ନୂଆଦିଲ୍ଲୀ ୧୫/୦୯: ଚଳିତବର୍ଷ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ  ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ଇଞ୍ଜିନିୟରମାନେ ଏକ ନୂଆ ଏଆଇ(କୃତ୍ରିମ  ବୁଦ୍ଧିମତ୍ତା) ଚାଳିତ ସୁରକ୍ଷା ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏହା ଯୋଗୁ ବିମାନ ସବୁବେଳେ ‘କ୍ରାସ୍‌ ପ୍ରୁଫ୍‌’ ରହିପାରିବ ବୋଲି ଦାବି କରାଯାଉଛି । ଏହି ସିଷ୍ଟମର ନାମ ରହିଛି ‘ପ୍ରୋଜେକ୍ଟ ରିବାର୍ଥ’ । ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌  ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ଦୁବାଇ କ୍ୟାମ୍ପସର ଦୁଇଜଣ ଇଞ୍ଜିନିୟର ଏଶେଲ ୱସିମ ଓ ଦର୍ଶନ୍‌ ଶ୍ରୀନିବାସନ୍‌ ଏହାକୁ ପ୍ରସ୍ତୁତ କରିଛନ୍ତି ।

ୱସିମ ଓ ଶ୍ରୀନିବାସନ୍‌ଙ୍କ ଅନୁସାରେ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ହୋଇଥିବା ଜୀବନହାନି ସେମାନଙ୍କୁ ମର୍ମାହତ କରିଥିଲା । ଏହାପରେ ସେମାନେ ଏଭଳି  ଦୁର୍ଘଟଣା ସ୍ଥିତିରେ  ଯାତ୍ରୀମାନଙ୍କ ଜୀବନ  ବଞ୍ଚାଇବା ଲାଗି ଏହି  ବ୍ୟବସ୍ଥା ବନାଇଛନ୍ତି ।  ଏଆଇ ମାଧ୍ୟମରେ  ବିମାନରେ ବୈଷୟିକ  ତ୍ରୁଟି ସଂପର୍କରେ ଜାଣିବାକୁ ଏହି ପ୍ରଣାଳୀକୁ ଡିଜାଇନ୍‌ କରାଯାଇଛି ।  ‘ପ୍ରୋଜେକ୍ଟ ରିବାର୍ଥ’ ବିମାନର ଉଚ୍ଚତା, ଗତି, ଇଞ୍ଜିନ ଓ ଦିଗ ଉପରେ  ଲଗାତର ନଜର ରଖିବ । ୩୦୦୦ ଫୁଟରୁ କମ୍‌ ଉଚ୍ଚତାରେ ବିମାନର  ଦୁର୍ଘଟଣାକୁ ରୋକିବା ଅସମ୍ଭବ ହୋଇଯିବା ସ୍ଥିତିରେ ଏହି ସିଷ୍ଟମ ଆପେ  ଆପେ ବିମାନର ସାମ୍ନା ପଟ, ମଝି ଅଂଶ ଓ ପଛ ପାଖରୁ କବଚ ଭଳି  ତିନିଟି ବିଶାଳ ଏୟାରବ୍ୟାଗ୍‌ ଖୋଲିଦେବ । ଫଳରେ ୨ ସେକେଣ୍ଡରୁ କମ୍‌  ସମୟ ମଧ୍ୟରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏୟାରବ୍ୟାଗ୍‌ ପୂରା ବିମାନକୁ ଢାଙ୍କି  ଦେବ । ଏହାଯୋଗୁ ଦୁର୍ଘଟଣାର ପ୍ରଭାବ ବହୁ ପରିମାଣରେ କମିପାରିବ ।