ଭୁବେଶ୍ବର,୦୭/୧୧: ଭୁବନେଶ୍ବରରେ ରୋଡ୍ସ କଂଗ୍ରେସ ସମାବେଶ । ଜନତା ମୈଦାନରେ ୮୪ତମ ରୋଡ୍ସ କଂଗ୍ରେସ ଆୟୋଜିତ ହୋଇଯାଇଛି । ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ସାମିଲ ଉଦଘାଟନ କରିଥିଲେ । ଆସନ୍ତା ନଭେମ୍ବର ୧୦ ତାରିଖ ଯାଏ ଚାଲିବ ଏହି ସମାବେଶ । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ୩୫ଶହରୁ ଅଧିକ ଡେଲିଗେଟ୍ସ ତଥା ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତ ଯୋଗ ଦେଇଥିଲେ ।
ପ୍ରଥମ ଦିନରେ ଏଥିରେ ସଡ଼କ ପରିବହନ ଓ ରାଜମାର୍ଗ ଉପରେ ବିଶେଷ ଆଲୋଚନା ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, ସଡ଼କ, ସେତୁ, ସୁଡ଼ଙ୍ଗ ଭଳି ଭିତ୍ତିଭୂମି ନିର୍ମାଣ ଲାଗି ବିଚାରବିର୍ମଶ କରିବା ନିମନ୍ତେ ଏହା ହେଉଛି ଭାରତର ସବୁଠୁ ବଡ଼ ଜ୍ଞାନବିନିମୟ କାର୍ଯ୍ୟକ୍ରମ । ସଡ଼କ ଯୋଗାଯୋଗ ଭିତ୍ତିଭୂମି କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଏବଂ ନବସୃଜନ ଲାଗି ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ । ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା । ଏହାକୁ ବିଶ୍ବର ତୃତୀୟ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଭାରତର ବିକାଶଧାରାକୁ ତ୍ବାରାନ୍ବିତ କରିବା ଲାଗି ବିଶ୍ବସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ । ସଡ଼କ ପରବହନ ଏବଂ ରାଜପଥ ମନ୍ତ୍ରଣାଳୟର ବଜେଟ୍ ବଜେଟ୍ ଆବଣ୍ଟନ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ସର୍ବାଧିକ ସ୍ତରକୁ ଛୁଇଁଛି । ସଡ଼କ ନିର୍ମାଣ କ୍ଷେତ୍ରରେ ଅର୍ଥ କିମ୍ବା ସମ୍ବଳର ଅଭାବ ନାହିଁ । ସଡ଼କ ନେଟଓ୍ବର୍କର ମୁଦ୍ରୀକରଣ ଦ୍ବାରା ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରାଯାଇପାରିବ । ଏଥିପାଇଁ ସ୍ବଚ୍ଛତା, ସଚ୍ଚୋଟତା, ସକାରାତ୍ମକ ଅଭିମୁଖ୍ୟ ଏବଂ ଦ୍ରୁତ ନିର୍ଣ୍ଣୟ ପ୍ରକ୍ରିୟାର ଅବଶ୍ୟକତା ରହିଛି । ଏହା ଛଡ଼ା କେନ୍ଦ୍ର ମନ୍ତ୍ରୀ କହିଥିଲେ, ସରକାର ଦ୍ରୁତ ଗତିରେ ରାଜପଥ ନିର୍ମାଣ କରୁଛନ୍ତି । ୨୦୧୪ରେ ୯୧ ହଜାର ୨୮୭ କି.ମି. ରାଜପଥ ଥିବା ବେଳେ ବର୍ତ୍ତମାନ ଏହା ୬୦ ପ୍ରତିଶତ ବୃଦ୍ଧି ପାଇ ୧,୪୬, ୩୪୨ କି.ମିରେ ପହଞ୍ଚିଛି ।
ଶ୍ରୀ ଗଡ଼କରୀ ଆହୁରି ମଧ୍ୟ କହିଥିଲେ, ଦେଶରେ ଉନ୍ନତ ସଡ଼ର ନିର୍ମାଣ କାରଣରୁ ଆର୍ଥିକ ବିକାଶ ତ୍ବରାନ୍ବିତ ହୋଇଛି । ଉପାନ୍ତ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ଭଲ ରାସ୍ତା ନିର୍ମିତ ହୋଇଛି । ଭଲ ସଡ଼ ନିର୍ମାଣ କାରଣରୁ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ୧୬ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ ପାଇଛି । ସଡ଼କ ଭିତ୍ତିଭୂମି ଦେଶର ଶିଳ୍ପ, ରପ୍ତାନୀ, ବ୍ୟବସାୟ ବାଣିଜ୍ୟକୁ ଗତିଶୀଳ କରିବା ଏହା ଲୋକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ ।
