ନୂଆଦିଲ୍ଲୀ,୧୮।୫: ମହାରାଷ୍ଟ୍ରର ସୋଲାପୁର ଥିବା ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ। ଏକ ଟେକ୍ସଟାଇଲ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଦେଢ ବର୍ଷର ଶିଶୁ ରହିଛି। ଏହି ଅଘଟଣ ସୋଲାପୁର ଏମ୍ଆଇଡିସି ସ୍ଥିତ ସେଣ୍ଟ୍ରାଲ ଟେକ୍ସଟାଇଲ୍ ମିଲ୍ରେ ଭୋର ପ୍ରାୟ ୩ଟା ୪୫ ମିନିଟ୍ରେ ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, କାରଖାନାରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ମୃତକଙ୍କ ମଧ୍ୟରେ କାରଖାନା ମାଲିକ ହାଜି ଉସମାନ ହାସନଭାଇ ମନସୁରୀ, ତାଙ୍କ ପରିବାରର ତିନି ଜଣ ସଦସ୍ୟ, ତାଙ୍କ ଦେଢ଼ ବର୍ଷର ନାତି ମଧ୍ୟ ରହିଛି।। ଅଗ୍ନିକାଣ୍ଡରେ ମୃତ ଲୋକଙ୍କ ମଧ୍ୟରେ ଚାରି ଜଣ ଶ୍ରମିକ ଅଛନ୍ତି।
ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ ବିଭାଗକୁ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରାୟ ପାଞ୍ଚରୁ ଛଅ ଘଣ୍ଟା ସମୟ ଲାଗିଥିଲା। ନିଆଁ ଲିଭାଇବା କାମ ଏବେ ବି ଜାରି ରହିଛି। ଘଟଣାର ଗମ୍ଭୀରତାକୁ ବିଚାର କରି ପ୍ରଶାସନିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି ଏବଂ ପ୍ରଶାସନ ପୀଡିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରତିଶ୍ରୁତି ଦେଇଛି।