ଭୁବନେଶ୍ୱର,୨୯/୦୬: ଏବେ ଉଭୟ  ଅନ୍ତଃ ରାଜ୍ୟ ଏବଂ ଆନ୍ତଃ ରାଜ୍ୟ ପରିବହନରେ  ଓଡ଼ିଶାର ଅଂଶ ୧୦% । ୨୦୪୭ ବେଳକୁ ଏହାକୁ  ୫୦%କୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ମାଲ୍‌  ପରିବହନକୁ ତ୍ୱରାନ୍ୱିତ କରିବାକୁ ବିକଶିତ ହେବ ୮  ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ । ଭିଜନ ଡକ୍ୟୁମେଣ୍ଟ  ୨୦୩୬ ଏବଂ ୨୦୪୭ରେ ଏଭଳି ମହତ୍ୱାକାଂକ୍ଷୀ  ଯୋଜନା ରଖାଯାଇଛି ।  

ଆନୁଷଙ୍ଗିକ ଶିଳ୍ପ ଭିତ୍ତିଭୂମିକୁ ମଧ୍ୟ ଏହା ସହ  ତାଳଦେଇ ଉନ୍ନତୀକରଣ କରାଯିବ । ରାଜ୍ୟର ୨୦  ସ୍ଥାନରେ ହେବ ଟ୍ରକ୍‌ ଟର୍ମିନାଲ । ଏବେ ରାଜ୍ୟରେ  ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ସୁବିଧା ନ ଥିବାରୁ  ଏହା ଖଣି, କୃଷି ଏବଂ ଇ-କମର୍ସ ଶିଳ୍ପକୁ କ୍ଷତିଗ୍ରସ୍ତ  କରୁଛି । ଇ-କମର୍ସ କ୍ଷେତ୍ର ବେଶ୍‌ ବ୍ୟାପକ  ହୋଇଛି । ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ବିକାଶ  ଦ୍ୱାରା ରାଜ୍ୟ ଏହାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ  କରିପାରିବ । ପିଏମ୍‌ ଗତି ଶକ୍ତିରେ ମଲ୍ଟି ମୋଡାଲ  କନେକ୍ଟିଭିଟି ନ୍ୟାସ୍‌ନାଲ ମାଷ୍ଟରପ୍ଲାନ ଆଧାରରେ  ରାଜ୍ୟ କାର୍ଯ୍ୟ କରିବ । 

ଓଡ଼ିଶା ଇକୋନୋମିକ କରିଡର ଯୋଜନାରେ  ବନ୍ଦରଭିତ୍ତିକ ଏବଂ ବିନିର୍ମାଣ କ୍ଷେତ୍ର ଅଭିବୃଦ୍ଧି  କରାଯିବ । ଦକ୍ଷ ଲଜିଷ୍ଟିକ୍ସ ଏବଂ ନିରନ୍ତର ପରିବହନ  ଯୋଗାଯୋଗ ବ୍ୟବସ୍ଥା ଲାଗି ସଡ଼କ, ରେଳ, ବିମାନ  ବନ୍ଦର ଏବଂ ବନ୍ଦର ଗୁଡ଼ିକ ସମନ୍ୱିତ କରିବା  ଉପରେ ଫୋକସ କରାଯିବ। ଏହାକୁ ନଜରରେ  ରଖି ଷ୍ଟକୟାର୍ଡ, ୱେୟାରହାଉସ୍‌, କୋଲ୍ଡ ଷ୍ଟୋରେଜ  ଏବଂ ୟୁଟିଲିଟି କରିଡର ବିକଶିତ ହେବ । ପୂର୍ବରୁ  ଏଭଳି ବ୍ୟବସ୍ଥା ଗୋପାଳପୁରରେ ହୋଇଛି ।  

୫୭୫ କିମି ଉପକୂଳ ଥିବାରୁ ଓଡ଼ିଶାକୁ ପୂର୍ବ  ଏସିଆର ପ୍ରମୁଖ କାର୍ଗୋସିପମେଣ୍ଟ ହବ୍‌, ୩୪୬  କିମିର ଉପକୂଳ ରାଜପଥ କାମ ତ୍ୱରାନ୍ୱିତ କରିବା,  ସ୍ଲରି ପାଇପ୍‌ଲାଇନ ନେଟୱର୍କ ବିକାଶକୁ ଧ୍ୟାନରେ  ରଖାଯିବ । ୨୦୩୬ ସୁଦ୍ଧା ଏହି କ୍ଷେତ୍ରଗୁଡ଼ିକରେ  ଘରୋଇ ନିବେଶ ୫୦%କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ଷ୍ଟ୍ରାଟେଜିକୁ  ଡିଜାଇନ ଏବଂ ନୂଆକୌଶଳ ଲାଗି ଗଠନ ହେବ  ଉଚ୍ଚ-କ୍ଷମତା ସମ୍ପନ୍ନ ଗ୍ରୁପ । ରାଜ୍ୟ ଭିତରେ ଏବଂ  ଆନ୍ତଃରାଜ୍ୟ ସାମଗ୍ରୀ ଏବଂ ଲୋକଙ୍କ ଯାତାୟତ  ଧାରା ଜାଣିବା ଲାଗି ଏକ ଓରିଜିନ ଡେଷ୍ଟିନେସନ୍‌  ଷ୍ଟଡି କରିବେ ରାଜ୍ୟ ସରକାର । 

