PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଜୁଳି ନିଅଣ୍ଟ ୭୫୦ ମେଗାୱାଟ୍‌: ସର୍ବୋଚ୍ଚ ଚାହିଦା ୪,୧୦୦ ମେଗାୱାଟ୍‌

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ବିଜୁଳି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶା କିନ୍ତୁ ବାସ୍ତବରେ ଘୋର ବିଜୁଳି ନିଅଣ୍ଟ ଦେଇ ଗତି କରୁଛି । ଖୋଦ ରାଜ୍ୟ ସରକାର ଶୁକ୍ରବାର ଏମିତି ଖୁଲାସା କରିଛନ୍ତି ।
ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ବର୍ତ୍ତମାନ ପିକ୍‌ ଆୱାରରେ ରାଜ୍ୟର ସର୍ବୋଚ୍ଚ ବିଜୁଳି ଚାହିଦା ୪,୧୦୦ ମେଗାୱାଟ୍‌ । କିନ୍ତୁ ରାଜ୍ୟର ମୋଟ ବିଜୁଳି ଉତ୍ପାଦନ ମାତ୍ର ୩,୩୫୦ ମେଗାୱାଟ୍‌ । ପୁଣି ଏଥିରୁ କେବଳ ୨,୩୫୦ ମେଗାୱାଟ୍‌ ବିଜୁଳି ରାଜ୍ୟ ଭିତରେ ଉତ୍ପାଦନ ହେଉଛି । ବଳକା ୧,୦୦୦ ମେଗାୱାଟ୍‌କୁ ରାଜ୍ୟ ବାହାରୁ ବିଭିନ୍ନ ଉତ୍ସରୁ ଆମଦାନି କରାଯାଉଛି । ଏହାପରେ ବି ରାଜ୍ୟ ପିକ୍‌ ଆୱାରରେ ୭୫୦ ମେଗାୱାଟ୍‌ ବିଜୁଳି ନିଅଣ୍ଟର ସମ୍ମୁଖୀନ ହେଉଛି । ଏହି ନିଅଣ୍ଟ ଭରଣା ପାଇଁ ପାୱାର ବ୍ୟାଙ୍କରୁ ୯୫ ମେଗାୱାଟ୍‌ ଓ ପାୱାର ଏକ୍ସଚେଞ୍ଜରୁ ୬୫୫ ମେଗାୱାଟ୍‌ ଅଣାଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପିକ୍‌ ଆୱାରରେ ରାଜ୍ୟ ଭିତରୁ ୮୯୦ ମେଗାୱାଟ୍‌ ଜଳ ବିଦ୍ୟୁତ, ୧,୩୮୦ ମେଗାୱାଟ୍‌ ତାପଜ ବିଦ୍ୟୁତ, ୮୦ ମେଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ହେଉଛି । ସେହିପରି ରାଜ୍ୟ ବାହାରୁ ଆମଦାନି ହେଉଥିବା ବିଜୁଳିରେ ୧୯୦ ମେଗାୱାଟ୍‌ ଜଳ ବିଦ୍ୟୁତ୍‌, ୭୪୦ ମେଗାୱାଟ୍‌ ତାପଜ ବିଦ୍ୟୁତ୍‌, ୭୦ ମେଗାୱାଟ୍‌ ଅକ୍ଷୟ ଶକ୍ତି ରହିଛି ।
ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କହିଛନ୍ତି, ଗତ ୩ ବର୍ଷ ହେଲା ରାଜ୍ୟର ଜଳ ବିଦ୍ୟୁତ୍‌ ଉତ୍ପାଦନ ବଢ଼ିବାରେ ଲାଗିଛି । ୨୦୧୬-୧୭ରେ ରାଜ୍ୟର ୭ଟି ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୪,୭୭୪.୨୧ ନିୟୁତ ୟୁନିଟ୍‌ ବିଜୁଳି ଉତ୍ପାଦନ ହୋଇଥିଲା । ୨୦୧୭-୧୮ ଓ ୨୦୧୮-୧୯ରେ ଏହା ବୃଦ୍ଧି ଘଟି ଯଥାକ୍ରମେ ୫,୭୩୦.୯୯ ନିୟୁତ ୟୁନିଟ୍‌ ଓ ୬,୩୦୨.୩୯ ନିୟୁତ ୟୁନିଟ୍‌ରେ ପହଞ୍ଚିଛି । ସେହିଭଳି ଚଳିତ ଆର୍ଥିକ ବର୍ଷ ଜୁଲାଇ ୧୧ ସୁଦ୍ଧା ଏହି ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରୁ ୧,୬୦୧.୦୬୮ ନିୟୁତ ୟୁନିଟ୍‌ ବିଜୁଳି ଉତ୍ପାଦନ କରାଯାଇଛି ।

ସେହିଭଳି ଜଳ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ପକ୍ଷରୁ ପ୍ରାୟ ୧,୪୦୦ ମେଗାୱାଟ୍‌ର ଆଉ ୫ଟି ନୂଆ ପ୍ରକଳ୍ପ ସ୍ଥାପନର ଯୋଜନା ରହିଛି । ଉପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ସେହିଭଳି ଅପର କୋଲାବଠାରେ ୩୨୦ ମେଗାୱାଟ୍‌ ଓ ବାଲିମେଳାଠାରେ ୪୦୦ ମେଗାୱାଟ୍‌ର ନୂଆ ପ୍ରକଳ୍ପ ପାଇଁ ଡିପିଆର୍‌ ପ୍ରସ୍ତୁତି ଚାଲୁରହିଛି । କନ୍ଧମାଳ ଜିଲ୍ଲାରେ ୬୩ ମେଗାୱାଟ୍‌ର ଖଡ଼ଗ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ମଧ୍ୟ ଡିପିଆର୍‌ ପ୍ରସ୍ତୁତ କରାଯାଉଛି । ଏହାବାଦ୍‌ ବୌଦ୍ଧ ଜିଲ୍ଲାରେ ସାଲକି ଜଳ ବିଦ୍ୟୁତ୍‌ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଡିପିଆର୍‌ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।