୨୦୨୪ରୁ ୨୦୩୧ ଆଇସିସିର ନୂଆ କ୍ରୀଡ଼ାସୂଚୀ: ପ୍ରତିବର୍ଷ ଭାରତ-ପାକ୍ ଫାଇଟ୍

ନୂଆଦିଲ୍ଲୀ, ୦୩/୦୫: ୨୦୨୪ରୁ ୨୦୩୧ ଆଇସିସିର ନୂଆ କ୍ରୀଡ଼ାସୂଚୀ ଅନୁସାରେ ଭାରତ ଓ ପାକିସ୍ତାନ ଦଳ ପ୍ରତିବର୍ଷ ମୁହାଁମୁହିଁ ହେବାର ସୁଯୋଗ ପାଇବେ । କାରଣ ଏହି ୮ ବର୍ଷରେ ପ୍ରତି ବର୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ ରହିଛି । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ଉଭୟ ଦଳ ମୁହାଁମୁହିଁ ହେବାର ସୁଯୋଗ ପାଉଛନ୍ତି ।ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ରାଜନୈତିକ ତିକ୍ତତା ଯୋଗୁ ଦୀର୍ଘ ବର୍ଷ ଧରି ଉଭୟ ଦଳ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ ଆୟୋଜନ ବନ୍ଦ ରହିଛି । ପାକିସ୍ତାନ ଏ ଦିଗରେ ବାରମ୍ବାର ଆଗ୍ରହ ପ୍ରକାଶ କରୁଥିଲେ ବି ବିସିସିଆଇ କେନ୍ଦ୍ର ସରକାରଙ୍କ ଅନୁମତି ବିନା କିଛି ବି ପଦକ୍ଷେପ ନେଇ ପାରୁ ନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ କେନ୍ଦ୍ର ସରକାରଙ୍କର ଅନୁମତି ରହିଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯେତେବେଳେ ବି ମ୍ୟାଚ୍ ଖେଳନ୍ତି ତାହା ବିଶ୍ୱକପ୍ ଫାଇନାଲ ଠାରୁ ବି ଅଧିକ ରୋମାଞ୍ଚକର ହୋଇଥାଏ ।
୨୦୨୪ରୁ ୨୦୩୧ ପ୍ରତି ବର୍ଷ ଅତି କମ୍ରେ ଉଭୟ ଦଳ ଥରୁଟିଏ ମୁହାଁମୁହିଁ ହେବାର ସୁଯୋଗ ପାଇବେ। ୨୦୨୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍, ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି, ୨୦୨୬ରେ ଟି-ଟ୍ୱେଣ୍ଟି ବିଶ୍ୱକପ, ୨୦୨୭ରେ ଦିନିକିଆ ବିଶ୍ୱକପ୍, ୨୦୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ, ୨୦୨୯ରେ ଚାମ୍ପିଅନ୍ସ ଟ୍ରଫି, ୨୦୩୦ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏବଂ ୨୦୩୧ରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ୨୦୦୭-୦୮ ଠାରୁ ଭାରତ-ପାକ୍ ମଧ୍ୟରେ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ବନ୍ଦ ରହିଛି । ଏହି ସିରିଜ୍ ଭାରତ ଆୟୋଜନ କରିଥିଲା ଏବଂ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଭାରତ ୧-୦ରେ ଜିତିଥିଲା । ସେମିତି ୨୦୧୨-୧୩ ଠାରୁ ଦିନିକିଆ ସିରିଜ୍ ବନ୍ଦ ରହିଛି । ଏହି ଗସ୍ତରେ ପାକିସ୍ତାନ ୧-୨ରେ ସିରିଜ ପରାଜିତ ହୋଇଥିଲା ।