ଭୁବନେଶ୍ଵର, ୨୨/୯ : ଭିଜିଲାନ୍ସ ଜାଲରେ ବିନିକା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ୍। ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ବନ୍ଧା ହେଲେ ସୌମ୍ୟ ରଞ୍ଜନ ଖେତି । ୨୦୨୧-୨୨ରୁ ୨୦୨୪-୨୫ ମଧ୍ୟରେ କ୍ଷମତାର ଅପବ୍ୟବହାର କରି ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ, ଲେଡିଜ ହଷ୍ଟେଲ ଫଣ୍ଡ୍ ବାବଦକୁ ୫୫ ଲକ୍ଷ ୨ ହଜାର ୬୧୦ ଟଙ୍କା ଚଳୁ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। 

ସୂଚନାନୁଯାୟୀ, ସୌମ୍ୟ ରଞ୍ଜନ ଖେତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଦର୍ଶ ବିଦ୍ୟାଳୟରେ ୨୦୨୧ରେ ପ୍ରିନ୍ସପାଲ ଭାବରେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ଆସିଥିଲା। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ସୌମ୍ୟ ରଞ୍ଜନ ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ, ଲେଡିଜ୍ ହଷ୍ଟେଲ ଫଣ୍ଡ୍ ବାବଦକୁ ୫୫ ଲକ୍ଷ ୨ ହଜାର ୬୧୦ ଟଙ୍କା ଚଳୁ କରିଥିବା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଟିମ୍ ଏନେଇ ଅଧିକ ଖୋଳତାଡ଼ କରୁଛି।