ନୂଆଦିଲ୍ଲୀ, ୦୨/୦୩: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ । ଇରାନ ଆକଶରେ ତୁହାକୁ ତୁହା ମିସାଇଲ୍ ବର୍ଷା । ଇସ୍ରାଏଲ ଓ ଆମେରିକା ଆକ୍ରମଣରେ ଥରୁଛି ତେହେରାନ । ଇରାନର ସୁପ୍ରିମ ଲିଡର ଆୟୋତୁଲା ଅଲ୍ଲି ଖାମେନେଇଙ୍କ ହତ୍ୟା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି । ଇରାନ ରକ୍ତମୁଖା ହୋଇଯାଇଛି । ଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍ ଓ କୁୱେତ ସହିତ ୮ ଦେଶ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ କରିଛି । ତେବେ ଇରାନ- ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସଂଘର୍ଷ ବର୍ତ୍ତମାନ ସମଗ୍ର ପଶ୍ଚିମ ଏସିଆରେ ଦେଖିବାକୁ ମିଳିଛି ।
ମଧ୍ୟପ୍ରାଚ୍ୟ ଆକାଶରେ ଯୁଦ୍ଧ ଘନଘଟା ପାଇଁ ପରିସ୍ଥିତି ଗମ୍ଭୀର ହୋଇଛି । ଯୁଦ୍ଧ ପାଇଁ ଅନେକ ଦେଶ ନିଜର ଏୟାରସ୍ପେସ୍ ବନ୍ଦ କରିଛନ୍ତି । ଫଳରେ ଶତାଧିକ ବିମାନ ରଦ୍ଦ ହୋଇଛି । କିଛି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଏହାର ପ୍ରଭାବ ବିମାନ ବନ୍ଦର ମାନଙ୍କରେ ଦେଖିବାକୁ ମିଳିଛି । ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ୮ଜଣ ଭାରତୀୟ କୁଏତ୍ ଯିବା ବଦଳରେ ପାକିସ୍ତାନରେ ପହଞ୍ଚିଛନ୍ତି । ବିମାନର ଗତି ପଥ ପରିବର୍ତ୍ତନ ପରେ ସେମମାନ ପଡ଼ୋଶୀ ଦେଶ ପାକିସ୍ତାନରେ ଅବତରଣ କରିଛନ୍ତି ।
କରାଚି ଏୟାର ପୋର୍ଟରେ ପହଞ୍ଚିଗଲେ ୮ ଭାରତୀୟ:
ପଶ୍ଚିମ ଏସିଆରେ ଚାଲୁଥିବା ସଂଘର୍ଷ ବିମାନ ଗୁଡ଼ିକର ରୁଟ୍ ପରିବର୍ତ୍ତନ ହୋଇଛି । ତେଣୁ କେରଳର ୩ଜଣ ସମେତ ୮ଜଣ ଭାରତୀୟ ନାଗରିକ ପାକିସ୍ତାନର କରାଚି ବିମାନବନ୍ଦରରେ ଅଟକି ରହିଛନ୍ତି । ଏହି ସୂଚନା ନୋର୍କା ରୁଟ୍ସ ପକ୍ଷରୁ ଦିଆଯାଇଛି । ନୋର୍କା ରୁଟ୍ସ ହେଉଛି କେରଳ ସରକାରଙ୍କ ଏକ ଏଜେନ୍ସି, ଯିଏ ବିଦେଶ ଯାତ୍ରା କରୁଥିବା ପ୍ରବାସୀ କେରଳବାସୀଙ୍କ ଉପରେ ନଜର ରଖିଥାଏ ଏବଂ ମାମଲାକୁ ସମାଧାନ କରିଥାଏ । ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନର କରାଚି ବିମାନବନ୍ଦରରେ ଅଟକି ଥିବା ୩ଜଣ କେରଳବାସୀଙ୍କ ମଧ୍ୟରେ ପଲକ୍କଡ ନିବାସୀ କୃଷ୍ଣଦାସ, ତାଙ୍କ ପତ୍ନୀ ଡା. ରେଶ୍ମି ମେନନ୍ ଏବଂ ୩ ବର୍ଷର କନ୍ୟା ସନ୍ତାନ ସ୍ମୃତି ମେନନ୍ ଅଛନ୍ତି ।
ନୋର୍କା ଅଧିକାରୀ କହିଛନ୍ତି ଯେ, କେରଳର ଏହି ପରିବାର ଏୟାର ଆରବିଆର ଫ୍ଲାଇଟରେ ଆଜରବାଇଜାନର ବାକୁରୁ ଶାରଜା ହୋଇ କୁଏଟ୍ ଯାତ୍ରା କରୁଥିଲେ । ଅନ୍ୟ ଭାରତୀୟଙ୍କ ମଧ୍ୟ ସେହି ବିମାନରେ ରହିଥିଲେ । ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘୋଟା ଏବଂ ଏୟାରସ୍ପେସ୍ ବନ୍ଦ ଯୋଗୁ ବିମାନର ଗତିପଥ ବଦଳାଇ ପାକିସ୍ତାନରେ ଅବତରଣ କରାଯାଇଥିଲା । ସେଠାରେ ସେମାନେ ଫସିରହିଥିବା କୁହାଯାଉଛି । ଏପଟେ ନୋର୍କା ରୁଟ୍ସ କହିଛି, ଭାରତୀୟ ବିଦେଶ ମନ୍ତ୍ରାଳୟ ସମସ୍ତ ୮ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରହିଛି । ସେମାନଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି ।
ବିଦେଶ ମନ୍ତ୍ରାଳୟ ସକ୍ରିୟ, ଫେରିବେ ଭାରତୀୟ:
ଅଧିକାରୀଙ୍କ କହିବା ଆନୁଯାୟୀ, ବିଦେଶ ମନ୍ତ୍ରାଳୟ ସେମାନଙ୍କୁ କୋଲମ୍ବୋ ମାର୍ଗରେ ଭାରତ ଫେରାଇ ଆଣିବାକୁ ବିଚାର କରୁଛନ୍ତି । ଏହି ଏଜେନ୍ସି ଯୁଦ୍ଧରେ ପ୍ରଭାବିତ ଭାରତୀୟ ଏବଂ ସେମାନଙ୍କ ପରିବାରଙ୍କ ସହାୟତା ପାଇଁ ଏକ ହେଲ୍ପଡେସ୍କ ମଧ୍ୟ ଆରମ୍ଭ କରିଛି । ଏୟାରସ୍ପେସ୍ ବନ୍ଦ ହେବାରୁ ଏହି ପରିସ୍ଥିତି ଉତ୍ପନ୍ନ ହୋଇଛି। କେରଳର ୩ ନାଗରିକ ସମେତ ୮ ନାଗରିକଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆୟଇଛି ।...
ଅଧିକ ପଢ଼ନ୍ତୁ-ଖାମେନେଇଙ୍କୁ ହରାଇ ଶୋକରେ ବୁଡିଛି କର୍ଣ୍ଣାଟକ ଆଲିଗଡ ଗାଁ, ଜାଣନ୍ତୁ ୧୯୮୬ରେ କାହିଁକି ଆସିଥିଲେ ଇରାନ ସୁପ୍ରିମ ଲିଡର