ନୂଆଦିଲ୍ଲୀ,୦୨/୦୩; ୩ ଦିନ ହେବ ଜଳୁଛି ମଧ୍ୟପ୍ରାଚ୍ୟ । ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନ ଛାରଖାର ହୋଇଛି । ତାର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହରାଇଛି । ଇରାନ ହି ଜବାବୀ ହମଲା କରିଛି । ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ହରାଇବା ପରେ ରକ୍ତମୁଖା ହୋଇଉଠିଛି ଇରାନ । ପ୍ରତିଶୋଧ ସ୍ୱରୂପ ଇସ୍ରାଏଲ ଉପରେ ସାଙ୍ଘାତିକ ଆକ୍ରମଣ କରିଛି । ଜବାବୀ ହମ୍ଲାରେ ଡ୍ରୋନ ଓ ମିସାଇଲ ମାଡ଼ କରି ମଧ୍ୟପ୍ରାଚ୍ୟକୁ ଥରହର କରିଦେଇଛି । ଦୁବାଇରୁ ଦୋହା ପର୍ଯ୍ୟନ୍ତ ଇରାନର ହମ୍ଲାରେ ଥରିଉଠିଛି । ଖେମେନେଇଙ୍କ ମୃତ୍ୟୁକୁ ନେଇ ଇରାନରେ ମିଶ୍ର ପ୍ରତିକ୍ରିୟା ରହିଥିବା ବେଳେ ତେହେରାନଠୁ ହଜାର ହଜାର କିମି ଦୂର କର୍ଣ୍ଣାଟକର ଚିକ୍କାବାଲାପୁରରେ ଶିଆ ମୁସଲମାନ ବହୁଳ ଅଲିପୁର ଗାଁ ସ୍ତବ୍ଧ ହୋଇଯାଇଛି । ଗାଁରେ ଏବେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଲୋକମାନେ ତାଙ୍କୁ ଝୁରୁଛନ୍ତି ।
ଖାମେନେଇଙ୍କ ସମ୍ମାନରେ ଗାଁରେ ରବିବାରଠାରୁ ୩ଦିନିଆ ଶୋକ ପାଳନ କରାଯାଉଛି । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱେଚ୍ଛାକୃତ ଭାବେ ବନ୍ଦ ରହିଛି । ସମସ୍ତ ସାର୍ବଜନୀନ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଖାମେନେଇ ଏହି ଗାଁକୁ ୧୯୮୬ ମହିସାରେ ବୁଲି ଆସିଥିଲେ । ଖାମେନେଇଙ୍କ ଏହି ଗସ୍ତ ପରେ ଅଲିପୁର ଗାଁ ସହିତ ଇରାନର ସମ୍ପର୍କ ସୁଦୃଢ ହୋଇଥିଲା । ଗାଁରେ ଖାମେନେଇଙ୍କ ନାଁରେ ଏକ ହସ୍ପିଟାଲ ମଧ୍ୟ ଖୋଲାଯାଇଛି । ଗାଁର ଅଧିକାଂଶ ପରିବାରର ଇରାନ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ବହୁ ଲୋକ ଇରାନରେ ଯାଇ ପାଠ ପଢିବା ସହିତ ସେଠାରେ ରହୁଛନ୍ତି ।
ଏହା ବି ପଢନ୍ତୁ...ୟୁପିର ବାରାବାଙ୍କିରୁ ଇରାନ ଯାଇଥିଲେ ଖୁମେନିଙ୍କ ଜେଜେ, ଖାମେନେଇଙ୍କ ସହ କ’ଣ ରହିଛି ଇସଲାମିକ୍ କ୍ରାନ୍ତି ଜନକଙ୍କ ସମ୍ପର୍କ ?
ଖାମେନେଇଙ୍କ ମୃତ୍ୟୁରେ ଗାଁରେ ଏକ ଶୋକାକୁଳ ପରିବଶେ ରହିଥିବାବେଳେ ତାଙ୍କ ଆତ୍ମାର ସଦଗତି ପାଇଁ ଶିଆ ମସଜିଦରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଉଛି । ଖାମେନେଇଙ୍କ ହତ୍ୟା ପ୍ରତିବାଦରେ ଲୋକମାନେ କଳା ପୋଷାକ ପିନ୍ଧିବା ସହ କଳା ପତାକା ଧରି ଶୋଭାଯାତ୍ରା କରିବା ସହିତ ନାରାବାଜି ମଧ୍ୟ କରିଛନ୍ତି । ଇସଲାମିକ ଗଣରାଜ୍ୟ ଇରାନର ପ୍ରତିଷ୍ଠାତା ଅୟତୋଲ୍ଲା ରୋହଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ୧୯୮୯ ମସିହାରେ ଖେମେନେଇ ଇରାନ ସର୍ବୋଚ୍ଚ ନେତା ହୋଇଥିଲେ ।