ସେହିପରି ଦେଶରେ ବିକଳ୍ପ ଇନ୍ଧନ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଥିଲେ, ସବୁଜ ହାଇଡ୍ରୋଜେନ ଚାଳିତ ବାହନ ଚଳାଚଳ ପାଇଁ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ସେଥିମଧ୍ୟରୁ ଗୋଟିଏ ଓଡ଼ିଶାରେ ରହିଛି । ହାଇଡ୍ରୋଜେନ ଭଳି ସବୁଜ ଇନ୍ଧନ କ୍ଷେତ୍ରରେ ନିର୍ଭରଶୀଳ ଦେଶର ଆମଦାନୀ ହ୍ରାସ କରିବ । ସେହିଭଳି ଇଥାନଲ୍, ମିଥାନଲ୍, ବାୟୋ-ଏଲଏନଜି, ସିଏନଜି ଏବଂ ସବୁଜ ହାଇଡ୍ରୋଜେନ୍ ବହୁଳ ଗ୍ରହଣୀୟତା ଦ୍ବାରା ଭାରତ ଇନ୍ଧନ ଆମଦାନୀକାରୀ ରାଷ୍ଟ୍ରରୁ ଇନ୍ଧନ ରପ୍ତାନୀକାରୀ ରାଷ୍ଟ୍ର ହେବା ଦିଗରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣୁଛି ।
ଦେଶରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ପ୍ରାୟ ୧ ଲକ୍ଷ ୮୦ ହଜାର ଲୋକଙ୍କ ଜୀବନ ଯାଉଛି । ଏହାକୁ ହ୍ରାସ କରିବାକୁ ସରକାରୀ ସ୍ତରରେ ପ୍ରୟାସ ଚାଲିଛି । ଡିପିଆର୍ ତ୍ରୁଟି ପାଇଁ ଅନେକ ଦୁର୍ଘଟଣା ହେଉଥିବାରୁ ଏଥିରେ ସୁଧାର ଆଣିବା ଲାଗି ସେ ଇଞ୍ଜିନିୟର ଏବଂ ଅନ୍ୟ ପେସାଦାରମାନଙ୍କୁ ଅନୁରୋଧ କରାଯାଇଛି । ସଡ଼କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଅନ୍ୟପଟେ ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରୁଥିବା ସ୍ବେଚ୍ଛାସେବୀଙ୍କୁ ପୁଲିସ ଜେରା କରିପାରିବ ନାହିଁ । ଏଥିପାଇଁ ସରକାର ଆଇନ ଆଣିଛନ୍ତି । ଏହାଛଡ଼ା ଲଗାତାର ରାସ୍ତା ନିର୍ମାଣ କାରଣରୁ ପରିବେଶ ଓ ଜୀବଜଗତ ପ୍ରଭାବିତ ହେଇଛି । ରାସ୍ତା ନିର୍ମାଣ କାରଣରୁ ସର୍ବାଧିକ ପ୍ରଦୂଷଣ ହେଉଛି । ଏହାର ସମାଧାନ ଲାଗି ବର୍ତ୍ତମାନ ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଉଛି । ରାଜପଥ ନିର୍ମାଣରେ ବାୟୋ-ବିୟୁମେନ୍ ଏବଂ ପୁନଃଚକ୍ରିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବ୍ୟବହାର ଦୀର୍ଘସ୍ଥୟିତ୍ବ ଏବଂ ମୂଲ୍ୟ ଦକ୍ଷତାକୁ ଆହୁରି ବୃଦ୍ଧି କୁରଛି, ଯାହା ଦେଶ ପରିବେଶ-ସଚେତନ ବିକାଶ ପାଇଁ ଆମର ଦୃଷ୍ଟିକୋଣ ସହିତ ସମନ୍ବତ ବୋଲି ନୀତିନ ଗଡ଼କରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଥିଲେ ଯେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବିଶେଷ ଗୁରୁତ୍ବାରୋପ କରୁଛନ୍ତି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସହଯୋଗର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ, ଆଇଆରସିରଲ ଏହି ଅଧିବେଶନରୁ ବାହାରିଥିବା ନିଷ୍କର୍ସ ଦେଶର ସଡ଼କ କ୍ଷେତ୍ରକୁ ଅଧିକ ଗତିଶୀଳ କରିବ ।...