ବେତନଟୀ, ୧୬/୬: ବେତନଟୀ ବ୍ଲକଅଧୀନ ହାତୀଝୁରୀ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ବ୍ୟାପକ ଦୁର୍ନୀତିରେ ଅତିଷ୍ଠହୋଇ ୮ଜଣ ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ସୋମବାର ବ୍ଲକ ଅଫିସରେ ବିଡ଼ିଓଙ୍କୁ ସାକ୍ଷାତକରି ସମୂହ ଇସ୍ତଫା ପ୍ରଦାନ କରିଛନ୍ତି l ସମୂହ ଇସ୍ତଫା ପ୍ରଦାନ କରିଥିବା ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ମାନଙ୍କର ଅଭିଯୋଗ ମୁତାବକ ସେମାନେ ସମସ୍ତେ ୨୦୨୨ ମସିହାରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧି l ବିଭିନ୍ନ ସରକାରୀ ଅନୁଦାନରେ ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାମରେ ବ୍ୟାପକ ହେରଫେର ସାଙ୍ଗକୁ ହରିଲୁଟ ହେଉଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି l ଏନେଇ ୱାର୍ଡସଭ୍ୟ ଏବଂ ୱାର୍ଡସଭ୍ୟା ପ୍ରଶ୍ନ ପଚାରିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ନିରୁତ୍ତର ରହି ସରପଞ୍ଚଙ୍କ ସହିତ କଥା ହେବାକୁ କହି ନିଜ ଦାୟୀତ୍ୱରୁ ଓହରି ଯାଉଛନ୍ତି l
ସୂଚନା ମୁତାବକ, ହାତୀଝୁରୀ ପଞ୍ଚାୟତରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଠାରୁ ଆରମ୍ଭକରି ମନରେଗା, ମୋ ବଗିଚା, ଜଙ୍ଗଲ କିସମ ଜମିରେ ବେଆଇନ ନିର୍ମାଣ, ସେଫଟିକ ଟ୍ୟାଙ୍କ ନିର୍ମାଣ ଭଳି କାମରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ସାଙ୍ଗକୁ ବ୍ୟାପକ ହରିଲୁଟ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି l ୱାର୍ଡସଭ୍ୟ ଏବଂ ୱାର୍ଡ ସଭ୍ୟାମାନେ ସେମାନଙ୍କ ୱାର୍ଡର ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହୁଥିବା ଏବଂ ପଞ୍ଚାୟତର ଦୁର୍ନୀତି ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ ସତ୍ୱେ କୌଣସି ଅଧିକାରୀ ଉତ୍ତରଦାୟୀ ହେଉନଥିବାରୁ ଶେଷରେ ସୋମବାର ହାତୀଝୁରୀ ପଞ୍ଚାୟତର ୧୧ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୮ଜଣ ଏକକାଳୀନ ସାମୁହିକ ଭାବରେ ବିଡ଼ିଓଙ୍କୁ ସାକ୍ଷାତକରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି l