ନୂଆଦିଲ୍ଲୀ ୦୭/୧୦: ଏସ୍ୱାତିନିର ରାଜା ଏମ୍ସ୍ୱାତୀ ୩ୟଙ୍କର ଆବୁଧାବି ଗସ୍ତର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯାହା ଆଫ୍ରିକୀୟ ସମ୍ରାଟଙ୍କ ବିଳାସବହୁଳ ଜୀବନଶୈଳୀ ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଭିଡିଓଟି ଗତ ଜୁଲାଇ ମାସର । ଏଥିରେ ଆବୁଧାବି ବିମାନବନ୍ଦରରେ ଏକାଧିକ ପତ୍ନୀ ଓ ସେବକଙ୍କ ସହ ରାଜା ଏମ୍ସ୍ୱାତୀ ୩ୟଙ୍କ ଭବ୍ୟ ଆଗମନ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ।
ଭିଡିଓରେ ରାଜା ପାରମ୍ପରିକ ପୋଷାକ ପିନ୍ଧି ଏକ ପ୍ରାଇଭେଟ୍ ଜେଟ୍ରୁ ବାହାରୁଛନ୍ତି । ସୁନ୍ଦର ପୋଷାକରେ କିଛି ମହିଳା ତାଙ୍କ ପଛରେ ଆସୁଛନ୍ତି । ଭିଡିଓ ସହିତ ଉଲ୍ଲେଖ ହୋଇଛି ‘ସ୍ୱାଜିଲାଣ୍ଡ୍ ରାଜା ୧୫ ପତ୍ନୀ ଓ ୧୦୦ ସେବକଙ୍କ ସହିତ ଆବୁଧାବିରେ ପହଞ୍ଚିଲେ । ତାଙ୍କ ବାପା ରାଜା ସୋଭୁଜା ୨ୟଙ୍କର ୧୨୫ ପତ୍ନୀ ଥିଲେ ।’ ରିପୋର୍ଟ ଅନୁସାରେ, ଆବୁଧାବି ଗସ୍ତରେ ରାଜା ଏମ୍ସ୍ୱାତୀ ୩ୟଙ୍କର ସନ୍ତାନଙ୍କ ମଧ୍ୟରୁ ୩୦ ଜଣ ତାଙ୍କ ସହିତ ଆସିଥିଲେ । ଏହି ବିଶାଳ ପ୍ରତିନିଧିମଣ୍ଡଳ ପାଇଁ ବିମାନବନ୍ଦରରେ ବ୍ୟାଘାତ ମଧ୍ୟ ସୃଷ୍ଟି ହୋଇଥିଲା । ରାଜକୀୟ ଗସ୍ତର ସୁପରିଚାଳନା ନିମନ୍ତେ ସୁରକ୍ଷା ଅଧିକାରୀଙ୍କୁ ଏକାଧିକ ଟର୍ମିନାଲ୍ ବନ୍ଦ କରିବାକୁ ପଡ଼ିଥିଲା ।
ତେବେ ଭିଡିଓକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ୟୁଜର୍ ରାଜା ଏମ୍ସ୍ୱାତୀ ୩ୟଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଦେଶର ନାଗରିକଙ୍କ ଦୈନନ୍ଦିନ ସଂଘର୍ଷ ମଧ୍ୟରେ ଥିବା ବଡ଼ ଅନ୍ତର ଉପରେ ଆଲୋକପାତ କରିଥିଲେ । ରାଜା ଏମ୍ସ୍ୱାତୀ ୩ୟ ଆଫ୍ରିକାର ଶେଷ ସମ୍ରାଟ, ଯିଏକି ୧୯୮୬ ମସିହାରୁ କ୍ଷୁଦ୍ର ଦକ୍ଷିଣ ଆଫ୍ରିକୀୟ ଦେଶକୁ ଶାସନ କରିଆସୁଛନ୍ତି । ରିପୋର୍ଟ ଅନୁସାରେ, ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ । କିନ୍ତୁ ତାଙ୍କ ରାଜ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଣାଳୀ ଜୀର୍ଣ୍ଣ । ସରକାରୀ ହସ୍ପିଟାଲରେ ଔଷଧ ମିଳୁନାହିଁ । ଆର୍ଥିକ ସମସ୍ୟାର ସମ୍ମୁଖୀନ ବିଦ୍ୟାର୍ଥୀମାନେ ଦାନ ଉପରେ ନିର୍ଭର କରି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ଛାଡୁଛନ୍ତି । ୨୦୨୧ରେ ରାଜ୍ୟରେ ବେକାରୀ ହାର ୨୩%ରୁ ୩୩.୩%କୁ ବଢ଼ିଥିଲା ।