ଭୁବନେଶ୍ଵର, ୧୬/୦୪ : ଗଠନ ହୋଇସାରିଛି ଅଷ୍ଟମ ବେତନ କମିଶନ। ୧୮ ମାସ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବ କମିଟି। ଏହାପରେ ଯାଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଅଷ୍ଟମ ବେତନ କମିଶନ। ୨୦୨୭ ମାର୍ଚ୍ଚ କିମ୍ଵା ଏପ୍ରିଲ ମାସ ବେଳକୁ ଏହା ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଆୟୋଗ ନିକଟରେ କିଛି ଦାବି ରଖାଯାଇଛି। ଏହି ଦାବି ଗୁଡ଼ିକ ଗ୍ରହଣୀୟ ହେଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ଭତ୍ତାରେ ବଡ଼ ପରିବର୍ତ୍ତନ ହେବ।
ଦ ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାତୀୟ ପରିଷଦର ଡ୍ରାଫ୍ଟିଂ କମିଟି ଏହାର ଚୂଡ଼ାନ୍ତ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବଗୁଡ଼ିକରେ ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ ଏବଂ ପରିବାରିକ ଆବଶ୍ୟକତା ଉପରେ ଧ୍ୟାନ ଦେଇ ଉଚ୍ଚ ବେସିକ୍ ଦରମା, ଉତ୍ତମ ପେନସନ ଏବଂ ଉନ୍ନତ ଭତ୍ତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏପରିକି ବାର୍ଷିକ ୬ ପ୍ରତିଶତ ଦରମା ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କମିଟି ୩.୮୩ ର ଫିଟମେଣ୍ଟ ଫ୍ୟାକ୍ଟର ରଖିବାକୁ ପରାମର୍ଶ ଦେଇଛି। ଏଭଳି ହେଲେ କର୍ମଚାରୀଙ୍କ ଦରମା ଏବଂ ଭତ୍ତାରେ ବଡ଼ ବୃଦ୍ଧି ହେବ। ବିଳମ୍ବ ନକରି ୨୦୨୬ ଜାନୁଆରୀ ୧ରୁ ଏହାକୁ ଲାଗୁ କରିବାକୁ କମିଟି ଦାବି କରିଛି।
ବେତନ ଷ୍ଟ୍ରକଚରରେ ହେବ ବଡ଼ ପରିବର୍ତ୍ତନ
ଉଦାହରଣ ସ୍ଵରୂପ- ବର୍ତ୍ତମାନର ସବୁଠୁ କମ୍ ଦରମା ୧୮ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଯାହାକି ଅଷ୍ଟମ ବେତନ କମିଶନରେ ୬୯ ହଜାର ଟଙ୍କା ହୋଇଯିବ। ସେହିପରି, ପରବର୍ତ୍ତୀ ସ୍ତରରେ ସର୍ବନିମ୍ନ ଦରମା ପୂର୍ବ ସ୍ତରକୁ ମିଶାଇ ଯଥାକ୍ରମେ ୮୩,୨୦୦ ଟଙ୍କା ଏବଂ ୧.୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇପାରେ। ମଧ୍ୟମ ସ୍ତରର କର୍ମଚାରୀଙ୍କ ମୌଳିକ ଦରମା ସେମାନଙ୍କ ପଦବୀ ଉପରେ ନିର୍ଭର କରି ପ୍ରାୟ ୧.୩୫ ଲକ୍ଷରୁ ୨.୧୫ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ। ସରଳ ଭାଷାରେ କହିବାକୁ ଗଲେ, ସମ୍ପୂର୍ଣ୍ଣ ଦରମା ଷ୍ଟ୍ରକଚରକୁ ଏପରି ଭାବରେ କରାଯାଉଛି ଯେ, ସ୍ତର ସଂଖ୍ୟା ହ୍ରାସ ପାଉଛି, କିନ୍ତୁ ପ୍ରତ୍ୟେକ ସ୍ତରରେ ପ୍ରାରମ୍ଭିକ ଦରମା କମ୍ ହେଉଛି।
ପେନସନ ଏବଂ ଚାକିରିର ଲାଭ
ସବୁଠାରୁ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ୨୦୦୪ ଜାନୁଆରୀ ୧ ପରେ ଚାକିରିରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନାର ପୁନଃସ୍ଥାପନ। କମିଟି ଏହା ମଧ୍ୟ ପ୍ରସ୍ତାବ ଦେଇଛି ଯେ, ପେନସନ ଶେଷ ଦରମାର ୬୭% ଏବଂ ପରିବାର ପେନସନ ୫୦% ସ୍ଥିର କରାଯିବା ଉଚିତ୍। କ୍ୟାରିଅର ଗ୍ରୋଥ୍ ଉପରେ ମଧ୍ୟ କମିଟି ଗୁରୁତ୍ଵାରୋପ କରିଛି। ପ୍ରତି କର୍ମଚାରୀଙ୍କ ୩୦ ବର୍ଷର ସେବା ଅବଧି ମଧ୍ୟରେ ଅତି କମରେ ୫ଟି ପ୍ରମୋସନ କିମ୍ଵା ଦରମା ବୃଦ୍ଧି ପାଇଁ କୁହାଯାଇଛି।
ଭତ୍ତା ଏବଂ ସାମାଜିକ ସୁରକ୍ଷା
ଏହି ପ୍ରସ୍ତାବରେ ଉତ୍ତମ ସାମାଜିକ ସୁରକ୍ଷା ଏବଂ ଭତ୍ତା ପାଇଁ ଦାବି କରାଯାଇଛି। ଘର ଭଡ଼ାରେ ନ୍ୟୁନତମ ୩୦% ବୃଦ୍ଧି ପାଇଁ କୁହାଯାଇଛି। ଉନ୍ନତ ବୀମା କଭରେଜ, ଡ୍ୟୁଟି ସମୟରେ ମୃତ୍ୟୁ ହେଲେ କର୍ମଚାରୀଙ୍କ ପାଇଁ ଅଧିକ କ୍ଷତିପୂରଣ ଏବଂ ଛୁଟି ଏନକ୍ୟାସମେଣ୍ଟର ସୀମା ଉଚ୍ଛେଦ ପାଇଁ ମଧ୍ୟ ଦାବି ରହିଛି। ମାତୃତ୍ଵ ଛୁଟିକୁ ୨୪୦ ଦିନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ସହ ପିତା-ମାତାଙ୍କ ଦେଖାଶୁଣା କରିବା ପାଇଁ ଛୁଟି ଅବକାଶ ଏବଂ ପୈତୃକ ଛୁଟି ଅବଧି ବଢାଇବାକୁ କୁହାଯାଇଛି। ଏହା କେବଳ ଏକ ସଙ୍ଘ ଦ୍ଵାରା ସୁପାରିଶ କରାଯାଇଛି। ଆୟୋଗର ରିପୋର୍ଟ ପରେ ସଠିକ୍ ନିଷ୍ପତ୍ତି ନିଆଯିବ। ଏହାପରେ ଯାଇ କାହାର ଦରମା କେତେ ବଢିବ ତାହା ସରକାର ଘୋଷଣା କରିବେ।
ଏହି ଖବରଟିକୁ ପଢନ୍ତୁ- ଛୋଟ ସଞ୍ଚୟରୁ ବଡ଼ ପାଣ୍ଠି: ପୋଷ୍ଟ ଅଫିସ RD ସ୍କିମ୍ରେ ମିଳୁଛି ଦମଦାର୍ ରିଟର୍ଣ୍ଣ, ମାତ୍ର ₹୧୦୦ ରୁ କରନ୍ତୁ ଆରମ୍ଭ