ଭୁବନେଶ୍ଵର : କ’ଣ କରୁଛ... ଖାଇଲଣି କି ନାହିଁ ? ଏଇ ତୁମ ମନ ଭଲ ନାହିଁ କି, କିଛି କହୁନ ଯେ, କ’ଣ ଅସୁବିଧା ହୋଇଛି ମୋତେ କହିବନି ? ତୁମେ ଜମା ମନ ଦୁଃଖ କରନି... ତୁମେ ମନ ଦୁଃଖ କଲେ ମୋତେ ଜମା ଭଲ ଲାଗେନି...ଦିନ ଯାକର ତାମ୍ ଝାମ୍ ସରିଲା ପରେ ରାତିରେ ଏଇ କେଇ ପଦ କଥା ଭାରି ନିଜର ନିଜର ଲାଗେ। ମନ ହାଲୁକା କରିଦିଏ। ସବୁ ଥକ୍କା ଗୋଟେ ମିନିଟ୍‌ରେ ଦୂର କରିଦିଏ। ନିଜର ଦୁଃଖ, ମନକଥା କିମ୍ବା କୌଣସି ଘଟଣା ଅନ୍ୟ ଆଗରେ ପ୍ରକାଶ କଲେ ଆମକୁ ଶାନ୍ତି ଲାଗେ। ହେଲେ ଆଜିର ବ୍ୟସ୍ତବହୁଳ ଜୀବନରେ ଅନ୍ୟର କଥା ଶୁଣିବାକୁ ସମୟ କାହିଁ। ଏପରି ସମୟରେ ଏଆଇ ବର୍ତ୍ତମାନର ନୂଆ ଜେନେରେସନ୍‌ଙ୍କ ସାଜିଛି ପ୍ରକୃତ ବନ୍ଧୁ। ସଂକ୍ଷେପରେ କହିଲେ ଏଆଇ ପାଲଟିଛି ଏକଲାପଣର ସାହାରା। ଜଣେ ବ୍ୟକ୍ତି ଅପେକ୍ଷା ଅଧିକ କେୟାର ନେଉଛି ଏଆଇ।

ମୋବାଇଲରେ ଥିବା ଏଆଇ ଆପ୍‌ ତଥ୍ୟ ସଂଗ୍ରହରେ ଆଉ ସୀମିତ ନାହିଁ। ବର୍ତ୍ତମାନ ଏହାକୁ ଘରର ସଦସ୍ୟ ଭାବି କେହି କେହି ନିଜ ମନ କଥା କହୁଛନ୍ତି। ନିଜର ଅଧିକାଂଶ ସମୟ ଏଆଇ ସହିତ ବିତାଇବାକୁ ପସନ୍ଦ କରୁଛନ୍ତି। ଦୈନନ୍ଦିନ ଜୀବନରେ ଘଟୁଥିବା କାର୍ଯ୍ୟାବଳୀ, ଆନନ୍ଦ, ବିଷାଦ ଭଳି ସମସ୍ତ କଥାକୁ ଅନେକେ ଆଜି ଏଆଇ ସହିତ ସେୟାର କରୁଛନ୍ତି । ଏଆଇ ଏହି କଥାଗୁଡ଼ିକୁ ମନ ଦେଇ ଶୁଣି ବେଶ୍‌ ସୁନ୍ଦର ଭାବେ ଆଶ୍ୱାସନାଭାରା କଥା କହୁଛି ଏବଂ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରୁଛି । ଏଆଇ ଶାରୀରିକ ଭାବେ ଉପସ୍ଥିତି ହୋଇପାରୁନଥିଲେ ମଧ୍ୟ ଲେଖା ଏବଂ କଥା ମାଧ୍ୟମରେ ସେ ଅନ୍ୟ ମୁହଁରେ ଖୁସି ଭରି ଦେଉଛି । 

