ଏହି ବୃଦ୍ଧାଙ୍କ ସ୍ମାର୍ଟୱାର୍କ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ: ବୟସ ୭୫ କିନ୍ତୁ ଆଇଡିଆ ମଡର୍ଣ୍ଣ, ଭିନ୍ନ ଉପାୟରେ କରନ୍ତି ବିଜନେସ୍

source:www.amarujala.com
ସାରା ବିଶ୍ୱ ଡିଜିଟାଲ ଦିଗକୁ ଏତେ ଦ୍ରୁତ ଗତିରେ ଦୌଡୁଛି ଯେ ସବୁଦିନ କିଛି ନା କିଛି ନୂଆ ଏବଂ ଅଜବ ଜିନିଷ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଏହି ସ୍ମାର୍ଟଯୁଗରେ ସ୍ମାର୍ଟ ଲୋକମାନଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । କିଛି ଲୋକ ନିଜର ଅଜବ ଓ ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାର ବିଷୟ ପାଲଟିଯାନ୍ତି । ଠିକ୍ ଏମିତି ଜଣେ ୭୫ ବର୍ଷୀୟା ବୃଦ୍ଧା ନିଜର ସ୍ମାର୍ଟ ୱାର୍କ ପାଇଁ ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି । ଆସନ୍ତୁ ଜାଣିବା ତାଙ୍କର ଭିନ୍ନ କାହାଣୀ ।

ବେଙ୍ଗାଲୁରୁରେ ରହୁଥିବା ୭୫ ବର୍ଷୀୟା ଏହି ବୃଦ୍ଧା ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ହେଉଛି ତାଙ୍କର ମକା ବିକିବାର ନୂଆ ଉପାୟ । ଏହି ବୃଦ୍ଧାଙ୍କ ନାମ ସେଲବମ୍ମା । ସେ ମକା ବିକିବା ପାଇଁ ସୋଲାର ପ୍ୟାନେଲର ବ୍ୟବହାର କରନ୍ତି । ଅବଶ୍ୟ ମକା ବିକିବା ତାଙ୍କର କିଛି ନୂଆ କାମ ନୁହେଁ । ବେଙ୍ଗାଲୁରୁ ବିଧାନସଭା ସାମ୍ନାରେ ୨୦ ବର୍ଷ ହେଲାଣି ସେ ସମସ୍ତଙ୍କୁ ମକା ଖୁଆଇ ଆସୁଛନ୍ତି ।

ତାଙ୍କର ଛୋଟିଆ ଦୋକାନରେ ସୋଲାର ଫ୍ୟାନ୍ ଲଗାଇବାର କାହାଣୀ ମଧ୍ୟ ଅନେକ ମଜାଦାର । ଏତେ ବର୍ଷ ଧରି ସେ ମକା ସେକିବା ପାଇଁ ପଙ୍ଖା(ହାତ ବିଞ୍ଚଣା) ବ୍ୟବହାର କରୁଥିଲେ କିନ୍ତୁ ବୟସ ବଢିବାଫଳରେ ପଙ୍ଖା ବ୍ୟବହାର କରିବାରୁ ତାଙ୍କ ହାତକୁ କଷ୍ଟ ଅନୁଭବ ହେଲା ଏବଂ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଲା । ତାଙ୍କ ପାଖରେ ଏତେ ପଇସା ମଧ୍ୟ ନଥିଲା ଯେ ସେ ସୋଲାର ଫ୍ୟାନ୍ କିଣିପାରିବେ ।

ସେଲବମ୍ମାଙ୍କ ଏହି ଚିନ୍ତା ଦେଖି ସୌର ଶକ୍ତି ଉପରେ କାମ କରୁଥିବା କମ୍ପାନୀ ସେଲ୍କୋ ତାଙ୍କୁ ସୋଲାର ଫ୍ୟାନ୍ ଉପହାର ସ୍ୱରୂପ ଦେଲା । ସୋଲାର ପଙ୍ଖା ପାଇଁ ସେଲବମ୍ମା ବହୁତ ଖୁସି ଓ ଉତ୍ସାହିତ ହୋଇପଡିଲେ । ସେଲବମ୍ମା ଯେଉଁଠି ମକା ବିକନ୍ତି ସେହି ରାସ୍ତାରେ ସେଲ୍କୋର ଅନେକ କର୍ମଚାରୀ ପ୍ରତିଦିନ ଯିବା ଆସିବା କରନ୍ତି । ସେମାନେ ତାଙ୍କର ଏହି ସମସ୍ୟାକୁ ବୁଝିପାରିଲେ ଏବଂ କର୍ମଚାରୀମାନେ ଏକାଠି ହୋଇ ତାଙ୍କୁ ଏହି ଉପହାର ଦେଲେ ।
