ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୫୦୦ କୋଟିର ମାଙ୍ଗାନିଜ୍‌ ଚୋରି

ବଲାଙ୍ଗୀର,୧୧ା୨(ଆପ୍ର): ବଲାଙ୍ଗୀର ଜିଲ୍ଲାରେ ଖଣି ଦୁର୍ନୀତିର ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଏ ଦୁର୍ନୀତି କେଉଁଠୁ ଆରମ୍ଭ, କେଉଁଠି ସରିଛି ତାହାର ଥଳକୂଳ ମିଳୁ ନାହିଁ । ସାମ୍ନାରୁ ସଂରକ୍ଷିିତ ଜଙ୍ଗଲ ଦେଖାଯାଉଥିଲେ ହେଁ ଭିତରେ ୩୨ କିଲୋମିଟର ଅଞ୍ଚଳରେ ଜଙ୍ଗଲ, ପାହାଡ଼ ସବୁ ଖୋଳ ହୋଇଗଲାଣି । ଶହ ଶହ କୋଟି ଟଙ୍କାର ଖଣିଜ ପଦାର୍ଥ ଦିନ ଦି’ ପ୍ରହରେ ଲୁଟ୍‌ କରାଯାଉଛି । ଜିଲ୍ଲା ପ୍ରଶାସନ, ବନ ବିଭାଗ ଏବଂ ଖଣି ବିଭାଗର ଆଖିରେ ଧୂଳି ଗେଞ୍ଜି ମାଫିଆମାନେ ବେଆଇନ ଭାବରେ ମାଙ୍ଗାନିଜ ଚୋରାଚାଲାଣ କରୁଛନ୍ତି । ଯାହାର ମୂଲ୍ୟ ଅତି କମ୍‌ରେ ୫୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସରକାରୀ ରେକର୍ଡରେ ଜିଲ୍ଲାର ସମସ୍ତ ଖଣି ବନ୍ଦ ଥିବା କୁହାଯାଉଥିବା ବେଳେ ଲୋଇସିଂହା ବନାଞ୍ଚଳର ଭାଲୁଡ଼ୁଙ୍ଗୁରିଠାରେ ଏବେବି ବେଆଇନ ଭାବେ ଚୋରାଚାଲାଣ ଚାଲିଛି । ଏନେଇ ‘ପ୍ରମେୟ’ ପକ୍ଷରୁ କରାଯାଇଥିବା ଗ୍ରାଉଣ୍ଡ ଜିରୋ ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
କେତେକ ପ୍ରଭାବଶାଳୀ ରାଜନେତା ଏବଂ ପୁଲିସକୁ ହାତ କରି ମାଫିଆମାନେ ପ୍ରତିଦିନ ବିଳମ୍ବିତ ରାତିରେ ଖଣି ଉତ୍ତୋଳନ କରୁଛନ୍ତି । ଭାଲୁଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରୁ ମନଇଚ୍ଛା ଶହଶହ ଟନ ଓଜନର ଖଣିଜ ପଦାର୍ଥ ରାୟପୁର ଏବଂ କଟକକୁ ଚୋରାଚାଲାଣ ହେଉଛି । ଏତେ ମାତ୍ରାରେ ଖଣି ଖୋଳାଚାଲିଛି ଯେ, ଭାଲୁଡ଼ୁଙ୍ଗୁରି ଏମୁଣ୍ଡରୁ ସେ ମୁଣ୍ଡ ପ୍ରାୟ ୨୫ ଫୁଟ ଗଭୀର ଖୋଳି ମାଙ୍ଗାନିଜ ନେଇଗଲେଣି । ଜଙ୍ଗଲ ପଦାହୋଇ ସେଠାରେ ବିସ୍ତିର୍ଣ୍ଣ ଅଞ୍ଚଳରେ କେବଳ ମାଙ୍ଗାନିଜ ଓ ମାଟି ପଡ଼ିଛି । କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପାଖରେ କୌଣସି ଖବର ନାହିଁ ।