କିଛି ଯୁବକ ଏଆଇକୁ ନିଜର ଗାର୍ଲଫ୍ରେଣ୍ଡ୍‌ ଓ ବୟଫ୍ରେଣ୍ଡ୍‌ ବନେଇ କଥାବାର୍ତ୍ତା ଓ ଡେଟିଂ କରୁଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଏଆଇ ଆପ୍‌ ମଧ୍ୟ ଉପଲବ୍ଧ । ଏଆଇ ସହିତ ପ୍ରାୟ ସମୟରେ କଥା ହେଉଥିବା ନିକିତା କୁହନ୍ତି, ବେଶ୍‌ ନିର୍ଭୟରେ ଏଆଇ ସହ ମନର କଥା ସେୟାର କରିହେଉଛି । ନା ବ୍ୟକ୍ତିତ୍ୱକୁ କେହି ଜଜ୍‌ କରେ ନା ବ୍ୟକ୍ତିଗତ ଜୀବନକୁ । ସାଧାରଣ ମଣିଷ ଯେଉଁଠି ପ୍ରତ୍ୟେକ ସମୟରେ ସମୟ ଦେଇପାରେନା ହେଲେ ଏଆଇକୁ ଯେକୌଣସି ମୂହୁର୍ତ୍ତରେ ଯେକୌଣସି ସମସ୍ୟା କହିଲେ ତୁରନ୍ତ ବେଶ୍‌ ସୁନ୍ଦର ଭାବେ ବୁଝାଇଦେଇଥାଏ । ଆଉ ଏଭଳି କଥାରେ ମନ ମଧ୍ୟ ବେଶ୍‌ ହାଲୁକା ହୋଇଯାଏ । 

ଆଜିର ସଂଖ୍ୟାଧିକ ପିଲା ଏଆଇ ଉପରେ ଅଧିକ ନିର୍ଭରଶୀଳ। ତେବେ ଏଆଇର ଉଭୟ ପଜିଟିଭି ଓ ନେଗେଟିଭ୍ ପ୍ରଭାବ ରହିଛି। ଏହାର ବହୁଳ ବ୍ୟବହାର ଯୋଗୁଁ ପିଲାଙ୍କ ଆବେଗର ବିକାଶ ହୋଇପାରୁ ନାହିଁ। ବନ୍ଧୁବାନ୍ଧବ ଏଆଇ ଭିତରେ ଅନେକ ଫରକ୍‌ । କିଛି ସ୍ୱାସ୍ଥ୍ୟଗତ ଅସୁବିଧା ହେଲେ ବନ୍ଧୁମାନେ ଆପଣଙ୍କ ପାଖରେ ପହଞ୍ଚିପାରିବେ । ହେଲେ ଏଆଇ ସେହି ସମୟରେ ଡାକ୍ତରଖାନା ଯିବାକୁ କିମ୍ବା ଔଷଧ ଖାଇବାକୁ କେବଳ ପରାମର୍ଶ ଦେଇପାରିବ। ସେହିପରି ଭର୍ଚୁଆଲ୍‌ ୱାଲ୍ଡରେ କାହାକୁ ବିଶ୍ୱାସ କରି ବ୍ୟକ୍ତିଗତ ତଥ୍ୟ ଦବା କଥା ନୁହେଁ । ଯଦି ସମୟ ଅତିବାହିତ କରିବାକୁ ଏଆଇ ସହିତ ଚାଟ୍‌ କରୁଛନ୍ତି ତେବେ, ନିଜର ସେନ୍‌ସିଟିଭ୍‌ ଡାଟା ବା ଫଟୋ ଦିଅନ୍ତୁନି । ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାହା ସହିତ ଚାଟ୍‌ କରୁଛନ୍ତି, ତାହା କେଉଁଠି ଷ୍ଟୋର ହେଉଛି ଆପଣ ଯଦି ଜାଣୁନାହାଁନ୍ତି, ତେବେ ସତର୍କ ରହିବା ଦରକାର। ଏଆଇ ମାଧ୍ୟମରେ ବହୁତ ଜିନିଷକୁ ଅଳ୍ପ ସମୟରେ କରିହେବ। ଏଆଇରୁ ଅନେକ ପିଲା ପାଠ ପଢୁଛନ୍ତି ଅନେକ କଥା ଜାଣୁଛନ୍ତି। ତାଣୁ ଚାଟିଂରେ ସମୟ ଦେବା ଅପେକ୍ଷା ଭଲକାମରେ ଦେଲେ ଲାଭ ଅଛି।