ନୂଆଦିଲ୍ଲୀ: ନେପାଳ ଏବଂ ବାଂଲାଦେଶ ପରେ, ଜେନ-ଜେଡ୍ ପ୍ରତିବାଦ ଆଫ୍ରିକାରେ ଆଉ ଏକ ସରକାରଙ୍କୁ ଭାଙ୍ଗି ଦେଇଛି। ମିଳିଥିବା ସୂଚନା ମୁତାବକ, ଆଫ୍ରିକାର ଏକ ଦେଶ ମାଡାଗାସ୍କରରେ ଜେନ-ଜେଡ୍ ଆନ୍ଦୋଳନ ମୁଣ୍ଡ ଟେକିଛି। ଯାହାଫଳରେ ମାଡାଗାସ୍କର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା ଦେଶ ଛାଡି ଏକ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଛନ୍ତି ବୋଲି ବିରୋଧୀ ଦଳ ଏବଂ ଅଧିକାରୀମାନେ ସୂଚନା ଦେଇଛନ୍ତି।
ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ ଅନିର୍ଦ୍ଦିଷ୍ଟ ସ୍ଥାନରୁ ଜାତୀୟ ଟେଲିଭିଜନରେ ରାଜୋଏଲିନା କହିଥିଲେ ଯେ ଏକ ସାମରିକ ବିଦ୍ରୋହ ପରେ ତାଙ୍କ ଜୀବନକୁ ରକ୍ଷା କରିବା ପାଇଁ ତାଙ୍କୁ ଦେଶ ଛାଡିବାକୁ ପଡିଛି। ତେବେ ସେ ସେତେବେଳେ ନିଜ ଇସ୍ତଫା ଘୋଷଣା କରି ନଥିଲେ।
ରାଜୋଏଲିନା ସପ୍ତାହେ ଧରି ଜେନ-ଜେଡଙ୍କ ନେତୃତ୍ୱର ଜାରି ରହିଥିବା ପ୍ରତିବାଦର ସମ୍ମୁଖୀନ ହେଉଛନ୍ତି। ଶନିବାର ଦିନ ଏକ ସ୍ୱତନ୍ତ୍ର ସାମରିକ ୟୁନିଟ୍ ରାଷ୍ଟ୍ରପତି ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଇସ୍ତଫା ଦାବି କରି ପ୍ରଦର୍ଶନରେ ଯୋଗ ଦେବା ପରେ ଏହି ପ୍ରତିବାଦ ଏକ ନାଟକୀୟ ମୋଡ଼ ନେଇଥିଲା। ପରବର୍ତ୍ତୀ ସମୟରେ ରାଜୋଏଲିନା ଏହି ପ୍ରଦର୍ଶନକୁ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଥିବା ନେଇ ଘୋଷଣା କରିବା ସହ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ତାଙ୍କ ଭାଷଣରେ ରାଜୋଏଲିନା କହିଥିଲେ ଯେ, "ମୋ ଜୀବନକୁ ରକ୍ଷା କରିବା ପାଇଁ ମୋତେ ଏକ ନିରାପଦ ସ୍ଥାନକୁ ପଳାଇବାକୁ ବାଧ୍ୟ କରାଯାଇଥିଲା।" ସେ ଆଲୋଚନା ପାଇଁ ପ୍ରତିବାଦକାରୀ ଗୋଷ୍ଠୀକୁ ନିବେଦନ କରିଥିଲେ ଏବଂ କହିଥିଲେ ଯେ ସମ୍ବିଧାନକୁ ସମ୍ମାନ କରାଯିବା ଉଚିତ। ସେ କିପରି ମାଡାଗାସ୍କର ଛାଡିଲେ କିମ୍ବା ସେ ଏବେ କେଉଁଠି ଅଛନ୍ତି ତାହା ଜଣାପଡିପାରିନାହିଁ, କିନ୍ତୁ ରିପୋର୍ଟ ଅନୁଯାୟୀ ତାଙ୍କୁ ଏକ ଫ୍ରାନ୍ସ ସାମରିକ ବିମାନ ଦ୍ୱାରା ଦେଶରୁ ବାହାରକୁ ନିଆଯାଇଥିଲା।
