କୋଲକାତା, ୦୪/୦୬: ମାଟ୍ରିମୋନି ସାଇଟ୍ରୁ ପରିଚୟ । ଧୀରେ ଧୀରେ ସେମାନଙ୍କ କଥାବାର୍ତ୍ତା ବିବାହର ପ୍ରତିଶ୍ରୁତିରେ ପରିଣତ ହେଲା । ପରେ ଯୁବକ ଯୁବତୀଙ୍କଠାରୁ ସୁନା ଏବଂ ଟଙ୍କା ଆଦାୟ କରିବା ଆରମ୍ଭ କଲେ । ଏହି ପ୍ରକାରେ, ସେ ଜଣଙ୍କ ପରେ ଜଣେ ଅତି କମରେ ୧୫ ଜଣ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଶେଷ ଉଦ୍ୟମ ଫେଲ୍ ମାରିଲା । ତାଙ୍କର ଏକ ଛୋଟ ଭୁଲ ତାଙ୍କୁ ଜେଲକୁ ପଠାଇଦେଲା ।
ଯୁବକର ନାମ ହେଉଛି ମାତୁର ରହମାନ । ସେ କୋଲକାତାର ବୌବଜାରର ବାସିନ୍ଦା । ସେ କିନ୍ତୁ ମାଟ୍ରିମନିରେ ମାଣିକ୍ ରାୟ । ଜାଣିବାକୁ ମିଳିଛି ଯେ ସେ ଏହି ନାମରେ ନୈହାଟିର ଜଣେ ଯୁବତୀଙ୍କୁ ଭେଟିଥିଲେ । ସେ ଦାବି କରିଥିଲେ ଯେ ସେ ବାର୍ଷିକ ଦେଢ କୋଟି ଟଙ୍କା ଦରମାରେ କାମ କରୁଛନ୍ତି । ଏଥିରେ ଯୁବତୀ ଫସିଯାଇଥିଲେ । ଯୁବତୀ କହିଛନ୍ତି ଯେ ସଂପର୍କର କିଛି ଦିନ ମଧ୍ୟରେ ତାଙ୍କ ଉପରେ ଚାପ ବଢିବାକୁ ଲାଗିଲା । ସେ ଟଙ୍କା ଓ ସୁନା ମାଗିବା ଆରମ୍ଭ କଲେ । ଫଳରେ ଯୁବତୀ, ୮୫ ହଜାର ନଗଦ ଟଙ୍କା, ସୁନା ବ୍ରେସଲେଟ୍ ସମେତ ଅନେକ ଜିନିଷ ଦେଲେ । ପ୍ରଥମେ ଯୁବତୀ ସନ୍ଦେହ କରୁନଥିଲେ । ତେବେ ବାରମ୍ବାର ଏହା ଘଟିବାରୁ ସେ ସନ୍ଦେହ କରିବାକୁ ଲାଗିଲେ ।
ମାଣିକ ଓରଫ ମୋତିଉର ଦାବି କଲେ ଯେ ତାଙ୍କ ମାମୁଙ୍କ ମୃତ୍ୟୁ ହୋଇଯାଇଛି । ତେଣୁ ତାଙ୍କର କିଛି ଟଙ୍କା ଆବଶ୍ୟକ । ଟଙ୍କା ଟ୍ରାନ୍ସଫର ପାଇଁ ସେ ଯେଉଁ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ ସେ ମୁମ୍ୱାଇର ବାସିନ୍ଦା । କିନ୍ତୁ ଯୁବତୀ କୌଣସି ପ୍ରକାରେ ଜାଣିପାରିଲେ ଯେ ତାଙ୍କର ପ୍ରକୃତ ଘର ବର୍ଦ୍ଧମାନରେ । ଏହାପରେ ସେ ଯୁବକଙ୍କୁ ଅଧିକ ସନ୍ଦେହ କରିବାକୁ ଲାଗିଲେ । ପରେ, ତାଙ୍କ ପ୍ରେମିକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲଗୁଡ଼ିକୁ ଖୋଜିବା ପରେ ଯୁବକ ସଂପର୍କରେ ଥିବା ମହିଳାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେ ସେମାନଙ୍କ ସହିତ ଯୋଗାଯୋଗ କରି ଜାଣିବାକୁ ପାଇଲେ ଯେ ଏହି ଯୁବକ ସେମାନଙ୍କୁ ମଧ୍ୟ ଠକିଛି । ସେ ୧୫ ଜଣ ମହିଳାଙ୍କୁ ଏହିପରି ବିବାହ କରିଥିଲା । ଏହାପରେ ଯୁବତୀ ଜଣକ ପୁଲିସ ସହିତ ଯୋଗାଯୋଗ କରିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।
ଅଧିକ ପଢ଼ନ୍ତୁ :- CJP Press Conference: ପ୍ରେସ୍ କନଫରେନ୍ସରେ ଗର୍ଜିଲା ‘କାକ୍ରୋଚ୍ ଜନତା ପାର୍ଟି’, ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ରଖିଲା ୪ ବଡ଼ ଦାବି