ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ବଞ୍ଚି ଥାଉ ଥାଉ ମାରିଦେଲେ... ୩ ମାସ ହେଲା ମିଳୁନି ଭତ୍ତା, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ

Published By : Rasmita Pradhan | July 10, 2025 1:40 PM

ବରଗଡ଼, ୧୦/୦୭ : ‘ଦେଖ ମୁଁ ବଞ୍ଚିଛି, ଖାଉଛି, ପିଉଛି, ଚଲାବୁଲା କରୁଛି । ଆହୁରି କି ପ୍ରମାଣ ଦେଲେ ମୁଁ ଜିଇଛି ବୋଲି ବିଶ୍ୱାସ କରିବ’? ଏ କରୁଣ ଚିତ୍କାର ୮୦ ବର୍ଷୀୟା ବିଧବା ବୃଦ୍ଧା ବେଦମତୀ ନାଏକଙ୍କର। ଯାହାଙ୍କୁ ବଞ୍ଚି ଥାଉଥାଉ କାଗଜପତ୍ରରେ ମାରିଦେଇଛି ପ୍ରଶାସନ । ବାର୍ଦ୍ଧକ୍ୟ ଭତ୍ତା ୩ ମାସ ହେଲା ବନ୍ଦ ହୋଇଯାଇଛି । ଔଷଧ ଖାଇବା ପାଇଁ ହାତ ପାତିବାକୁ ପଡୁଛି । ହକ୍‌ରୁ ବଞ୍ଚିତ ମହିଳା ଜଣକ ପାଚିଲା ବୟସରେ ଏ ଅଫିସରୁ ସେ ଅଫିସ୍‌କୁ ଧାଉଁଥିବାବେଳେ ତାଙ୍କ ଦୁଃଖ କିନ୍ତୁ ବାବୁଙ୍କ କାନରେ ପଡୁନି । ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ପଞ୍ଚାୟତର କୁଶାବାରୀ ଗାଁର ବେଦମତୀଙ୍କ ପ୍ରତି ଏଭଳି ଅବିଚାର ସରକାରୀ ବିଧି ବ୍ୟବସ୍ଥା ଓ ଖାମଖିଆଲି ନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । 

୮୦ ବର୍ଷ ପାର୍‌ କରିବା ସତ୍ତ୍ଵେ ବେଦମତୀ ବେଶ୍‌ ଚଳଚଞ୍ଚଳ । ନାତିନାତୁଣୀ, ପୁଅ-ବୋହୂଙ୍କ ସହ ରହୁଛନ୍ତି । ନିଜ କାମ ନିଜେ କରିବା ସହ ପରିବାର ସଦସ୍ୟଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି। ଧର୍ମ ଆଲୋଚନା କରୁଛନ୍ତି। ପୁରାଣ, ଭାଗବତ ଚର୍ଚ୍ଚା ଶୁଣୁଛନ୍ତି । କିନ୍ତୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ବେଦମତୀଙ୍କ ଭତ୍ତା ତିନି ମାସ ହେଲା ବନ୍ଦ କରି ଦିଆଯାଇଛି । ସବୁ ପ୍ରମାଣ ଦେବା ସତ୍ତ୍ଵେ କେହି ଶୁଣୁନାହାନ୍ତି । ବୃଦ୍ଧା ମା’ ବଞ୍ଚିଥିବା ଯଦି ସ୍ୱୀକାର କରୁନ ତେବେ ସତସତିକା ମାରିଦିଅ ବୋଲି ପରିବାର ଲୋକେ ପ୍ରଶାସନକୁ କ୍ଷୋଭବ୍ୟକ୍ତ କରି କହିଛନ୍ତି । 

ବେଦମତୀ କହିଛନ୍ତି, ବୈଶାଖ ମାସରେ ସେ ମା’ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଦୁଇ ମାସର ଭତ୍ତା ଆସି ନ ଥିବା ଘର ଲୋକେ କହିଥିଲେ । ମରିଯାଇଥିବା କହି ଅଧିକାରୀ ଭତ୍ତା କାଟି ଦେଇଥିଲେ । ଅଫିସ୍‌କୁ ୨-୩ ଥର ଯାଇ କହିବା ସତ୍ତ୍ଵେ କେହି ଶୁଣୁନାହାନ୍ତି । ବେଦମତୀଙ୍କ ନାତି ମାଧବ ଏଭଳି ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି । ଭତ୍ତା ଟଙ୍କା ମିଳୁ ନଥିବାରୁ ଔଷଧ ବାବଦ ଖର୍ଚ୍ଚ ତୁଲାଇବା କଷ୍ଟକର ହେଉଛି । ସମସ୍ୟାର ସମାଧାନ କରି ଜେଜେ ମା’କୁ ପୁନର୍ବାର ଭତ୍ତା ଦେବାକୁ ମାଧବ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  ଜୀବିତ ବେଦମତୀଙ୍କୁ ମୃତ ଦର୍ଶାଇ ଏମ୍‌ବିପିଓଏପି ଲିଷ୍ଟରୁ ନାମ କାଟି ଦିଆଯାଇଛି । ଓଆରଏସ-୦୬୦୦୦୫୫୫୫ ନମ୍ବରକୁ ବାଦ୍‌ ଦେଇ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ କରାଯାଇଛି । ତେଣୁ ବିଧବା ବୃଦ୍ଧାଙ୍କ ନାମକୁ ପୁନର୍ବାର ତାଲିକାଭୁକ୍ତ କରାଯାଉ । ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେଇଥିବା ଲଖନପୁର ଇଓଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ୱାର୍ଡମେମ୍ବର ପାଏନୁ ନାଏକ ଲିଖିତ ଭାବେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଡିଓ ଲଳିତ ବାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.