ମାଡାଗାସ୍କରର ଏକ ସ୍ୱତନ୍ତ୍ର ସାମରିକ ୟୁନିଟ୍, CAPSAT ଏହି ବିଦ୍ରୋହ କରିବା ସହ ନିଜ ନିୟନ୍ତ୍ରଣ ଅଧିନରେ ସମ୍ପୂର୍ଣ୍ଣ ସାମରିକ ନିୟନ୍ତ୍ରଣ ରହିଥିବା ଦାବି କରିଛି। ୟୁନିଟ୍ର ମୁଖ୍ୟ କର୍ଣ୍ଣେଲ ମାଇକେଲ୍ ରେଣ୍ଡ୍ରିଆନାରିନା କହିଛନ୍ତି ଯେ ସାମରିକ ବାହିନୀ ଜନସାଧାରଣଙ୍କ ସ୍ୱରର ଜବାବ ଦେଉଛି ଏବଂ ଏହା କୌଣସି ବିଦ୍ରୋହ ନୁହେଁ। ସେ କହିଛନ୍ତି ଯେ ତାଙ୍କ ସୈନ୍ୟମାନେ ବର୍ତ୍ତମାନ ପ୍ରତିବାଦକାରୀଙ୍କ ସହିତ ଅଛନ୍ତି ଏବଂ ସପ୍ତାହାନ୍ତରେ ସଂଘର୍ଷରେ ତାଙ୍କର ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ରାଜଧାନୀରେ ମାଡାଗାସ୍କର ପତାକା ହଲାଇ ଲୋକମାନେ ପ୍ରତିବାଦକାରୀଙ୍କ ସାଥ ଦେଇଥିବା ସୈନିକମାନଙ୍କୁ ସ୍ୱାଗତ କରିଥିଲେ।
ପାଣି ଏବଂ ବିଦ୍ୟୁତ୍ ଅଭାବକୁ ନେଇ ଗତ ସେପ୍ଟେମ୍ବର ୨୫ ତାରିଖଠୁ ସମଗ୍ର ଦେଶରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା। କିନ୍ତୁ ଧୀରେ ଧୀରେ ଏହି ପ୍ରତିବାଦ ରାଷ୍ଟ୍ରପତି ଏବଂ ତାଙ୍କ ସରକାରଙ୍କ ବିରୁଦ୍ଧରେ ବ୍ୟାପକ ଅସନ୍ତୋଷରେ ପରିଣତ ହୋଇଥିଲା। ଜେନ-ଜେଡଙ୍କ ନେତୃତ୍ୱରେ ତିନି ସପ୍ତାହ ଧରି ଚାଲିଥିବା ଏହି ପ୍ରତିବାଦରେ ଏପର୍ଯ୍ୟନ୍ତ ଯାଏ ୨୨ ଜଣଙ୍କର ଜୀବନ ଯାଇଛି ଏବଂ ଏକାଧିକ ଲୋକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଥିବା ଏହି ପ୍ରଦର୍ଶନ ପ୍ରତି ସରକାରଙ୍କ ହିଂସାତ୍ମକ ପ୍ରତିକ୍ରିୟାକୁ ଜାତିସଂଘ ସମାଲୋଚନା କରିଛି।
ମାଡାଗାସ୍କରରେ ଏହିଭଲି ପ୍ରତିବାଦ କୌଣସି ନୂଆ କଥା ନୁହେଁ। ୧୯୬୦ ମସିହାରେ ଫ୍ରାନ୍ସଠାରୁ ସ୍ୱାଧୀନତା ପାଇବା ପରଠାରୁ, ଏହି ଦେଶ ଅନେକ ରାଜନୈତିକ ସଙ୍କଟ ଏବଂ ବିପ୍ଳବର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ରାଜୋଏଲିନା ନିଜେ ୨୦୦୯ ମସିହାରେ ଏକ ସାମରିକ ସମର୍ଥିତ ବିପ୍ଳବ ପରେ କ୍ଷମତାକୁ ଆସିଥିଲେ। ସେ ୨୦୧୮ ମସିହାରେ ନିର୍ବାଚିତ ହୋଇଥିଲେ ଏବଂ ୨୦୨୩ ମସିହାରେ ପୁନଃନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିରୋଧୀ ଦଳଗୁଡ଼ିକ ସେହି ନିର୍ବାଚନକୁ ବର୍ଜନ କରିଥିଲେ। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ନିକଟ ପରାମର୍ଶଦାତାମାନେ ମଧ୍ୟ ଦେଶ ଛାଡି ପଡ଼ୋଶୀ ମରିସସ ଦ୍ୱୀପକୁ ପଳାଇ ଯାଇଛନ୍ତି।
ପୂର୍ବ ଆଫ୍ରିକା ନିକଟରେ ଅବସ୍ଥିତ ଏକ ବୃହତ ଦ୍ୱୀପ ରାଷ୍ଟ୍ରର ଜନସଂଖ୍ୟା ପ୍ରାୟ ୩.୧ କୋଟି ହେବ ବୋଲି ଅନୁମାନ କରାଯାଉଛି। ଦାରିଦ୍ର୍ୟ ଏବଂ ସରକାରୀ ସେବାର ବିଫଳତା ଉପରେ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ରହିଆସିଛି। ଯାହା ଏବେ ବ୍ୟାପକ ପ୍ରତିବାଦରେ ପରିଣତ ହୋଇଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।