ଗତ ୮ତାରିଖ ବିଳମ୍ବିତ ରାତିରେ ଭାଲୁଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରୁ ୧୨ ଚକିଆ ଟ୍ରକ ଯୋଗେ ମାଙ୍ଗାନିଜ ଚୋରାଚାଲାଣ ଚାଲିଥିଲା । ଏସମ୍ପର୍କରେ ସ୍ଥାନୀୟ ଜଙ୍ଗଲ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ବନ ବିଭାଗକୁ ଖବର ଦେଇଥିଲେ । ଡିଏଫଓ ସମୀର ଶତପଥି ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ପରେ ଭାଲୁ ଡ଼ୁଙ୍ଗୁରି ନିକଟରେ ଏକ ମାଙ୍ଗାନିଜ ଡିପୋ ଥିବାରୁ ସେଠାକୁ ମାଙ୍ଗାନିଜ ଚାଲାଣ ହେଉଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଡିଏଫଓଙ୍କଠାରୁ ଏଭଳି ସୂଚନା ପାଇବାପରେ ‘ପ୍ରମେୟ’ର ଏକ ଟିମ୍‌ ଆଜି ବନଛୋରପାଲି ନିକଟସ୍ଥ ଭାଲୁ ଡୁଙ୍ଗୁରି ଓ ତତସଂଲଗ୍ନ ସଂରକ୍ଷିତ ଜଙ୍ଗଲକୁ ଯାଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରିଥିଲା । ଗ୍ରାମବାସୀଙ୍କ ସହିତ ବେଆଇନ ଖଣିଜ ଚାଲାଣ ସମ୍ପର୍କରେ ଆଲୋଚନା କରିବା ପରେ ସେମାନେ ଆମକୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ । ବନଛୋରପାଲିରୁ ଅଢ଼େଇ କିମି ଭିତରକୁ ଗଲେ ସାମ୍ନାରେ ବ୍ୟାପକ ଅଞ୍ଚଳରେ କପା ଚାଷ କରାଯାଇଛି ।
ସାମ୍ନାରୁ ଚାଷଜମି ଭଳି ଦେଖାଯାଉଥିବା ଉକ୍ତ ଜମି ତଳେ ଶହଶହ ଟନ ମାଙ୍ଗାନିଜ ରହିଛି । ମାଫିଆମାନେ ଭଡ଼ାଟିଆ ଗୁଣ୍ଡା ଲଗାଇ ଡୁଙ୍ଗୁରିକୁ ଜଗିବା ପାଇଁ ସେଠାରେ କପାଚାଷ କରିଛନ୍ତି । ଉକ୍ତ କପା କିଆରିକୁ ଡେଇଁଲା ପରେ ଭାଲୁଡ଼ୁଙ୍ଗୁରୀର ସୀମାରେଖା ଆରମ୍ଭ ହୁଏ । ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଠାରୁ ଆରମ୍ଭ ହୋଇଥିବା ଏହି ମାଙ୍ଗାନିଜ ଭରା ଡ଼ୁଙ୍ଗୁରି ଲୋଇସିଂହା ବ୍ଲକ ଅନ୍ତର୍ଗତ ବେଲପାଲିଠାରେ ସରିଛି । ମଝିରେ ଭାଲୁଡ଼ୁଙ୍ଗୁରୀ, ଅରକଡ଼ୁଙ୍ଗୁରୀ, ଚମ୍ପାସର, ଗଡ଼ଶଙ୍କରୀ, ବେଲପାଲି ଆଦି ଛୋଟବଡ ଡଙ୍ଗର ରହିଛି । ଯାହାକୁ ମାଫିଆମାନେ ଖଣି ଖାଦାନ ଭାବେ ବ୍ୟବହାର କରୁଛନ୍ତି । ଦୀର୍ଘ ୨୨ରୁ ୨୫କିମି ବ୍ୟାପି ଏହି ଖାଦାନକୁ ପ୍ରତିଦିନ ଖୋଳାଯାଉଛି । ଡୁଙ୍ଗୁରୀର ଚାରିଆଡ଼େ ବିଭିନ୍ନ ଆକାରର ମାଙ୍ଗାନିଜ ପଥର ଜମା କରି ରଖାଯାଇଛି । ପରେ ଜେସିବି ଦେଇ ଟ୍ରକରେ ମାଙ୍ଗାନିଜ ଲୋଡ଼ କରାଯାଉଛି ।
ସଶସ୍ତ୍ରମାଫିଆଙ୍କ କଡ଼ା ସୁରକ୍ଷାବଳୟରେ ମାଙ୍ଗାନିଜ ଭର୍ତ୍ତି ଟ୍ରକଗୁଡ଼ିକୁ ବନଛୋରପାଲିରୁ ତମିଆ ଦେଇ ପାଟଣାଗଡ଼ ଏବଂ ସେଠାରୁ ରାୟପୁର ନିଆଯାଉଛି । ନଚେତ ବନଛୋରପାଲିରୁ ଖୁଣ୍ଟପାଲି ରାସ୍ତା ଦେଇ ସିଧାସଳଖ ବଲାଙ୍ଗୀର ଏବଂ ସେଠାରୁ କଟକକୁ ମାଙ୍ଗାନିଜ ଚାଲାଣ ହେଉଥିବା ଜାଣିବାକୁ ମିଳିଛି । ଚୋରାଚାଲାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଘଣ୍ଟା