ଭୁବନେଶ୍ୱର, ୧୧/୧୦ : ରାଜ୍ୟର ବନ୍ୟଜନ୍ତୁ ଅଭୟାରଣ୍ୟର ସଂରକ୍ଷିତ ଅଞ୍ଚଳରେ ୭୫୬ଟି ଗାଁ ରହିଛି। ଏଠାରେ ଜନବସତି ରହିଛି ଏବଂ ଲୋକମାନେ ବସବାସ କରୁଥିବା ବନ ବିଭାଗର ବନ୍ୟପ୍ରାଣୀ ଶାଖା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଓଡ଼ିଶାରେ ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି । ସେଥିରୁ ୧୪ଟି ମଧ୍ୟରେ ଜନବସତି ବା କିଛି ଛୋଟ, ବଡ଼ ଗାଁ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସର୍ବାଧିକ ୩୫୮ଟି ଗାଁ ରହିଛି । ଅନୁଗୁଳ-ନୟାଗଡ଼ର ସୀମାନ୍ତରେ ଥିବା ସାତକୋଶିଆରେ ୧୨୫ ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ର କୋଟଗଡ଼ରେ ୬୫ଟି ଗ୍ରାମ ରହିଛି । 

ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ ମୟୂରଭଞ୍ଜର ଶିମିଲିପାଳରେ ମଧ୍ୟ ୫୬ଟି ଜନବସତି ଥିବାବେଳେ ନୟାଗଡ଼ର ବାଇଶିପଲ୍ଲୀରେ ୬୨ଟି ଗାଁ ରହିଛି । ଏଥିସହ ନୂଆପଡ଼ା ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷଣ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ୨୬ଟି ଗ୍ରାମ ଥିବାବେଳେ ସମ୍ବଲପୁର ନିକଟରେ ଉଷାକୋଠି ବା ବଡ଼ରମା ଅଭୟାରଣ୍ୟରେ ୨୭ ଏବଂ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ୧୯ଟି ଗାଁ ରହିଛି । ଢେଙ୍କାନାଳ ଜିଲ୍ଲାର କପିଳାସ ଓ ସମ୍ବଲପୁର ଜିଲ୍ଲାର ଖାଲାସୁନି ବନ୍ୟଜନ୍ତୁ ଅଭୟାରଣ୍ୟର ପ୍ରତ୍ୟେକ ସଂରକ୍ଷିତ ଅଞ୍ଚଳରେ ଗୋଟିଏ ଲେଖାଏଁ ଗାଁ ଥିବାବେଳେ କେନ୍ଦୁଝରର ହଦଗଡ଼ରେ ଦୁଇଟି ଏବଂ ଖୋର୍ଦ୍ଧା ଜିଲ୍ଲାର ଚନ୍ଦକା ଅଭୟାରଣ୍ୟରେ ୩ଟି ଗ୍ରାମ ରହିଛି । ଏହାଛଡ଼ା ପୁରୀ, ଚିଲିକା, ଗହୀରମଥା, ନନ୍ଦନକାନନ ଏବଂ ଡେବ୍ରିଗଡ଼ ଅଭୟାରଣ୍ୟ, ଯେଉଁଠି କୌଣସି ଜନବସତି ନାହିଁ କି ଲୋକେ ବସବାସ କରୁନାହାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । 

ଏହା ସହିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଙ୍କ ଠାରୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ନୀତିଗତ ଅନୁମୋଦନ ପାଇଥିବା ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟକୁ ଜନବସତି ମୁକ୍ତ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଯୋଜନାରେ ସରକାର ସହାୟତା ବି ଦେଉଛନ୍ତି । ୧୯୯୪-୯୫ରୁ ୨୦୨୩-୨୪ ମସିହା ଅର୍ଥାତ୍‌ ୩୦ ବର୍ଷ ମଧ୍ୟରେ ବନ ବିଭାଗ ଶିମିଲିପାଳ, ସାତକୋଶିଆ, ଡେବ୍ରିଗଡ଼, ହଦଗଡ଼ ଏବଂ ଖାଲାସୁନି ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ଗ୍ରାମରୁ ୧୮୫୭ ପରିବାରକୁ ସ୍ଥାନାନ୍ତର କରିପାରିଛି । ଚଳିତ ବର୍ଷ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ, ହଦଗଡ଼ ଏବଂ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଗ୍ରାମଗୁଡ଼ିକରୁ ପ୍ରାୟ ୧୨୮୭ ପରିବାରକୁ ସ୍ୱେଚ୍ଛାକୃତ ସ୍ଥାନାନ୍ତର ପାଇଁ ଏକ ପ୍ରସ୍ତାବ ରହିଛି । 

ରିପୋର୍ଟ ଅନୁଯାୟୀ, ଅଭୟାରଣ୍ୟରୁ ସ୍ଥାନାନ୍ତର ହେଉଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ମିଳୁଛି । ୨୦୨୧-୨୨ ମସିହା ପରଠାରୁ ସଂଶୋଧିତ ଆର୍ଥିକ ସହାୟତା ଦିଆଯାଉଛି । ଯେଉଁଥିରେ ରାଜ୍ୟ ସରକାର ପରିବାର ପାଇଁ ୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ ବ୍ୟତୀତ ପୁନଃ ଥଇଥାନ ପ୍ୟାକେଜ୍‌ ପାଇଁ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ଯାହା ସାତକୋଶିଆ, ଶିମିଳିପାଳ, ହଦଗଡ଼ ଓ ଡେବ୍ରିଗଡ଼ରୁ ୯୬୩ଟି ପରିବାରକୁ ସ୍ଥାନାନ୍ତର କରିବାରେ ବିଶେଷ ସାହାଯ୍ୟ କରିଥିଲା । ପରବର୍ତ୍ତୀ ସମୟରେ ଏହି ଯୋଜନାରେ ୨୦୨୩-୨୪ ମସିହାରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ତୁଲକାରୁ ୨୭୦ ପରିବାର, ଆସନବାହାଲରୁ ୮୮ ଏବଂ ଭୁର୍କୁଣ୍ଡିରୁ ୧୨୬ଟି ପରିବାରକୁ ସ୍ଥାନାନ୍ତର କରିବା ସହଜ ହୋଇଥିଲା । ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ³ ଅଭୟାରଣ୍ୟ ସଂରକ୍ଷିତ ଅଞ୍ଚଳର ସମସ୍ତ ୭୫୬ଟି ଗାଁର ବାସିନ୍ଦାଙ୍କୁ ଧୀରେ ଧୀରେ ବାହାରକୁ ଯିବାକୁ ପ୍ରବର୍ତ୍ତାଯିବ । ଲୋକମାନଙ୍କୁ ସରକାର ସ୍ଥାନାନ୍ତର କରନ୍ତୁ କି ସେମାନେ ସ୍ୱେଚ୍ଛାକୃତ ଭାବେ ସ୍ଥାନାନ୍ତର ହୁଅନ୍ତୁ କିନ୍ତୁ ସରକାରୀ ଯୋଜନା ମୁତାବକ ସମାନ ସୁବିଧା ସୁଯୋଗ ପାଇବେ । ସେମାନେ ବାହାରିଯିବା ପରେ ଖାଲି ସ୍ଥାନଗୁଡ଼ିକ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି ।