୍-ଡିଜେଲ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ୍ ଲିଟର ପିଛା ୮୭ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୯୧ ପଇସା ବଢିଛି । ଗତ ଶକ୍ରବାର ୩ ଟଙ୍କା ଲେଖାଏଁ ବଢିଥିଲା ପେଟ୍ରୋଲ-ଡିଜେଲ୍ ଦର । ଗତ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତେଲ ମୂଲ୍ୟ ବୃଦ୍ଧି କରାଯାଇଛି । ୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ୯୦ ପଇସା ବୃଦ୍ଧି କରାଯାଇଛି । ଯାହା ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଉପରେ- ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପୂର୍ବରୁ, ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ୧,୦୦୦-୧,୨୦୦ କୋଟି ପର୍ଯ୍ୟନ୍ତ କ୍ଷତି ସହୁଥିଲେ। ଇନ୍ଧନ ମୂଲ୍ୟରେ ପ୍ରତି ଲିଟର ୩ଟଙ୍କା ବୃଦ୍ଧି ପରେ, ସେମାନଙ୍କର ଦୈନିକ କ୍ଷତି ପ୍ରାୟ ୨୫% ହ୍ରାସ ପାଇଲା । ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅଶୋଧିତ ତୈଳ ଯୋଗାଣକୁ ଗୁରୁତର ଭାବରେ ବାଧା ଦେଇଛି । ଯୋଗାଣ ବାଧା ଯୋଗୁଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଅତିକ୍ରମ କରିଛି। ଦୀର୍ଘ ସମୟ ଧରି, ତୈଳ କମ୍ପାନୀଗୁଡ଼ିକ ଅଶୋଧିତ ତୈଳ ମୂଲ୍ୟରେ ଚାଲିଥିବା ବୃଦ୍ଧିର ଭାର ବହନ କରିଥିଲେ । ବର୍ତ୍ତମାନ ସେମାନେ ଏହି ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟର ବୋଝ ସାଧାରଣ ଜନତାଙ୍କ ଉପରେ ଲଦିବା ଆରମ୍ଭ କରିଛନ୍ତି।

ଏହା ବି ପଢନ୍ତୁ...କନ୍ୟାଘର ସାମ୍ନାରେ ବରଯାତ୍ରୀ ଗାଡିକୁ ଧକ୍କା ଦେଲା କଣ୍ଟେନର, ୧୨ ମୃତ, ୩୦ରୁ ଅଧିକ ଆହତ...  

​​​​​​​ଆଜିର ସଦ୍ୟତମ ବୃଦ୍ଧି ପରେ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୭ ଟଙ୍କା ୭୭ରୁ ୯୮.୬୪ରେ ପହଞ୍ଚିଛି ।  ୮୭ ପଇସା ବୃଦ୍ଧି ହୋଇଛି। ସେହିପରି ଡିଜେଲର ମୂଲ୍ୟ ମଧ୍ୟ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇ ୯୧.୫୮ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ, ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇ ୧୦୭ଟଙ୍କା ୫୯ ପାଇସା ଏବଂ ଡିଜେଲର ମୂଲ୍ୟ ୯୪ ପଇସା ବୃଦ୍ଧି ପାଇ ୯୪.୦୮ରେ ପହଞ୍ଚିଛି। କୋଲକାତାରେ, ପେଟ୍ରୋଲ ପ୍ରତି ଲିଟର ପିଛା ୯୬ ପଇସା ବୃଦ୍ଧି ପାଇ ୧୦୯ ଟଙ୍କା ୭୦ ପାଇସାରେ ପହଞ୍ଚିଛି । ଡିଜେଲ ୯୪ ବୃଦ୍ଧି ପାଇ ୯୬.୦୭ରେ ପହଞ୍ଚିଛି ।