ନୂଆଦିଲ୍ଲୀ ୧୩/୧୦: ପ୍ରସିଦ୍ଧ ହଲିଉଡ୍ ଅଭିନେତ୍ରୀ ଡାଏନେ କିଟନ(୭୯)ଙ୍କର ପରଲୋକ ହୋଇଛି । ବିଗତ କିଛି ମାସ ହେଲା ସେ ଅସୁସ୍ଥ ଥିଲେ । ଆମେରିକାର ଲସ୍ ଏଞ୍ଜେଲସ୍ରେ ଜନ୍ମିତ କିଟନ୍ ‘ଦ ଗଡ୍ଫାଦର’(୧୯୭୨) ଫିଲ୍ମରେ ଚମତ୍କାର ଅଭିନୟ ଲାଗି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ଏହାର ସିକ୍ୱେଲଗୁଡି଼କରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସେ ହଲିଉଡ୍ରେ ଷ୍ଟାର ପାଲଟି ଯାଇଥିଲେ । ତାଙ୍କୁ ଆଉ କିଛି ଲୋକପ୍ରିୟ ଫିଲ୍ମରେ ଦେଖିବାକୁ ମିଳିଥିଲା ।
ତେବେ ୧୯୭୭ରେ ରିଲିଜ୍ ହୋଇଥିବା ‘ଆନ୍ନି ହଲ୍’ ଲାଗି କିଟନଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ମିଳିଥିଲା । ସେହି ଫିଲ୍ମ ଲାଗି ସେ ଗୋଲ୍ଡେନ୍ ଗ୍ଲୋବ୍, ବାଫ୍ଟା ପୁରସ୍କାର ମଧ୍ୟ ପାଇଥିଲେ । ସେହିପରି କିଟନ ‘ବେବି ବୁମ୍’, ‘ଫାଦର ଅଫ୍ ଦ ବ୍ରାଇଡ୍’, ‘ଦ ଫାଷ୍ଟ ୱାଇଭ୍ସ କ୍ଲବ୍’, ‘ଦ ଅଦର୍ ସିଷ୍ଟର’ ଭଳି ହିଟ୍ ଫିଲ୍ମରେ କାମ କରିଥିଲେ । ଦୀର୍ଘ ୫ ଦଶନ୍ଧିର ଫିଲ୍ମ କ୍ୟାରିୟର ମଧ୍ୟରେ ତାଙ୍କୁ ୩ ଥର ଅସ୍କାର ଲାଗି ନୋମିନେଟ୍ କରାଯାଇଥିଲା । ଏହାଛଡ଼ା ସେ କିଛି ଚର୍ଚ୍ଚିତ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସେଥିମଧ୍ୟରେ ପ୍ରାମାଣିକ ଚଳଚ୍ଚିତ୍ର ‘ହେଭେନ୍’, ‘ଅନସଙ୍ଗ ହିରୋଜ୍’(୧୯୯୫), ‘ହ୍ୟାଙ୍ଗିଙ୍ଗ ଅପ୍’ ଅନ୍ୟତମ । କିଟନ୍ ବିବାହ କରିନଥିଲେ । ତେବେ ଏକ ପୁଅ ଓ ଏକ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।