ପ୍ରତି ୧୫ଶହ ଟଙ୍କା ପାରିଶ୍ରମିକ ଦିଆଯାଇଥାଏ । ଆଶ୍ଚର୍ଯ୍ୟର ବିଷୟ ଡୁଙ୍ଗୁରୀର ଚାରିଆଡ଼େ ଖଣି ମାଫିଆମାନେ ଖୋଳି ସାରିଲେଣି । ତାହା ସଂରକ୍ଷିତ ଜଙ୍ଗଲ ହୋଇଥିଲେ ସୁଦ୍ଧା ମାଫିଆମାନେ ମନଇଚ୍ଛା ଜଙ୍ଗଲ କାଟି ବଡ଼ଟ୍ରକ ଯିବା ପାଇଁ ରାସ୍ତା ନିର୍ମାଣ କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ ବହୁବର୍ଷ( ତିନି ଦଶନ୍ଧି) ପୂର୍ବରୁ କେବେ କେମିତି ଟ୍ରକ ଯୋଗେ ଏଠାରୁ ମାଟି ପଥର ନିଆଯାଉଥିଲା । କିନ୍ତୁ ମଝିରେ ଆଉ ଗାଡ଼ିମଟର ଆସିଲା ନାହିଁ । ମିଳିଥିବା ସୂଚନା ଅନୁସାରେ ପରିବେଶ ମଞ୍ଜୁରୀ ନଥିବାରୁ ଜିଲ୍ଲାରେ କୌଣସି ଖଣି ଖାଦାନ ଉତ୍ତୋଳନ କରାଯାଉନାହିଁ । ବାସ୍ତବ ପକ୍ଷେ କିନ୍ତୁ ଏବେବି ସେଠାରୁ ମାଙ୍ଗାନିଜ ଉତ୍ତୋଳନ କରାଯାଉଛି । ପ୍ରତିଦିନ ଶହଶହ ଟନ ପଥର ଲୁଟ କରାଯାଉଥିଲେ ସୁଦ୍ଧା ପୁଲିସ, ବନ ବିଭାଗ କିମ୍ବା ଖଣି ବିଭାଗ ପାଖରେ ଏନେଇ କୌଣସି ତଥ୍ୟ ରହୁନାହିଁ ।
ଏସମ୍ପର୍କରେ ଜାଣିବା ପାଇଁ ଆମେ ବଲାଙ୍ଗୀର ଡିଏଫଓ ସମୀର ଶତପଥୀଙ୍କୁ ଯୋଗାଯୋଗ କରିଥିଲୁ । ସେ ଏ ସମ୍ପର୍କରେ କିଛି ଜାଣିନଥିବା କହିଥିଲେ । ସମ୍ପୃକ୍ତ ଅଞ୍ଚଳ ସେ କେବେ ଯାଇ ନଥିଲେ । ୮ ତାରିଖ ରାତିରେ ମାଙ୍ଗାନିଜ ବୋଝେଇ ଟ୍ରକ୍‌ ଜବତ କରିବା ସମୟରେ ସେ ସେଠାକୁ ଯାଇଥିଲେ । କିନ୍ତୁ ଭିତରେ ଏତେକଥା ରହିଥିବା ସେ ଜାଣିନାହାନ୍ତି କିମ୍ବା ଖବର ମଧ୍ୟ ପାଇ ନାହାନ୍ତି ବୋଲି କହିଥିଲେ । ପ୍ରମେୟଠାରୁ ଖବର ପାଇବାପରେ ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି କହିଥିଲେ ।
ଡିଏଫଓଙ୍କ ପ୍ରତିକ୍ରିୟା ପାଇବାପରେ ଆମେ ଖଣି ବିଭାଗକୁ ଯୋଗାଯୋଗ କରିଥିଲୁ । ମାତ୍ର ଜିଲ୍ଲାରେ ଖଣି ଅଧିକାରୀ ନଥିବାରୁ ଏ ସମ୍ପର୍କରେକେହି କିଛି କହିବାକୁ ଅମଙ୍ଗ ହୋଇଥିଲେ । ପରେ ଆମେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆଙ୍କୁ ଯୋଗାଯୋଗ କରିଥିଲୁ । ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା ଜିଲ୍ଲାପାଳ କହିଥିଲେ । ତଥାପି ସ୍ଥାନୀୟ ତହସିଲଦାର ଏବଂ ଖଣି ଅଧିକାରୀଙ୍କୁ ବୁଝାଯିବ । ତାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Copyright © 2022 - Summa Real Media Private Limited. All Rights Reserved.