ଏହି ଧାରାକୁ ତ୍ୱରାନ୍ୱିତ କରିବ ଲାଗି ରାଜ୍ୟ  ସରକାର ୨୦୩୦ ସୁଦ୍ଧା ୭୫ ହଜାର କିମିର ସଡ଼କ  ନେଟୱର୍କ ବିଛାଇବେ । ଏହା ମଧ୍ୟରେ ଗ୍ରାମାଞ୍ଚଳରେ  ୩୦ ହଜାର କିମିର ସଡ଼କ କାର୍ଯ୍ୟକୁ ଶେଷ  କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା  (ପିଏମ୍‌ଜିଏସ୍‌ୱାଇ) ୩ରେ ହାତକୁ ନିଆଯାଇଥିବା  ସବୁ ସଡ଼କ ପ୍ରକଳ୍ପର କାର୍ଯ୍ୟକୁ ଆଗାମୀ ୨୪ ମାସ  ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ।  

ଏହା ଦ୍ୱାରା ଅନ୍ତତଃ ପକ୍ଷେ ୧୫ ହଜାର କିମି  ସଡ଼କ ପଥର ବିକାଶ କାର୍ଯ୍ୟ କରିବାକୁ ଲକ୍ଷ୍ୟ  ରଖାଯାଇଛି । ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ  (ଏସ୍‌ଡିଜି)୧୧.୩କୁ ସଡ଼କପଥ ବିକାଶ କରିବାକୁ  ଅଗ୍ରସର ହୋଇଛନ୍ତି ରାଜ୍ୟ ସରକାର । ଆର୍ôଥକ ବର୍ଷ  ୨୦୨୫-୨୬ ବଜେଟରେ ସରକାର ସଡ଼କ, ବ୍ରିଜ  ଏବଂ ବିମାନବନ୍ଦରଗୁଡ଼ିକର ଉନ୍ନତୀକରଣ ଲାଗି  ୧୫, ୮୬୫ କୋଟିର ବ୍ୟୟ ବରାଦ କରିଛନ୍ତି । ୨୦୨୬-୨୭ ସୁଦ୍ଧା ପ୍ରତି ଗ୍ରାମ ପଞ୍ଚାୟତକୁ ସମନ୍ୱିତ  ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ  ବସ୍‌ ସେବା ସ୍କିମ୍‌ ଦ୍ୱାରା ୩ ହଜାର କୋଟି ଟଙ୍କାର  ନିବେଶକୁ ମିଳିଛି ମଞ୍ଜୁରି । ପବ୍ଲିକ ଟ୍ରାନ୍ସପୋର୍ଟ  ଭିତ୍ତିଭୂମି ଦୃଢ଼ୀକରଣ ଲାଗି ଅଟଳ ବସ୍‌ଷ୍ଟାଣ୍ଡ  ସ୍କିମ୍‌ରେ ୬ ହଜାର କୋଟି ଟଙ୍କା ବିନିଯୋଗ ହେବ ।  

ଏବେ ରାଜ୍ୟର ପରିବହନ ଜିଏସ୍‌ଭିଏରେ  ସଡକ ପଥର ଅଂଶ ୬୦% ରହିଛି । ରାଜ୍ୟରେ  ନ୍ୟାସ୍‌ନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ  (ଏନ୍‌ଏଚ୍‌ଏଆଇ) ୧୨୦୪ କିମିର ୪୯ ପ୍ରକଳ୍ପ  କାର୍ଯ୍ୟକାରୀ କରାଇଥିବା ବେଳେ ୭୭୧ କିମି ସମ୍ପୂର୍ଣ୍ଣ  ହୋଇସାରିଛି । ପଶ୍ଚିମାଞ୍ଚଳ ବିକାଶ ଲାଗି ରାଜ୍ୟ  ୱେଷ୍ଟର୍ଣ୍ଣ ଏକ୍ସପ୍ରେସୱେ ସ୍ଥାପନ କରିଛି । ସେହିଭଳି  ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡରକୁ  ଲାଗି ଓଡ଼ିଶା ଇକୋନୋମିକ କରିଡରକୁ ବିକଶିତ  କରିବା ଲକ୍ଷ୍ୟ ରଖାଯାଇଛି ।