ନୂଆଦିଲ୍ଲୀ, ୧୬।୪: ଯଦି ଆପଣ ନିଜର କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ସହ ଭଲ ରିଟର୍ଣ୍ଣ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ରେକରିଂ ଡିପୋଜିଟ୍ (RD) ସ୍କିମ୍ ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ ହୋଇପାରେ । ବିଶେଷ କରି ମଧ୍ୟବିତ୍ତ ପରିବାର ପାଇଁ ଏହା ଏକ ‘ପିଗି ବ୍ୟାଙ୍କ’ ଭଳି କାମ କରେ, ଯେଉଁଠାରେ ମାତ୍ର ୧୦୦ ଟଙ୍କାରୁ ନିବେଶ ଆରମ୍ଭ କରାଯାଇପାରିବ । ପୋଷ୍ଟ ଅଫିସର ୫ ବର୍ଷିଆ RD ସ୍କିମ୍ ହେଉଛି ଏକ ସରକାରୀ କ୍ଷୁଦ୍ର ସଞ୍ଚୟ ଯୋଜନା । ଏଥିରେ ଆପଣଙ୍କୁ ପ୍ରତି ମାସରେ ଏକ ନିଶ୍ଚିତ ପରିମାଣର ଅର୍ଥ ଜମା କରିବାକୁ ପଡ଼ିଥାଏ । ୫ ବର୍ଷ ପରେ ଆପଣଙ୍କ ଜମା ରାଶି ସୁଧ ସହ ମ୍ୟାଚୁରିଟି ପ୍ରଦାନ କରିଥାଏ ।
ନିବେଶର ସୀମା: ଆପଣ ଅତି କମରେ ପ୍ରତି ମାସରେ ୧୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ । ସର୍ବାଧିକ ନିବେଶର କୌଣସି ସୀମା ନାହିଁ ।
ଆକର୍ଷଣୀୟ ସୁଧ: ବର୍ତ୍ତମାନ ପୋଷ୍ଟ ଅଫିସ RD ଉପରେ ବାର୍ଷିକ ୬.୭୦% ହାରରେ ସୁଧ ମିଳୁଛି ।
ସୁରକ୍ଷାର ଗ୍ୟାରେଣ୍ଟି: ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ଏଥିରେ ଟଙ୍କା ବୁଡ଼ିବାର କୌଣସି ଭୟ ନଥାଏ ।
ଋଣ ସୁବିଧା: RD ଖାତା ବନ୍ଦ ନକରି ମଧ୍ୟ ଆପଣ ଏହା ଉପରେ ଋଣ ନେଇପାରିବେ ।
କିପରି ମିଳିବ ଋଣ ସୁବିଧା ?
ପୋଷ୍ଟ ଅଫିସ RD ସ୍କିମ୍ରେ ନିବେଶକଙ୍କୁ ଆବଶ୍ୟକ ସମୟରେ ଋଣ ସୁବିଧା ମଧ୍ୟ ମିଳିଥାଏ । ଯଦି ଆପଣ କ୍ରମାଗତ ଭାବେ ୧୨ ମାସ ଅର୍ଥାତ୍ ବର୍ଷେ ପର୍ଯ୍ୟନ୍ତ କିସ୍ତି ଜମା କରିଛନ୍ତି, ତେବେ ଆପଣ ଋଣ ପାଇଁ ଯୋଗ୍ୟ ବିବେଚିତ ହେବେ । ଆପଣଙ୍କ ଖାତାରେ ଜମା ଥିବା ମୋଟ ରାଶିର ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହି ଋଣ ଉପରେ ସୁଧ ହାର ବ୍ୟକ୍ତିଗତ ଋଣ ତୁଳନାରେ ଯଥେଷ୍ଟ କମ୍ ରହିଥାଏ । ଯଦି ଆପଣ ପ୍ରତି ମାସରେ ୫,୦୦୦ ଟଙ୍କା ଜମା କରନ୍ତି, ତେବେ ୫ ବର୍ଷରେ ଆପଣଙ୍କର ମୋଟ ଜମା ହେବ ୩ ଲକ୍ଷ ଟଙ୍କା । ବର୍ତ୍ତମାନର ୬.୭% ସୁଧ ହାର ଅନୁସାରେ, ୫ ବର୍ଷ ପରେ ଆପଣଙ୍କୁ ପ୍ରାୟ ୩,୫୬,୮୩୦ ଟଙ୍କା ରିଟର୍ଣ୍ଣ ମିଳିବ । ଅର୍ଥାତ୍ କେବଳ ସୁଧ ବାବଦକୁ ଆପଣଙ୍କୁ ପ୍ରାୟ ୫୬,୮୩୦ ଟଙ୍କା ଲାଭ ମିଳିବ । ବଜାରର ଅସ୍ଥିରତା ମଧ୍ୟରେ ସୁରକ୍ଷିତ ଏବଂ ନିଶ୍ଚିତ ରିଟର୍ଣ୍ଣ ପାଇଁ ପୋଷ୍ଟ ଅଫିସ RD ଏକ ଉତ୍ତମ ମାଧ୍ୟମ । ଆପଣ ନିକଟସ୍ଥ ଡାକଘରକୁ ଯାଇ ଆଧାର କାର୍ଡ ଏବଂ ଫଟୋ ଜରିଆରେ ସହଜରେ ଏହି ଖାତା ଖୋଲିପାରିବେ ।
ଆହୁରି ପଢ଼ନ୍ତୁ... IMF Ranking : ଦୁର୍ବଳ ଟଙ୍କା, ଷଷ୍ଠକୁ ଖସିଲା ଭାରତୀୟ ଅର୍ଥନୀତି